ନୂଆଦିଲ୍ଲୀ: ସାମଗ୍ରୀ ଓ ସେବା ଟିକସ (ଜିଏସ୍ଟି)କୁ ଜୁଲାଇ ୧ ତାରିଖରେ ବର୍ଷେ ପୂରିବାକୁ ଯାଉଥିବାବେଳେ ଆଗାମୀ ଦିନରେ ଆହୁରି ଅଧିକ ସାମଗ୍ରୀ ଓ ସେବା ଉପରୁ ଜିଏସ୍ଟି ହାର ହ୍ରାସ କରାଯିବ ବୋଲି ଜଣାଯାଇଛି। ବିଶେଷକରି ନିର୍ମାଣ କ୍ଷେତ୍ରକୁ ପ୍ରୋତ୍ସାହନ ଦେବା ଲାଗି ସିମେଣ୍ଟ, ରଙ୍ଗ ଏବଂ ବୟନ ସାମଗ୍ରୀ ଆଦି ଉତ୍ପାଦର ଜିଏସ୍ଟି ହ୍ରାସ କରାଯିବ। ୨୯ଟି ସାମଗ୍ରୀ ଓ ୫୩ଟି ସେବାର ଜିଏସ୍ଟି ହାରରେ ପରିବର୍ତ୍ତନ ଆଣିବାର କିଛି ମାସ ପରେ ଜିଏସ୍ଟି ପରିଷଦ ଆଗାମୀ ଦିନରେ ଉପରୋକ୍ତ ନିଷ୍ପତ୍ତି ନେବାକୁ ଯାଉଛି ବୋଲି ଜଣାଯାଇଛି।
ଏତଦ୍ବ୍ୟତୀତ ଅନ୍ୟ କେତେକ ସାମଗ୍ରୀର ଟିକସ ହାରକୁ ମଧ୍ୟ ପରିଷଦ ଏପଟସେପଟ କରିବା ସମ୍ଭାବନା ରହିଛି। ବିଶେଷକରି ଯେଉଁ ସାମଗ୍ରୀର ଟିକସ ହାର ଅଧିକ ରହିଛି ଏବଂ ସରକାର ସେସବୁରୁ ଅଧିକ ରାଜସ୍ୱ ପାଉନାହାନ୍ତି ସେଗୁଡ଼ିକରେ ପରିବର୍ତ୍ତନ ଆଣିବେ। ୮୦ ପ୍ରତିଶତ ରାଜସ୍ୱ ସରକାର ଖୁବ୍ କମ୍ ସାମଗ୍ରୀରୁ ପାଉଥିବାବେଳେ ବହୁ ଅଧିକ ସାମଗ୍ରୀ ଉପରୁ ମାତ୍ର ୨୦ ପ୍ରତିଶତ ରାଜସ୍ୱ ପାଉଛନ୍ତି। ଏହାକୁ ୮୦: ୨୦ ଫର୍ମୁଲା କୁହାଯାଉଛି। ତେଣୁ ଆଗାମୀ ଦିନରେ ଅନେକ ସାମଗ୍ରୀର ଜିଏସ୍ଟି କମାଇବା ନେଇ ଅନୁଧ୍ୟାନ କରୁଛୁ ବୋଲି ଜଣେ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି। ଗତବର୍ଷ ନଭେମ୍ବରରେ ଗୌହାଟିଠାରେ ଅନୁଷ୍ଠିତ ଜିଏସ୍ଟି ପରିଷଦ ବୈଠକରେ ସିମେଣ୍ଟର ଜିଏସ୍ଟିକୁ ୨୮ ପ୍ରତିଶତରୁ କମାଇବା ପାଇଁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ଅନ୍ୟାନ୍ୟ ସାମଗ୍ରୀ ଉପରେ କରାଯାଇଥିବା ଟିକସ ହ୍ରାସ ଯୋଗୁଁ ସରକାରଙ୍କୁ ୨୦ ହଜାର କୋଟି ଟଙ୍କାର ରାଜସ୍ୱ କ୍ଷତି ହେଉଥିବାରୁ ସିମେଣ୍ଟର ଶୁଳ୍କ ହ୍ରାସକୁ ପରେ ସ୍ଥଗିତ ରଖାଯାଇଥିଲା। ସେହି ସମୟରେ ୨୦୦ରୁ ଊର୍ଧ୍ୱ ସାମଗ୍ରୀର ଜିଏସ୍ଟି ହ୍ରାସ କରାଯାଇଥିଲା। ୧୭୬ଟି ସାମଗ୍ରୀର ଜିଏସ୍ଟିକୁ ୨୮ ପ୍ରତିଶତରୁ ୧୮ ପ୍ରତିଶତକୁ କମାଇ ଦିଆଯାଇଥିଲା। ଫଳରେ ସର୍ବାଧିକ ବା ୨୮ ପ୍ରତିଶତ ଟିକସ ହାରରେ କେବଳ ୫୦ଟି ସାମଗ୍ରୀ ରହିଥିଲା। ସରକାରଙ୍କ ଦୀର୍ଘମିଆଦୀ ଲକ୍ଷ୍ୟ ହେଲା ୨୮ ପ୍ରତିଶତ ଟିକସ ବର୍ଗରେ ଥିବା ସାମଗ୍ରୀ ସଂଖ୍ୟାକୁ ଯଥାସମ୍ଭବ କମ୍ କରିବା। ଏଥିସହିତ ୧୮ ପ୍ରତିଶତ ଏବଂ ୧୨ ପ୍ରତିଶତ ଟିକସ ହାରକୁ ମିଶାଇ ଏକ ନୂଆ ଟିକସ ହାର ପ୍ରଚଳନ କରିବା।
ଆହୁରି ସରଳ କର: ଆଇଏମ୍ଏଫ୍
ଓ୍ଵାସିଂଟନ: ଭାରତ ଏହାର ଉଚ୍ଚ ଅଭିବୃଦ୍ଧିକୁ ବଜାୟ ରଖିବାକୁ ହେଲେ ତିନି ଚାରିଟି ସଂସ୍କାରକୁ ତ୍ୱରାନ୍ଵିତ କରିବା ଉପରେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ଗୁରୁତ୍ୱ ଦେଇଛି। ଏଗୁଡ଼ିକ ମଧ୍ୟରେ ଜିଏସ୍ଟିକୁ ସରଳ କରିବା ପ୍ରକ୍ରିୟା ଅନ୍ତର୍ଭୁକ୍ତ ରହିଛି। ଏତଦ୍ବ୍ୟତୀତ ବ୍ୟାଙ୍କିଙ୍ଗ ସଂସ୍କାର କରିବା, ବିତ୍ତୀୟ ଶୃଙ୍ଖଳା ବଜାୟ ରଖିବା ଏବଂ ସଂସ୍କାରର ଗତିକୁ ଅଧିକ ଶକ୍ତି ଦେବା ଆଦି ଆଇଏମ୍ଏଫ୍ର ପରାମର୍ଶ ଗୁଡ଼ିକ ମଧ୍ୟରେ ରହିଛି। ଆଗାମୀ ଦିନରେ ଭାରତର ଅଭିବୃଦ୍ଧିରେ ସୁଧାର ଧାରା ଅବ୍ୟାହତ ରହିବ ବୋଲି ଆଇଏମ୍ଏଫ୍ ଆକଳନ କରିଛି।
ସଂସଦର କେନ୍ଦ୍ରୀୟ ହଲ୍ରେ ଉତ୍ସବ
ଦେଶରେ ସାମଗ୍ରୀ ଏବଂ ସେବା ଟିକସ(ଜିଏସ୍ଟି)କୁ କାର୍ଯ୍ୟକାରୀ କରିବା ପାଇଁ ଦୀର୍ଘବର୍ଷ ଧରି ଚାଲି ଆସିଥିବା ପ୍ରୟାସ ୨୦୧୭ ଜୁନ୍ ୩୦ ତାରିଖ ରାତି ୧୨ଟାରେ ବାସ୍ତବ ରୂପ ନେଇଥିଲା। ଅର୍ଥାତ୍ ୨୦୧୭ ଜୁଲାଇ ୧ ତାରିଖରୁ ଏହାକୁ କାର୍ଯ୍ୟକାରୀ କରାଯାଇଥିଲା। ଏଥିପାଇଁ ସଂସଦର କେନ୍ଦ୍ରୀୟ ହଲ୍ରେ ଏକ ଐତିହାସିକ ଉତ୍ସବ ଗତବର୍ଷ ଜୁନ୍ ୩୦ ତାରିଖ ରାତିର ଆୟୋଜନ କରାଯାଇଥିଲା। ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ନୂଆ ଟିକସ ବ୍ୟବସ୍ଥାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଜିଏସ୍ଟି ବ୍ୟବସ୍ଥାକୁ ମୁଖ୍ୟତଃ ୫ ଥାକିଆ କରାଯାଇଥିଲା। ସେଗୁଡ଼ିକ ହେଲା ୦%, ୫%, ୧୨%, ୧୮% ଏବଂ ୨୮%। ସାଧାରଣ ଲୋକ ବ୍ୟବହାର କରୁଥିବା ଅନେକ ଗୁଡ଼ିଏ ସାମଗ୍ରୀକୁ ଶୂନ ପ୍ରତିଶତ ଟିକସ ବର୍ଗରେ ରଖାଯାଇଥିଲା। ୧୨୦୦ରୁ ଅଧିକ ସାମଗ୍ରୀ ଏବଂ ସେବାକୁ ୫ ପ୍ରତିଶତ, ୧୨ ପ୍ରତିଶତ, ୧୮ ପ୍ରତିଶତ ଏବଂ ୨୮ ପ୍ରତିଶତ ମଧ୍ୟରେ ରଖାଯାଇଥିଲା।
୧୮ ହଜାର ଘଣ୍ଟାର ପରିଶ୍ରମ
ଜିଏସ୍ଟି ପାଇଁ ୨୦୧୬ ଅଗଷ୍ଟରୁ ୨୦୧୭ ଜୁନ୍ ୩୦ ମଧ୍ୟରାତ୍ରି ପର୍ଯ୍ୟନ୍ତ ଅଧିକାରୀମାନଙ୍କର ୧୭୫ ଥର ବୈଠକ ହୋଇଥିଲା। ଜିଏସ୍ଟି ପରିଷଦର ମଧ୍ୟ ୧୮ ଥର ବୈଠକ ଅନୁଷ୍ଠିତ ହୋଇଥିଲା। ଅଧିକାରୀଏବଂ ଜିଏସ୍ଟି ପରିଷଦର ସଦସ୍ୟମାନେ ୧୮ ହଜାର ଘଣ୍ଟାରୁ ଅଧିକ ସମୟ ପରିଶ୍ରମ କରିଥିଲେ। ଜିଏସ୍ଟି ପାଇଁ ୩୦ଟି ଉପଗୋଷ୍ଠୀ ଓ କମିଟି ଗଠନ କରାଯାଇଥିଲା। ୧୨୦୦ରୁ ଅଧିକ ସାମଗ୍ରୀ ଏବଂ ୫୦୦ରୁ ଅଧିକ ସେବାର ଟିକସ ହାର ନିର୍ଧାରଣ କରିବା ପାଇଁ ଏସବୁ କମିଟି ଅନେକ ପରିଶ୍ରମ କରିଛି। ଜିଏସ୍ଟି କାର୍ଯ୍ୟକାରୀ ହେବା ଦିନ ପର୍ଯ୍ୟନ୍ତ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ଜିଏସ୍ଟି ପରିଷଦର ବୈଠକ ୧୮ଥର ବସିଥିଲା।
କ’ଣ ଲାଭ ମିଳିଛି
ଅଗ୍ରୀମ ଟିକସ ଆଦାୟ ବଢ଼ିଛି। ଜିଏସ୍ଟି ଲାଗୁ ହେବା ପରେ ବ୍ୟକ୍ତିଗତ ଆୟକର ପଇଠ ୪୪% ବଢ଼ିଥିବା ବେଳେ କର୍ପୋରେଟ୍ ଟିକସ ଦାଖଲ ୧୭% ବଢ଼ିଛି।
ଅଭିବୃଦ୍ଧି ତ୍ୱରାନ୍ଵିତ ହୋଇଛି। ଜିଏସ୍ଟି ଲାଗୁ ହେବା ପରବର୍ତୀ ତ୍ରୟମାସଗୁଡ଼ିକରେ ଦେଶର ଅଭିବୃଦ୍ଧି ହାରରେ ଉନ୍ନତି ପରିଲକ୍ଷିତ ହୋଇଛି। ଖର୍ଚ ବଢ଼ିବା ସହିତ କଂପାନିଗୁଡ଼ିକର ବିକ୍ରି ବଢ଼ିଛି। ସେମାନଙ୍କୁ ଅଧିକ ଲାଭ ମିଳିଛି।
ଅଧିକ ଲୋକ ଟିକସ ପରିସରକୁ ଆସିଛନ୍ତି। ପ୍ରତି ମାସରେ ନୂଆ ଟିକସଦାତା ସାମିଲ ହେଉଛନ୍ତି। ଅଧିକ ବ୍ୟବସାୟୀ ଟିକସ ପଇଠ କରୁଛନ୍ତି। ଟିକସଦାତାଙ୍କ ସଂଖ୍ୟାରେ ୬୪.୬% ବୃଦ୍ଧି ହୋଇଛି।
ଟିକସ ଆଦାୟରେ ଉଲ୍ଲେଖନୀୟ ବୃଦ୍ଧି ହେଇଛି। ଜିଡିପି ଟିକସ ଅନୁପାତ ୧.୫% ପର୍ଯ୍ୟନ୍ତ ବଢ଼ିଛି।
ମୁଦ୍ରାସ୍ଫୀତି ହାର ବଢ଼ିନାହିଁ। ବିଶ୍ୱର ଯେଉଁ ସବୁ ଦେଶରେ ଜିଏସ୍ଟି ଲାଗୁ କରାଯାଇଥିଲା, ପ୍ରଥମ ବର୍ଷରେ ସେଠାରେ ମୁଦ୍ରାସ୍ଫୀତି ହାର ବଢ଼ିଥିଲା। କିନ୍ତୁ ଭାରତରେ ସେଭଳି ସ୍ଥିତି ଦେଖିବାକୁ ମିଳିନାହିଁ।
ଭାରତ ଗୋଟିଏ ବଜାରରେ ପରିଣତ ହୋଇଛି। ରାଜ୍ୟ ସୀମାଗୁଡ଼ିକରେ ଟ୍ରକ୍ର ଲମ୍ବା ଲାଇନ୍ କମିଛି। ମାଲ୍ ପରିବହନକୁ ନେଇ ରହିଥିବା ଅନେକ ପ୍ରତିବନ୍ଧକ ଦୂର ହୋଇଛି।
କାଶ୍ମୀରଠାରୁ ଆରମ୍ଭ କରି କନ୍ୟାକୁମାରୀ ପର୍ଯ୍ୟନ୍ତ ଗୋଟିଏ ପ୍ରକାର ଟିକସ ଲାଗୁ ହୋଇଛି।
ଇଫିଏଫ୍ଓ ସଦସ୍ୟଙ୍କ ସଂଖ୍ୟା ବଢ଼ିଛି।
କ’ଣ ସମାଧାନ ହୋଇନି
ଜିଏସ୍ଟି ନିୟମ ପାଳନ ଠିକ୍ ଭାବେ ହେଉନାହିଁ। ବ୍ୟବସାୟୀମାନେ ନିୟମକୁ ଠିକ୍ ଭାବେ ବୁଝିପାରୁନାହାନ୍ତି। ପ୍ରଯୁକ୍ତିର ବ୍ୟବହାର ଭଲ ଭାବେ ଜଣାନଥିବାରୁ ସଠିକ୍ ରିଟର୍ଣ୍ଣ ଫାଇଲ୍ କରିପାରୁନାହାନ୍ତି। ସେଥିପାଇଁ ରିଟର୍ଣ୍ଣ ଫର୍ମକୁ ସରଳ କରାଯାଇଛି। ତଥାପି ଏଥିରେ ଆହୁରି ସରଳୀକରଣର ଆବଶ୍ୟକତା ରହିଛି।
ଜିଏସ୍ଟି ପଞ୍ଜୀକରଣ ଏକ ଜଟିଳ ବ୍ୟାପାର ହୋଇ ରହିଛି। ଶିଳ୍ପ ସଂସ୍ଥାଗୁଡ଼ିକ ପଞ୍ଜୀକରଣ ବେଳେ ବହୁତ ଅସୁବିଧା ସାମ୍ନା କରୁଛନ୍ତି। କେତେକ ମାମଲାରେ ସବୁ ରାଜ୍ୟରେ ପଞ୍ଜୀକରଣ କରିବାକୁ ପଡ଼ୁଛି। ଏକାଧିକ ପଞ୍ଜୀକରଣ ଯୋଗୁଁ କଂପାନିଗୁଡ଼ିକର ରିଟର୍ଣ୍ଣ ଫାଇଲ୍ ବେଳେ ଭୁଲ ହେବା ଭୟ ରହୁଛି।
ଜିଏସ୍ଟିରେ ନୂଆ ପ୍ରକାର ସେସ୍କୁ ନେଇ ସମସ୍ୟା ରହିଛି। ଲକ୍ଜୁରି ସେସ୍ ଓ ହାନିକାରକ ଦ୍ରବ୍ୟ ସେସ୍ ବ୍ୟତୀତ ଚିନି ଉପରେ ସେସ୍ ଲଗାଇବା ଉପରେ ସରକାର ବିଚାର କରୁଛନ୍ତି।
ରପ୍ତାନିକାରୀଙ୍କୁ ଠିକ୍ ଭାବେ ରିଫଣ୍ଡ୍ ମିଳୁନାହିଁ।