ଅନ୍‌ଲାଇନ୍‌ରେ ହେବ ଜିଏସ୍‌ଟି ମାମଲାର ସମାଧାନ

ଭୁବନେଶ୍ବର: କରୋନା ମହାମାରୀ ପରିପ୍ରେକ୍ଷୀରେ ସରକାରୀ କାର୍ଯ୍ୟାଳୟ ଗୁଡ଼ିକରେ ଲୋକଙ୍କ ଯା’ଆସ ଉପରେ କଟକଣା ଲଗାଯାଇଛି। ତେଣୁ ଟିକସଦାତାମାନଙ୍କୁ ଅନଲାଇନ ମାଧ୍ୟମରେ ସେମାନଙ୍କ ମାମଲାର ସମାଧାନ ପାଇଁ ବାଣିଜ୍ୟ କର ଓ ଜିଏସଟି କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ଭାଟ୍, ସିଏସଟି, ଇଟି ଆଇନ ଆଦି କ୍ଷେତ୍ରରେ ଟିକସଦାତା ଓ ଟିକସ ପରାମର୍ଶଦାତାମାନେ ଇମେଲ୍ ମାଧ୍ୟମରେ ସେମାନଙ୍କ ଦସ୍ତଖତର ସ୍କାନ କପି, ଫଟୋ ପରିଚୟପତ୍ର ଓ ଅନ୍ୟାନ୍ୟ ଆବଶ୍ୟକ ଦସ୍ତାବିଜ ଆଦିକୁ କର୍ତ୍ତୃପକ୍ଷଙ୍କ ନିକଟକୁ ପଠାଇବେ। ଜିଏସଟି ମାମଲାରେ ଟିକସଦାତାମାନେ ଜିଏସ୍‌ଟି କମନ ପୋର୍ଟାଲରେ ତଥ୍ୟ ଆଦି ଦାଖଲ କରିବେ।

ଏସବୁ ଇ-ମେଲ୍ ପାଇବା ପରେ ସଂପୃକ୍ତ ଟିକସ କର୍ତ୍ତୃପକ୍ଷ ଜେଆଇଟିଏସଆଇ ମିଟ୍‌ ବା ଗୁଗୁଲ୍ ମିଟ୍ ବା ଜୁମ୍ ଆଦିରେ ଭିଡିଓ କନ‌ଫରେନ୍ସିଂ ବ୍ୟବସ୍ଥା କରିବେ। ଭିଡିଓକନଫରେନ୍ସିଂ ମାଧ୍ୟମରେ କେବେ ମାମଲା ଗୁଡ଼ିକର ଶୁଣାଣି ହେବ ସେ ସମ୍ପର୍କରେ ଆଗୁଆ ଟିକସଦାତାମାନଙ୍କୁ ଇମେଲ୍ ଓ ଏସଏମଏସ ମାଧ୍ୟମରେ ଜଣାଇ ଦିଆଯିବ। ସଂପୃକ୍ତ ଟିକସ ଅଧିକାରୀଙ୍କ ଅଫିସିଆଲ୍ ଇମେଲ୍ ଆଇଡି ଖୁବଶୀଘ୍ର ବାଣିଜ୍ୟ କର ଓ ଜିଏସଟି ସଂଗଠନର ୱେବ ଡାଇରେକ୍ଟୋରିରେ ପ୍ରକାଶ ପାଇବ। କ୍ଷେତ୍ରୀୟ କାର୍ଯ୍ୟାଳୟଗୁଡ଼ିକରେ ମଧ୍ୟ ଏହା ଉପଲବ୍ଧ ହେବ। ଲକଡାଉନ୍ ଅବଧିରେ ଟିକସଦାତାଙ୍କ ମାମଲାର ତୁରନ୍ତ ସମାଧାନ ପାଇଁ ଏଭଳି ପଦକ୍ଷେପ ନିଆଯାଇଛି। ଟିକସଦାତା ଓ ଟିକସ ପରାମର୍ଶଦାତାମାନେ ସେମାନଙ୍କ ଘରୁ ଓ କାର୍ଯ୍ୟାଳୟରେ ରହି ମାମଲାର ସମାଧାନ କରିପାରିବେ ବୋଲି ବାଣିଜ୍ୟକର ଓ ଜିଏସଟି କମିସନରଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାଯାଇଛି।

ସମ୍ବନ୍ଧିତ ଖବର