ଏଟିଏମ୍‌ ସେବାରେ ଲାଗିବ ଜିଏସ୍‌ଟି

ନୂଆଦିଲ୍ଲୀ: ମାଗଣାରେ ଏଟିଏମ୍, ଚେକ୍ ବୁକ୍ ଓ କ୍ରେଡିଟ୍ କାର୍ଡ ସେବା ପାଉଥିବା ଗ୍ରାହକମାନଙ୍କୁ ଆଉ କିଛି ଦିନ ପରେ ଜିଏସ୍‌ଟି ଗଣିବାକୁ ପଡ଼ିପା‌ରେ। କାରଣ ବ୍ୟାଙ୍କଗୁଡ଼ିକ ଏହି ସବୁ ସେବା ଉପରେ ଜିଏସ୍‌ଟି ଲଗାଇବା ଉପରେ ବିଚାର କରୁଛନ୍ତି। ଖାତାରେ ସର୍ବନିମ୍ନ ବାଲାନ୍ସ ରଖୁଥିବା ଗ୍ରାହକମାନଙ୍କୁ ବ୍ୟାଙ୍କଗୁଡ଼ିକ ଏଟିଏମ୍ ଓ ଚେକ୍ ବୁକ୍ ସେବା ମାଗଣାରେ ପ୍ରଦାନ କରୁଛନ୍ତି। ସେହି ସବୁ ସେବା ଉପରେ ଜିଏସ୍‌ଟି ଲାଗୁ କରିବା ବିଷୟରେ ସରକାର ବିଚାର କରୁଛନ୍ତି। ଏ ନେଇ ଟିକସ ବିଭାଗ ପକ୍ଷରୁ ଦେଶର କିଛି ବ୍ୟାଙ୍କକୁ ନୋଟିସ୍ ମଧ୍ୟ ପଠାଯାଇଛି। ବ୍ୟାଙ୍କଗୁଡ଼ିକ ତାହାକୁ ଗୁରୁତ୍ବର ସହ ନେଇଛନ୍ତି ଓ ଏହି ସବୁ ସେବା ଉପରେ ଜିଏସ୍‌ଟି ଲଗାଇବା ପାଇଁ ବିଚାରବିମର୍ଶ ଜାରି ରଖିଛନ୍ତି। ଏବାବଦରେ ଯେଉଁ ଟଙ୍କା ମିଳିବ ତାହା ସିଧାସଳଖ ସରକାରଙ୍କ ପାଖକୁ ଯିବ। ‌ଶୁଳ୍କ ପରିମାଣ ବ୍ୟାଙ୍କ ଅନୁଯାୟୀ ଭିନ୍ନ ଭିନ୍ନ ରହିବ। ମାଗଣାରେ ପ୍ରଦାନ କରାଯାଉଥିବା ସେବା ଉପରେ ୧୮% ଜିଏସ୍‌ଟି ଲଗାଇବା ପାଇଁ ଅନେକ ବ୍ୟାଙ୍କ ରାଜି ହୋଇଯାଇଥିବା ଜଣାପଡ଼ିଛି। ଡିସେମ୍ବର ମାସରୁ ଏହି ସବୁ ସେବା ଉପରୁ ଜିଏସ୍‌ଟି ଆଦାୟ ଆରମ୍ଭ ହୋଇଯାଇପାରେ।

ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ଏପ୍ରିଲ୍‌ ସେବା ବ୍ୟାଙ୍କଗୁଡ଼ିକ ଠାରୁ ସେବା କର ଆଦାୟ କରିବା ପାଇଁ ଏଭଳି ନୋଟିସ୍ ଜାରି କରାଯାଇଥିଲା। ତାହାକୁ ନେଇ ପ୍ରବଳ ବିବାଦ ଦେଖାଦେବାରୁ ନୋଟିସ୍‌କୁ ପ୍ରତ୍ୟାହାର କରିନିଆଯାଇଥିଲା। ଜିଏସ୍‌ଟି ସମ୍ପର୍କିତ ନୋଟିସ୍‌ ପୂର୍ବ ନୋଟିସ୍‌ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ବୋଲି ବିଶେଷଜ୍ଞମାନେ କହୁଛନ୍ତି। ଏଥର ନୋଟିସ୍‌କୁ ବ୍ୟାଙ୍କଗୁଡ଼ିକ ଗୁରୁତ୍ବର ସହ ନେଇଛନ୍ତି ଓ ତାହାକୁ ଲାଗୁ କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି ବୋଲି ସେମାନେ କହିଛନ୍ତି।

ସମ୍ବନ୍ଧିତ ଖବର