ନୂଆଦିଲ୍ଲୀ: ଜିଏସ୍ଟି ପରିଷଦର ୫୨ତମ ବୈଠକରେ ଆଜି ଅନେକଗୁଡ଼ିଏ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ସେଥିମଧ୍ୟରେ ମିଲେଟ୍ ଏକ ପ୍ରମୁଖ ଉତ୍ପାଦ ରହିଛି। ଖୋଲାରେ ବିକ୍ରି ହେଉଥିବା ମିଲେଟ ଚୂନାକୁ ଜିଏସ୍ଟି ସଂପୂର୍ଣ୍ଣ ଛାଡ଼ କରାଯାଇଛି। ତେବେ ପୂର୍ବରୁ ପ୍ୟାକ୍ ଏବଂ ଲେବେଲ୍ ହୋଇଥିବା ଅଟାଜାତୀୟ ସାମଗ୍ରୀ ଯେଉଁଥିରେ ମିଲେଟ ଚୂନାର ଅଂଶ ୭୦ ପ୍ରତିଶତ ରହିଛି ତାହା ଉପରେ ଜିଏସ୍ଟି ୧୮ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ କରାଯାଇଛି। ମିଲେଟର ଅନେକ ସ୍ବାସ୍ଥ୍ୟଗତ ଉପକାରିତା ରହିଛି। ତେଣୁ ସ୍ବାସ୍ଥ୍ୟ ସଚେତନ ଗ୍ରାହକଙ୍କ ମଧ୍ୟରେ ମିଲେଟଜାତୀୟ ସାମଗ୍ରୀରୁ ପ୍ରସ୍ତୁତ ଖାଦ୍ୟର ଚାହିଦା ବୃଦ୍ଧି ପାଇଛି। ସରକାର ମଧ୍ୟ ମିଲେଟରେ ପ୍ରସ୍ତୁତ ଖାଦ୍ୟକୁ ପ୍ରୋତ୍ସାହନ ଦେଉଛନ୍ତି। ତେଣୁ ସାଧାରଣ ଲୋକ ଯେଭଳି ମିଲେଟରୁ ପ୍ରସ୍ତୁତ ଖାଦ୍ୟ ସୁଲଭ ମୂଲ୍ୟରେ ପାଇପାରିବେ ତାହାକୁ ଦୃଷ୍ଟିରେ ରଖି ଜିଏସ୍ଟିରେ ଏଭଳି ହ୍ରାସ କରାଯାଇଛି। ଏଥିସହିତ ଜିଏସଟି ପରିଷଦ ମୋଲାସେସ୍ ଉପରେ ଟିକସ ହାର ୨୮ ପ୍ରତିଶତରୁ ୫ ପ୍ରତିଶତକୁ କମାଇଛନ୍ତି। ଏହାଦ୍ବାରା ଆଖୁକଳଗୁଡ଼ିକ ମୋଲାସେସ୍କୁ ଶୀଘ୍ର ବିକ୍ରି କରି ଆଖୁଚାଷୀଙ୍କ ଦେୟ ପ୍ରଦାନ କରିବାରେ ସକ୍ଷମ ହେବେ। କେବଳ ସେତିକି ନୁହେଁ ଗୋଖାଦ୍ୟ ଉତ୍ପାଦନ ବାବଦ ବ୍ୟୟ ମଧ୍ୟ ହ୍ରାସ ପାଇବ। ଏଥିସହିତ ଇଏନଏ (ଏକ୍ସଟା ନ୍ୟୁଟ୍ରାଲ ଆଲକହଲ)ର ଏଣ୍ଟ୍ରି ପାଇଁ ଜିଏସଟି ରେଟ୍ ନୋଟିଫିକେସନରେ ସଂଶୋଧନକୁ ପରିଷଦ ମଞ୍ଜୁରି ଦେଇଛି। ଶିଳ୍ପରେ ବ୍ୟବହାର ପାଇଁ ବିକ୍ରି ହେଉଥିବା ଇଏନଏ ଉପରେ ୧୮ ପ୍ରତିଶତ ଜିଏସଟି ଲାଗୁଛି। କିନ୍ତୁ ମନୁଷ୍ୟ ବ୍ୟବହାର ପାଇଁ ଡିଷ୍ଟିଲ୍ଡ ଆଲକହଲକୁ ଜିଏସ୍ଟିମୁକ୍ତ କରାଯାଇଛି।
ଖୋଲାରେ ବିକ୍ରି ମିଲେଟ ଚୂନା ସଂପୂର୍ଣ୍ଣ ଜିଏସ୍ଟି ଛାଡ଼
୭୦% ମିଲେଟ ଥିବା ଚୂନା ଜିଏସଟି ୫%କୁ ହ୍ରାସ
ମୋଲାସେସ୍ ଉପରେ ଟିକସ ୨୮ରୁ ୫%କୁ କମିଲା
ଜିଏସଟିଏଟି ସଭାପତିଙ୍କ ବୟସ ସୀମା ୨ ବର୍ଷ ବୃଦ୍ଧି
ଇଏନଏ ଉପରେ ଟିକସ ଅଧିକାର ରାଜ୍ୟକୁ ମିଳିଲା
ପରିଷଦର ବୈଠକ ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଇଏନଏ ଉପରେ ଟିକସ ଲଗାଇବା ଅଧିକାର ରାଜ୍ୟଗୁଡ଼ିକର ନାହିଁ। ଏହା କେନ୍ଦ୍ର ଏବଂ ଜିଏସଟି ପରିଷଦର ଅଧିକାର ପରିସରଭୁକ୍ତ ବୋଲି ଅଦାଲତ କହିଥିଲେ। ତେବେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଉତ୍ତମ ସଂପର୍କକୁ ଧ୍ୟାନରେ ରଖି ରାଜ୍ୟଗୁଡ଼ିକୁ ଏହି କ୍ଷମତା ପ୍ରଦାନ କରାଯିବାକୁ ଜିଏସଟି ପରିଷଦ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଯଦି ରାଜ୍ୟଗୁଡ଼ିକ ଏହା ଉପରେ ଟିକସ ଲଗାଇବାକୁ ଚାହିବେ ତାହେଲେ ତାହା କରିପାରିବେ। ଯଦି ଚାହିବେ ଟିକସ ଲଗାଇବା ମଧ୍ୟ ପାରିବେ। ଭାରତୀୟ ରେଳବାଇ ଜରିଆରେ ଯୋଗାଣ ହେଉଥିବା ସମସ୍ତ ଉତ୍ପାଦ ଓ ସେବା ଉପରେ ଫରୱାର୍ଡ ଚାର୍ଜ ମେକାନିଜିମ୍ରେ ଟିକସ ଲାଗୁ କରାଯିବାକୁ ନିଷ୍ପତ୍ତି ହୋଇଛି। ଏହାଦ୍ବାରା ଆଇଟିସି ଦାବି କରାଯାଇ ପାରିବ। ଫଳରେ ଭାରତୀୟ ରେଳବାଇର ଖର୍ଚ୍ଚ କମିବ। ଜିଏସଟି ଆପିଲେଟ ଟ୍ରିବ୍ୟୁନାଲରେ ସଭାପତିଙ୍କ ବୟସ ସୀମା ୬୭ ବର୍ଷରୁ ୭୦ ବର୍ଷକୁ ବୃଦ୍ଧି କରାଯାଇଛି। ସେହିଭଳି ସଭ୍ୟମାନେ ମଧ୍ୟ ୬୭ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିପାରିବେ। ସେମାନେ ଏବେ ୬୫ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରି ପାରୁଛନ୍ତି। ଉଭୟ ସଭାପତି ଏବଂ ସଦସ୍ୟଙ୍କ ପାଇଁ ସର୍ବନିମ୍ନ ବୟସ ୫୦ ବର୍ଷ ରହିଛି।
ଜିଏସଟି କାଉନସିଲ ଜଳ ଯୋଗାଣ, ଜନସ୍ୱାସ୍ଥ୍ୟ, ପରିମଳ ସଂରକ୍ଷଣ, କଠିନ ବର୍ଜ୍ୟବସ୍ତୁ ପରିଚାଳନା ଏବଂ ବସ୍ତି ଉନ୍ନତି ଏବଂ ସରକାରୀ କର୍ତ୍ତୃପକ୍ଷଙ୍କୁ ଯୋଗାଇ ଦିଆଯାଉଥିବା ଉନ୍ନତୀକରଣ ସେବାକୁ ଜିଏସଟି ଛାଡ଼ କରିଛି। ଧାତବ ପଲିଷ୍ଟର ଫିଲ୍ମ/ପ୍ଲାଷ୍ଟିକ୍ ଫିଲ୍ମରୁ ପ୍ରସ୍ତୁତ ହୋଇଥିବା ଇମିଟେସନ ଜରି ସୁତା ଉପରେ ଜିଏସଟି ୫ ପ୍ରତିଶତକୁ ହ୍ରାସ କରାଯାଇଛି। ବାର୍ଲିକୁ ମଲ୍ଟରେ ପରିଣତ କରିବା ଲାଗି ହେଉଥିବା ହାତ କାର୍ଯ୍ୟ ଉପରେ ଜିଏସଟି ୧୮ ପ୍ରତିଶତରୁ ୫ ପ୍ରତିଶତକୁ କମାଇ ଦିଆଯାଇଛି। ଯଦି କୌଣସି ହୋଲଡିଂ କମ୍ପାନି କର୍ପୋରେଟ୍ ଗ୍ୟାରେଣ୍ଟି ପ୍ରଦାନ କରେ ତାହେଲେ ମୂଳ କମ୍ପାନି ଦ୍ବାରା ଗ୍ୟାରେଣ୍ଟି ପ୍ରଦାନ କରାଯାଇଥିବା ସମସ୍ତ ରାଶି ଉପରେ ୧୮ ପ୍ରତିଶତ ଜିଏସଟି ଆଦାୟ ହେବ। ୨୦୨୩ ମାର୍ଚ୍ଚ ୩୧ ସୁଦ୍ଧା କିମ୍ବା ତା ପୂର୍ବରୁ ଡିମାଣ୍ଡ ଅର୍ଡର ଉପରେ ଆବେଦନ ପାଇଁ ଏକ ସର୍ବକ୍ଷମା ଯୋଜନାକୁ ସୁପାରିସ କରାଯାଇଛି। ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ଆବେଦନ କରାଯାଇ ନଥିବାରୁ ଯେଉଁସବୁ ଆବେଦନ ବାତିଲ କରି ଦିଆଯାଇଥିଲା ତାହାକୁ ୨୦୨୪ ଜାନୁଆରି ୩୧ ପର୍ଯ୍ୟନ୍ତ ଆବେଦନ କରିବା ସୁବିଧା ମିଳିବ।