ଇନ୍‌ଫୋସିସ୍‌କୁ ଜିଏସ୍‌ଟି ପରିଷଦର ନିର୍ଦ୍ଦେଶ: ସାର, ଜୋତା, ପୋଷାକ ଦର ବୃଦ୍ଧି ଟଳିଲା

ଜିଏସ୍‌ଟି ନେଟୱାର୍କ ଜୁଲାଇ ସୁଦ୍ଧା ସୁଦୃଢ଼ କର

ନୂଆଦିଲ୍ଲୀ: ଜିଏସ୍‌ଟି ପରିଷଦର ଆଜିର ବୈଠକରେ ସାର, ହାତ ତିଆରି ତନ୍ତୁ, ପୋଷାକ ଏବଂ ଜୋତା ଉପରେ ଜିଏସ୍‌ଟି ସଂଶୋଧନ ଉପରେ କୌଣସି ନିଷ୍ପତ୍ତି ନିଆଯାଇନାହିଁ। ପରିଷଦର ଆଗାମୀ ବୈଠକରେ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯିବ। ଫଳରେ ଏସବୁର ଦର ବୃଦ୍ଧି କିଛିଦିନ ପାଇଁ ଟଳିଯାଇଛି। ଦେଶର ଅର୍ଥନୈତିକ ଅଭିବୃଦ୍ଧି ଭଲ ନଥିବାବେଳେ କରୋନାଜନିତ ପ୍ରଭାବ କାରଣରୁ ପଶ୍ଚିମବଙ୍ଗ ଭଳି କେତୋଟି ରାଜ୍ୟ ଜିଏସ୍‌ଟି ବୃଦ୍ଧିକୁ ବିରୋଧ କରିବାକୁ ପରିଷଦ ଏ ସବୁ ସାମଗ୍ରୀର ଟିକସ ବୃଦ୍ଧି ନିଷ୍ପତ୍ତି ନେଇ ନଥିବା କୁହାଯାଉଛି। ଅନ୍ୟପକ୍ଷରେ ବିମାନ ରକ୍ଷଣାବେକ୍ଷଣ, ମରାମତି ଆଦି ସେବା ପ୍ରଦାନକାରୀଙ୍କୁ ପରିଷଦ ରିହାତି ଦେଇଛି। ଏମ୍ଆର୍‌ଓ (ମେଣ୍ଟେନାନ୍ସ, ରିପେୟାର ଏବଂ ଓଭରହଲ୍) ସେବା ଉପରେ ଜିଏସ୍‌ଟିକୁ ୧୮ ପ୍ରତିଶତ ପରିବର୍ତ୍ତେ ୫ ପ୍ରତିଶତକୁ କମାଇ ଦିଆଯାଇଛି। ଏଥିସହିତ ସମ୍ପୂର୍ଣ୍ଣ ଇନ୍‌ପୁଟ୍ ଟ୍ୟାକ୍ସ କ୍ରେଡିଟ୍‌ (ଆଇଟିସି) ସୁବିଧା ମଧ୍ୟ ଏମାନଙ୍କୁ ପ୍ରଦାନ କରାଯାଇଛି। ଜିଏସ୍‌ଟି ନେଟୱାର୍କରେ ପରିବର୍ତ୍ତନ ଚଳିତବର୍ଷ ଜୁଲାଇ ସୁଦ୍ଧା କରିବା ପାଇଁ ପରିଷଦ ପକ୍ଷରୁ ଇନଫୋସିସ୍‌କୁ ନିର୍ଦ୍ଦେଶ ଦିଆଯାଇଛି। ଇନଫୋସିସ୍ ମୁଖ୍ୟ ନନ୍ଦନ ନିଲେକାନୀ ଜିଏସ୍‌ଟି ନେଟୱାର୍କରେ ପରିବର୍ତ୍ତନ କାର୍ଯ୍ୟ ୨୦୨୧ ଜାନୁଆରି ସୁଦ୍ଧା କରିବା ପାଇଁ ସମୟ ମାଗିଥିଲେ। ଏଥିସହିତ ଜିଏସ୍‌ଟି ପରିଷଦର ଆଗାମୀ ୩ଟି ବୈଠକରେ ନିଲେକାନୀ ଉପସ୍ଥିତ ରହି ଏ ସମ୍ପର୍କରେ ପରିଷଦକୁ ଅବଗତ କରାଇବା ଲାଗି କୁହାଯାଇଛି। ଏଥିସହିତ ସରକାରଙ୍କର ରାଜସ୍ବ ଆଦାୟ କମ୍ ରହୁଥିବାରୁ ରାଜ୍ୟ ଗୁଡ଼ିକୁ ଜିଏସ୍‌ଟି ବାବଦ କ୍ଷତିପୂରଣ ଦେବା ପାଇଁ ଉଦ୍ଧାର କରିପାରିବେ କି ନାହିଁ ତାହା ଉପରେ ପରିଷଦ ଆଇନଗତ ମତାମତ ଗ୍ରହଣ କରିବ। ଯଦି ଉଦ୍ଧାର କରିବ ତାହେଲେ ଏଥିପାଇଁ ଗ୍ୟାରେଣ୍ଟର କିଏ ରହିବ? ସଂସଦର ଚଳିତ ଅଧିବେଶନ ଶେଷ ହେବାର ଦୁଇ ସପ୍ତାହ ମଧ୍ୟରେ ଏ ନେଇ ପରିଷଦର ଏକ ସ୍ବତନ୍ତ୍ର ବୈଠକ ହେବ ବୋଲି କୁହାଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଆଜିର ବୈଠକ ହୋଇଥିଲା।

ସମ୍ବନ୍ଧିତ ଖବର