ଜିଏସ୍‌ଟି କ୍ଷତିପୂରଣ: ବାକି ପଡ଼ିଛି ୧.୫୧ ଲକ୍ଷ କୋଟି

ନୂଆଦିଲ୍ଲୀ: କରୋନା ମହାମାରୀ ମୁକାବିଲା ଲାଗି ଘୋଷଣା କରାଯାଇଥିବା ଲକ୍‌ଡାଉନ୍ ପ୍ରଭାବରେ ଗତ ଏପ୍ରିଲ୍-ଅଗଷ୍ଟରେ ଜିଏସ୍‌ଟି ଆଦାୟ ହ୍ରାସ ପାଇଛି। ରାଜ୍ୟଗୁଡ଼ିକ ୧.୫୧ ଲକ୍ଷ କୋଟି ଟଙ୍କାର କ୍ଷତିପୂରଣ ରାଶି ପାଇବାକୁ ବାକି ଅଛି ବୋଲି କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି। ମହାରାଷ୍ଟ୍ର ସର୍ବାଧିକ ୨୨,୪୮୫ କୋଟି ଟଙ୍କା, କର୍ଣ୍ଣାଟକ ୧୩,୭୬୩ କୋଟି ଟଙ୍କା, ଉତ୍ତରପ୍ରଦେଶ ୧୧,୭୪୨ କୋଟି ଟଙ୍କା, ଗୁଜରାଟ ୧୧,୫୬୩ କୋଟି ଟଙ୍କା ଓ ତାମିଲନାଡୁ ୧୧,୨୬୯ କୋଟି ଟଙ୍କା ପାଇବାକୁ ବାକି ରହିଛି। ସେହିପରି ପଶ୍ଚିମବଙ୍ଗ ୭,୭୫୦ କୋଟି ଟଙ୍କା, କେରଳ ୭୦୭୭ କୋଟି ଟଙ୍କା, ପଞ୍ଜାବ ୬୯୫୯ କୋଟି ଟଙ୍କା, ଦିଲ୍ଲୀ ୬୯୩୧ କୋଟି ଟଙ୍କା, ରାଜସ୍ଥାନ ୬୩୧୨ କୋଟି ଟଙ୍କା, ତେଲେଙ୍ଗାନା ୫୪୨୪ କୋଟି ଟଙ୍କା ଓ ଛତିଶଗଡ଼ ୨୮୨୭ କୋଟି ଟଙ୍କା ପାଇବାକୁ ବାକି ରହିଛି।

ଆଜି ଲୋକସଭାରେ ଲିଖିତ ଉତ୍ତର ଦେଇ ଶ୍ରୀ ଠାକୁର କହିଛନ୍ତି ଯେ ରାଜ୍ୟଗୁଡ଼ିକୁ ଦିଆଯିବାକୁ ଥିବା ୧,୫୧,୩୬୫ କୋଟି ଟଙ୍କାର ଜିଏସ୍‌‌ଟି କ୍ଷତିପୂରଣ ରାଶି ବକେୟା ରହିଛି। ବକେୟା ରାଶି ସମ୍ପର୍କିତ ମାମଲାର ସମାଧାନ ବିଷୟରେ ଗତ ଅଗଷ୍ଟ ୨୭ରେ ଅନୁଷ୍ଠିତ ଜିଏସ୍‌‌ଟି ପରିଷଦର ୪୧ତମ ବୈଠକରେ ଆଲୋଚନା ହୋଇଥିଲା ଓ ଋଣ ଜରିଆରେ ଏହି ରାଶି ଦେବା ଲାଗି ରାଜ୍ୟଗୁଡ଼ିକୁ ଦୁଇଟି ବିକଳ୍ପ ପ୍ରଦାନ କରାଯାଇଛି। ରାଜ୍ୟଗୁଡ଼ିକ ଯେଉଁ ବିକଳ୍ପ ଚୟନ କରିବେ ସେହି ଅନୁସାରେ ସେମାନଙ୍କ ଲାଗି ଋଣ ଯୋଗାଡ଼ କରିବାର ବ୍ୟବସ୍ଥା କରାଯିବ। ଚଳିତ ଆର୍ଥିକ ବର୍ଷରେ ଜିଏସ୍‌ଟି ଆଦାୟ ଧାର୍ଯ୍ୟ ଲକ୍ଷ୍ୟ ଠାରୁ ୨.୩୫ ଲକ୍ଷ କୋଟି ଟଙ୍କା କମ୍ ରହିବ ବୋଲି ଆକଳନ କରାଯାଇଛି। କେନ୍ଦ୍ର ସରକାରଙ୍କ ହିସାବ ଅନୁସାରେ ଜିଏସ୍‌ଟି କାର୍ଯ୍ୟକାରିତା ପାଇଁ ୯୭ ହଜାର କୋଟି ଟଙ୍କା ଓ କୋଭିଡ୍‌-୧୯ ପ୍ରଭାବ ଲାଗି ୧.୩୮ ଲକ୍ଷ କୋଟି ଟଙ୍କାର ଅଭାବ ଦେଖାଦେବ। ମୋଟ ଉପରେ ୨.୩୫ ଲକ୍ଷ କୋଟି ଟଙ୍କାର ଅଭାବ ରହିବ। ଚଳିତ ଆର୍ଥିକ ବର୍ଷରେ ୬,୯୦,୫୦୦ କୋଟି ଟଙ୍କାର ଜିଏସ୍‌ଟି ଆଦାୟ କରିବାକୁ ବଜେଟ୍‌ରେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ସେଥି ମଧ୍ୟରୁ ଅଗଷ୍ଟ ସୁଦ୍ଧା ୧,୮୧,୦୫୦ କୋଟି ଟଙ୍କାର ଜିଏସ୍‌ଟି ଆଦାୟ କରାଯାଇଛି ଯାହା ବଜେଟ୍‌ରେ ଧାର୍ଯ୍ୟ କରାଯାଇଥିବା ଲକ୍ଷ୍ୟର ୨୬.୨ ପ୍ରତିଶତ ସହ ସମାନ। ରାଜସ୍ବ ଆୟରେ ଦେଖାଦେଇଥିବା ହ୍ରାସର କାରଣ ସମ୍ପର୍କରେ ଶ୍ରୀ ଠାକୁର କହିଛନ୍ତି ଯେ କରୋନା ମୁକାବିଲା ଲାଗି ଘୋଷଣା କରାଯାଇଥିବା ଲକ୍‌ଡାଉନ୍ ପାଇଁ ଜିଏସ୍‌ଟି ଆୟ ପ୍ରଭାବିତ ହୋଇଛି। ଋଣ ଜରିଆରେ କ୍ଷତିପୂରଣ ରାଶି ନେବା ଲାଗି କେନ୍ଦ୍ର ସରକାର ଦେଇଥିବା ପ୍ରସ୍ତାବକୁ ୧୩ଟି ରାଜ୍ୟ ଗ୍ରହଣ କରିଥିବା ଜଣାପଡ଼ିଛି। ଆନ୍ଧ୍ରପ୍ରଦେଶ, ବିହାର, ଗୁଜରାଟ, ହରିୟାନା, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମେଘାଳୟ, ସିକିମ, ତ୍ରିପୁରା, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଓ ଓଡ଼ିଶା ପ୍ରଥମ ବିକଳ୍ପକୁ ଚୟନ କରିଥିବା ବେଳେ ମଣିପୁର ହେଉଛି ଏକମାତ୍ର ରାଜ୍ୟ ଯାହା ଦ୍ବିତୀୟ ବିକଳ୍ପକୁ ଚୟନ କରିଛି। ଗୋଆ, ଆସାମ, ଅରୁଣାଚଳପ୍ରଦେଶ, ନାଗାଲ୍ୟାଣ୍ଡ୍‌, ମିଜୋରାମ ଓ ହିମାଚଳପ୍ରଦେଶ ଦିନେ ଦୁଇ ଦିନ ଭିତରେ ସେମାନଙ୍କ ପସନ୍ଦର ବିକଳ୍ପ ବିଷୟରେ ଜଣାଇବେ ବୋଲି କହିଛନ୍ତି।

ଜିଏସ୍‌ଟି କ୍ଷତିପୂରଣକୁ ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି। ଜିଏସ୍‌ଟି ନିୟମରେ ରାଜ୍ୟଗୁଡ଼ିକୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ କ୍ଷତିପୂରଣ ରାଶି ଦେବା ଲାଗି ସାମ୍ବିଧାନିକ ବ୍ୟବସ୍ଥା ରହିଛି। ତେବେ ବିପର୍ଯ୍ୟୟ ସମୟରେ ସରକାର କ୍ଷତିପୂରଣ ରାଶି ଦେବାକୁ ଅକ୍ଷମତା ପ୍ରକାଶ କରିପାରିବେ ବୋଲି ମଧ୍ୟ ନିୟମରେ ଉଲ୍ଲେଖ ରହିଛି। କେନ୍ଦ୍ର ସରକାର କରୋନା ମହାମାରୀକୁ ‘ଭଗବାନଙ୍କ ଦ୍ବାରା ସୃଷ୍ଟ ବିପର୍ଯ୍ୟୟ’ ଭାବେ ଅଭିହିତ କରିବା ସହ କ୍ଷତିପୂରଣ ରାଶି ଦେବାକୁ ଅକ୍ଷମତା ପ୍ରକାଶ କରିଛନ୍ତି। ତେବେ ଭାରତୀୟ ରିଜର୍ଭ ବ୍ୟାଙ୍କରେ ସ୍ବତନ୍ତ୍ର ବ୍ୟବସ୍ଥା କରି ଋଣ ଜରିଆରେ କ୍ଷତିପୂରଣ ରାଶି ରାଜ୍ୟଗୁଡ଼ିକୁ ଦେବା ଲାଗି ସରକାର ଦୁଇଟି ବିକଳ୍ପ ପ୍ରଦାନ କରିଛନ୍ତି। କ‌ଂଗ୍ରେସ ଓ ଅଣ ବିଜେପି ଶାସିତ ରାଜ୍ୟଗୁଡ଼ିକୁ ଏହାକୁ ଘୋର ବିରୋଧ କରୁଥିବା ବେଳେ କେନ୍ଦ୍ରର ଏହା ବିଶ୍ବାସଘାତକତା ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର