ଫରିଦାବାଦ: ସାମଗ୍ରୀ ଓ ସେବା ଟିକସ (ଜିଏସ୍ଟି) ସ୍ଲାବ୍ କମ୍ କରାଯାଇପାରିବ। ଏଥିପାଇଁ ସୁଯୋଗ ରହିଛି। ଯଦି ରାଜସ୍ୱ ଆଦାୟ ଉତ୍ସାହଜନକ ହେବ ତେବେ ଜିଏସ୍ଟି ସ୍ଲାବ୍ରେ ହ୍ରାସ କରାଯିବାର ସୁଯୋଗ ରହିଛି ବୋଲି ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲି କହିଛନ୍ତି।
ଜେଟ୍ଲିଙ୍କ ଏହି ମନ୍ତବ୍ୟରୁ ପରୋକ୍ଷ ଆଭାସ ମିଳୁଛି ଯେ ସରକାର ଜିଏସ୍ଟି ଟିକସ ସ୍ଲାବ୍ରେ ହ୍ରାସ କରିବା ଉପରେ ବିଚାର ବିମର୍ଶ ଆରମ୍ଭ କରିଦେଇଛନ୍ତି।
ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଛନ୍ତି ଯେ ଜିଏସ୍ଟି ୨-୩ ମାସ ହେଲା ଲାଗୁ ହୋଇଛି। ଆଗକୁ ଏଥିରେ ବହୁତ ଉନ୍ନତି ହୋଇପାରିବ। ଆମ ପାଖରେ ଏଥିରେ ଉନ୍ନତି ଆଣିବାର ସୁଯୋଗ ରହିଛି। ବିଶେଷ କରି କ୍ଷୁଦ୍ର ଟିକସଦାତାଙ୍କ ନିୟମ ପାଳନକୁ ନେଇ ଯେଉଁ ସମସ୍ୟା ରହିଛି, ସେଥିରେ ଉନ୍ନତି ଅଣାଯାଇପାରିବ ବୋଲି ସେ କହିଛନ୍ତି। ଜିଏସ୍ଟିରେ କୌଣସି ପ୍ରକାର ଉନ୍ନତି ଆଣିବା ପୂର୍ବରୁ ଆମକୁ ଟିକସ କ୍ଷେତ୍ରରେ ବିଶେଷ ସଫଳତା ହାସଲ କରିବାକୁ ପଡ଼ିବ। ଏହା ପରେ ଆମେ ବଡ଼ ସଂସ୍କାର ବିଷୟରେ ବିଚାର କରିପାରିବା ବୋଲି ସେ କହିଛନ୍ତି।
ବର୍ତ୍ତମାନ ଜିଏସ୍ଟିରେ ୫,୧୨,୧୮ ଓ ୨୮%ର ଚାରିଟି ସ୍ଲାବ୍ ରହିଛି। ଏହା ବ୍ୟତୀତ କେତେକ ସାମଗ୍ରୀ ଉପରେ ଅତିରିକ୍ତ ସେସ୍ ମଧ୍ୟ ଲାଗୁ କରାଯାଇଛି। ସମାଜର ପ୍ରତ୍ୟେକ ବର୍ଗ ପ୍ରରୋକ୍ଷ ଟିକସର ବୋଝ ବୋହି ଚାଲିଛନ୍ତି। ଲୋକମାନେ ଅଧିକ ମାତ୍ରାରେ ବ୍ୟବହାର କରୁଥିବା ସାମଗ୍ରୀଗୁଡ଼ିକ ଉପରୁ ଟିକସ ମାତ୍ରା କିଭଳି କମ୍ କରାଯାଇପାରିବ ସେ ଉପରେ ସରକାର ସବୁ ବେଳେ ବିଚାର କରୁଛନ୍ତି ବୋଲି ସେ କହିଛନ୍ତି।
ପ୍ରତ୍ୟକ୍ଷ ଟିକସ କେବଳ ସ୍ୱଚ୍ଛଳ ବର୍ଗର ଲୋକମାନେ ପ୍ରଦାନ କରିଥାନ୍ତି। ମାତ୍ର ପରୋକ୍ଷ ଟିକସ ସମସ୍ତେ ଗଣୁଛନ୍ତି। ତେଣୁ ସାଧାରଣ ଲୋକମାନେ ଅଧିକ ମାତ୍ରାରେ ବ୍ୟବହାର କରୁଥିବା ସାମଗ୍ରୀ ଉପରୁ କିଭଳି ଟିକସ ପରିମାଣ କମ୍ କରାଯାଇପାରିବ, ସେ ଉପରେ ଆମେ ବିତ୍ତୀୟ ନୀତିରେ ଗୁରୁତ୍ୱ ଦେଉଛୁ ବୋଲି ଜେଟ୍ଲି କହିଛନ୍ତି।
ଜେଟ୍ଲି କହିଛନ୍ତି ଯେ ଭାରତ ପାରମ୍ପରିକ ଭାବେ ଏଭଳି ଏକ ଦେଶ ଯେଉଁଠାରେ ଟିକସ ନିୟମ ଠିକ୍ ଭାବେ ପାଳନ କରାଯାଏ ନାହିଁ। କିନ୍ତୁ ଲୋକମାନେ ଯେତେବେଳେ ବିକାଶ ଦାବି କରୁଛନ୍ତି, ତାହା ପାଇବାକୁ ହେଲେ ସେମାନଙ୍କୁ କିଛିଟା ଦାୟିତ୍ୱ ନେବାକୁ ପଡ଼ିବ। ସବୁ ପ୍ରକାର ବିକାଶମୂଳକ କାର୍ଯ୍ୟ ଏବଂ ପ୍ରଶାସନ ପାଇଁ ରାଜସ୍ୱ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp