ନୂଆଦିଲ୍ଲୀ : ଜିଏସ୍ଟି ହାରରେ ପରିବର୍ତ୍ତନ ଆଣିବା ଲାଗି ରାଜ୍ୟର ମନ୍ତ୍ରୀମାନଙ୍କୁ ନେଇ ଗଠନ କରାଯାଇଥିବା ମନ୍ତ୍ରୀ ଗୋଷ୍ଠୀ ସହମତି ହାସଲରେ ବିଫଳ ହୋଇଛି। ଟିକସ ସ୍ଲାବ୍ ଓ ହାରରେ ପରିବର୍ତ୍ତନ ଆଣିବା ପ୍ରସ୍ତାବ ଉପରେ କିଛି ସଦସ୍ୟ ଆପତ୍ତି ଉଠାଇଛନ୍ତି। ତେବେ ୨୦୨୧ ନଭେମ୍ବର ୨୦ରେ ହୋଇଥିବା ବୈଠକରେ ଯେଉଁ ସବୁ ପ୍ରସଙ୍ଗରେ ସହମତି ହୋଇଥିବା ତାହାର ଏକ ଷ୍ଟାଟସ୍ ରିପୋର୍ଟ ମନ୍ତ୍ରୀ ଗୋଷ୍ଠୀ ପକ୍ଷରୁ ଜିଏସ୍ଟି ପରିଷଦକୁ ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି। ଚୂଡ଼ାନ୍ତ ରିପୋର୍ଟ ଦାଖଲ ଲାଗି ମନ୍ତ୍ରୀ ଗୋଷ୍ଠୀ ଅଧିକ ସମୟ ମାଗିବା ଉପରେ ବିଚାର କରୁଛି।
ଚଳିତ ମାସ ୨୮ ଓ ୨୯ରେ ଶ୍ରୀନଗରରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଜିଏସ୍ଟି ପରିଷଦର ବୈଠକ ବସିବ। ସେହି ବୈଠକରେ ଟିକସ ହାର ସମ୍ପର୍କିତ ସମସ୍ୟା ଉପରେ ଆଲୋଚନା କରାଯିବ। ଜିଏସ୍ଟି ପରିଷଦ ପକ୍ଷରୁ ଗତବର୍ଷ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସଭରାଜ ବୋମାଇଙ୍କ ନେତୃତ୍ବରେ ରାଜ୍ୟ ମନ୍ତ୍ରୀମାନଙ୍କୁ ନେଇ ଏକ ସାତ ଜଣିଆ ମନ୍ତ୍ରୀ ଗୋଷ୍ଠୀ ଗଠନ କରାଯାଇଥିଲା। ରାଜସ୍ବ ସଂଗ୍ରହ ବଢ଼ାଇବା ଲାଗି ଜିଏସ୍ଟି ହାରରେ କେଉଁ ଭଳି ପରିବର୍ତ୍ତନ ଦରକାର ତାହା ଜଣାଇବା ଲାଗି ମନ୍ତ୍ରୀଗୋଷ୍ଠୀକୁ ଦାୟିତ୍ବ ଦିଆଯାଇଥିଲା। ରିଫଣ୍ଡ୍କୁ କିଭଳି ହ୍ରାସ କରାଯିବ ଓ ଛାଡ଼ ତାଲିକାର ସମୀକ୍ଷା କରିବା ଲାଗି ମନ୍ତ୍ରୀ ଗୋଷ୍ଠୀକୁ କୁହାଯାଇଥିଲା।
ବର୍ତ୍ତମାନ ପ୍ରଚଳନରେ ଚାରି ଥାକିଆ ଜିଏସ୍ଟି ଢାଞ୍ଚା ରହିଛି। ସର୍ବନିମ୍ନ ଟିକସ ସ୍ଲାବ୍ ୫% ରହିଥିବା ବେଳେ ୧୨%, ୧୮% ଓ ସର୍ବୋଚ୍ଚ ୨୮%ର ସ୍ଲାବ୍ ମଧ୍ୟ ରହିଛି। ଏହା ବ୍ୟତୀତ ବିଳାସପୂର୍ଣ୍ଣ ଓ ହାନିକାରକ ପଦାର୍ଥ ଉପରେ ସେସ୍ ଲାଗୁ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/gst.jpg)