ଜିଏସ୍‌ଟି ବିଳମ୍ବ ଫି’ ସର୍ବକ୍ଷମା ସ୍କିମ୍‌ ମହଲତ ବୃଦ୍ଧି

ନୂଆଦିଲ୍ଲୀ : ଜିଏସ୍‌ଟି ବିଳମ୍ବ ଫି’ ସର୍ବକ୍ଷମା ସ୍କିମ୍‌ର ମହଲତକୁ ୨୦୨୧ ନଭେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ବିଭିନ୍ନ ମହଲରୁ ମିଳିଥିବା ପ୍ରସ୍ତାବଗୁଡ଼ିକୁ ବିଚାରକୁ ନେଇ ସରକାର ସମୟ ସୀମା ବଢ଼ାଇଛନ୍ତି। ‌ତେଣୁ ପଞ୍ଜୀକରଣ ରଦ୍ଦ କଟକଣା ହଟାଇବା ନିମନ୍ତେ ଆବେଦନ କରିବା ଲାଗି ଟିକସଦାତାଙ୍କୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ସମୟ ମିଳିବ। ଚଳିତ ବର୍ଷ ମାର୍ଚ୍ଚ ୧ରୁ ଅଗଷ୍ଟ ୩୧ ଭିତରେ ଯେଉଁ ପଞ୍ଜୀକରଣଗୁଡ଼ିକ ରଦ୍ଦ ହେବାର ଆଶଙ୍କା ରହିଛି,ଏହି ସମୟ ସୀମା କେବଳ ସେଥିପାଇଁ ଲାଗୁ ହେବ।

କେନ୍ଦ୍ରୀୟ ଜିଏସ୍‌ଟି ନିୟମର ଧାରା ୨୯ ଅନୁସାରେ ଯେଉଁ ପଞ୍ଜୀକରଣ ରଦ୍ଦ ହୋଇଥିବ ସେଥିପାଇଁ ଏହି ନିଷ୍ପତ୍ତି ଲାଗୁ ହେବ। ୨୦୧୭ ଜୁଲାଇରୁ ୨୦୨୧ ଏପ୍ରିଲ୍ ମଧ୍ୟରେ ଫର୍ମ ଜିଏସ୍‌ଟିଆର୍‌-୩ବି ଦାଖଲ କରିନଥିବାରୁ ଟିକସଦାତାଙ୍କ ବିଳମ୍ବ ଫି’କୁ ଉଚ୍ଛେଦ କରିବା କିମ୍ବା ହ୍ରାସ କରାଯିବ ବୋଲି ଚଳିତ ବର୍ଷ ଜୁନ୍‌ ୧ରେ କେନ୍ଦ୍ର ସରକାର ଘୋଷଣା କରିଥିଲେ। ସେଥିପାଇଁ ସର୍ବକ୍ଷମା ସ୍କିମ୍ ଘୋଷଣା କରାଯାଇଛି। ଯଦି ଏହି ଅବଧି ପାଇଁ ଟିକସଦାତା ଚଳିତ ବର୍ଷ ଜୁନ୍‌ ୧ରୁ ଅଗଷ୍ଟ ୩୧ ମଧ୍ୟରେ ଟିକସ ରିଟର୍ଣ୍ଣ ଦାଖଲ କରିଥିବେ ତେବେ ତାଙ୍କୁ ସର୍ବକ୍ଷମା ସ୍କିମ୍‌ର ଲାଭ ମିଳିବ। ଫର୍ମ ଜିଏସ୍‌ଟିଆର୍‌-୩ବି ଓ ଫର୍ମ ଜିଏସ୍‌ଟିଆର୍‌-୧/ଆଇଏଫ୍ଏଫ୍‌କୁ ଡିଜିଟାଲ୍ ସିଗ୍ନେଚର ସାର୍ଟିଫିକେଟ୍ ବଦଳରେ ଇଲେକ୍ଟ୍ରୋନିକ୍ ଯାଞ୍ଚ କୋଡ୍ ଜରିଆରେ ଦାଖଲ କରିବାର ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯାଇଛି।

ସମ୍ବନ୍ଧିତ ଖବର