ଫେରିବ ଅଫର ଯୁଗ, ଅଫର ଉପରୁ ହଟିବ ଜିଏସ୍‌ଟି

କଂପାନି ପାଇବେ ଇନ୍‌ପୁଟ୍‌ କ୍ରେଡିଟ୍‌

ନୂଆଦିଲ୍ଲୀ: ଗୋଟିଏ କିଣିଲେ ଗୋଟିଏ ମାଗଣା। ଜିଏସ୍‌ଟି ଲାଗୁ ହେବା ପରେ ଏଭଳି ଲୋଭନୀୟ ଅଫର୍‌ ସବୁ ବନ୍ଦ ହୋଇଯାଇଛି। ପୁଣି ଥରେ ସେସବୁ ଅଫର ଫେରିବ। ଗ୍ରାହକଙ୍କୁ ନିଜ ପ୍ରତି ଆକୃଷ୍ଟ କରିବା ପାଇଁ କଂପାନିଠାରୁ ଆରମ୍ଭ କରି ଷ୍ଟୋର୍‌ ଓ ସୋ’ରୁମ୍‌ ପର୍ଯ୍ୟନ୍ତ ପ୍ରାୟ ସମସ୍ତେ ଲୋଭନୀୟ ଅଫର ଘୋଷଣା କରୁଥିଲେ। ମାତ୍ର, ଗତବର୍ଷ ଦେଶରେ ଜିଏସ୍‌ଟି ଲାଗୁ ହେବା ପରେ ଅଫର ଘୋଷଣା ଧାରା ବନ୍ଦ ହୋଇଯାଇଥିଲା। ମାଗଣା ଅଫର୍‌ ଉପରେ ଟିକସ ଲାଗୁ କରାଯାଇଥିଲା। ସେହି ଟିକସକୁ ପ୍ରତ୍ୟାହାର କରିବା ଉପରେ ଏବେ ବିଚାରବିମର୍ଶ ଚାଲିଛି। ମାଗଣା ଅଫର୍‌ ଉପରୁ ଜିଏସ୍‌ଟି ପ୍ରତ୍ୟାହାର କରିବା ପାଇଁ ଜିଏସ୍‌ଟି ପରିଷଦର ଆଇନ ଅନୁଧ୍ୟାନ କମିଟି ସୁପାରିସ୍‌ କରିଛି। ଖୁବ୍‌ଶୀଘ୍ର ଜିଏସ୍‌ଟି ପରିଷଦ ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରିବ। ଜିଏସ୍‌ଟି ଲାଗୁ ହେବା ପରେ ମାଗଣା ଅଫର୍‌ ଘୋଷଣା କରୁଥିବା ସଂସ୍ଥାଗୁଡ଼ିକ ଅଡ଼ୁଆରେ ପଡ଼ିଯାଇଥିଲେ। ସେମାନଙ୍କ ପାଖକୁ ଟିକସ ବିଭାଗରୁ ଘନ ଘନ ନୋଟିସ୍‌ ପହଞ୍ଚିଥିଲା। ମାଗଣାରେ ବଣ୍ଟାଯାଉଥିବା ସାମଗ୍ରୀ ଉପରେ ଟିକସ ପଇଠ କରିବାକୁ ସେମାନଙ୍କୁ କୁହାଯାଇଥିଲା। ଏଭଳି ନୋଟିସ ପାଇବା ପରେ କଂପାନିଗୁଡ଼ିକ ମାଗଣା ଅଫର୍‌ ବନ୍ଦ କରିଦେଇଥିଲେ। ଜିଏସ୍‌ଟି ଯୋଗୁ ଅଫର ଘୋଷଣା କରୁଥିବା ସଂସ୍ଥା ପାଇଁ ଦୁଇ ପ୍ରକାର ସମସ୍ୟା ଦେଖାଦେଇଥିଲା। ପ୍ରଥମ ସମସ୍ୟାଟି ହେଉଛି ଯେଉଁ ଜିନିଷକୁ ସେମାନେ ମାଗଣାରେ ଗ୍ରାହକଙ୍କୁ ଦେଲେ ତାହା ଉପରେ ସରକାର ଟିକସ ଦାବି କରୁଛନ୍ତି। ଦ୍ୱିତୀୟ ସମସ୍ୟାଟି ହେଲା ମାଗଣାରେ ଦିଆଯାଇଥିବା ଜିନିଷ ଉପରେ ଇନ୍‌ପୁଟ୍‌ କ୍ରେଡିଟ୍‌ ଦେବାକୁ ମଧ୍ୟ ସରକାର ମନା କରୁଛନ୍ତି। ଟିକସ ଚାପ ଓ ଇନ୍‌୍‌ପୁଟ୍‌ କ୍ରେଡିଟ୍‌ ନମିଳିବାର ଭୟ ଯୋଗୁ କଂପାନିଗୁଡ଼ିକ ଅଫର ଘୋଷଣା ବନ୍ଦ କରିଦେଇଛନ୍ତିି। ତେଲ, ସାବୁନ ଆଦି ବିକ୍ରି କରୁଥିବା କଂପାନି, ଔଷଧ ପୋଷାକ ବିକ୍ରି କରୁଥିବା କଂପାନିଗୁଡ଼ିକ ମାଗଣା ଅଫର ଘୋଷଣା କରୁଥିଲେ। ଔଷଧ କଂପାନିଗୁଡ଼ିକ ମାଗଣାରେ ଔଷଧର ଯେଉଁ ନମୁନା (ସାମ୍ପଲ୍‌) ବଣ୍ଟନ କରୁଥିଲେ ତାହା ଉପରେ ମଧ୍ୟ ଜିଏସ୍‌ଟି ଦାବି କରାଯାଉଛି। ଏହାକୁ ନେଇ ଔଷଧ କଂପାନିଗୁଡ଼ିକ ବେଶ ନିରୁତ୍ସାହିତ ହୋଇପଡ଼ିଛନ୍ତି।

ସମ୍ବନ୍ଧିତ ଖବର