ନୂଆଦିଲ୍ଲୀ: ଚଳିତ ସପ୍ତାହରେ ଅନୁଷ୍ଠିତ ଜିଏସ୍‌ଟି ପରିଷଦ ବୈଠକରେ ବିଭିନ୍ନ ସାମଗ୍ରୀର ଟିକସ ହ୍ରାସ ଘୋଷଣା କରାଯାଇଛି। ଏସବୁକୁ ଆସନ୍ତା ୨୨ ତାରିଖରୁ କାର୍ଯ୍ୟକାରୀ କରାଯିବ। ଏଭଳି ସ୍ଥିତିରେ ଏଫ୍‌ଏମ୍‌ସିଜି କମ୍ପାନିଗୁଡ଼ିକ ଅଡ଼ୁଆରେ ପଡ଼ିଛନ୍ତି। ମାଲ ପରିବହନ ଏବଂ ଲେବଲିଂ ଜନିତ ସମସ୍ୟା ଦେଖାଦେବାକୁ ଥିବାରୁ ସେମାନଙ୍କ ଅଡ଼ୁଆ ବଢ଼ିଯାଇଛି। ତେଣୁ ସେମାନେ ଏହା ଜାଣିବାକୁ ଚାହିଛନ୍ତି ଯେ ଜିଏସ୍‌ଟି ହ୍ରାସ ବାବଦ ଲାଭକୁ ସେମାନେ ଅଧିକ ଓଜନର ସାମଗ୍ରୀ ପ୍ରଦାନ ଆକାରରେ ଗ୍ରାହକଙ୍କୁ ଦେଇ ପାରିବେ କି ନାହିଁ। ବିଶେଷକରି ଅଧିକ ମାତ୍ରାରେ ବିକ୍ରି ହେଉଥିବା ଛୋଟ ଛୋଟ ପ୍ୟାକେଟ୍‌ କ୍ଷେତ୍ରରେ ସେମାନେ ଏ ନେଇ ସ୍ପଷ୍ଟତା ଲୋଡ଼ିଛନ୍ତି। 

Advertisment

କମ୍ପାନିଗୁଡ଼ିକ ଏ‌ ନଇ ଅର୍ଥ ମନ୍ତ୍ରାଳୟ ଏବଂ ଖାଉଟି ବ୍ୟାପାର ମନ୍ତ୍ରାଳୟ ନିକଟରେ ସେମାନଙ୍କ ଦାବି ଉପସ୍ଥାପନ କରିଛନ୍ତି। ସଂଶୋଧିତ ଜିଏସ୍‌ଟି କାର୍ଯ୍ୟକାରୀ କରିବା ଲାଗି ଅତିକମ୍‌ରେ ୩୦ ଦିନ ସମୟ ଦେବାକୁ ସେମାନେ ମତ ରଖିଛନ୍ତି।  ପାଖରେ ଥିବା ସାମଗ୍ରୀର ପ୍ୟାକେଟ୍‌ଗୁଡ଼ିକ ସରିବା ପର୍ଯ୍ୟନ୍ତ ଏହି ସୁବିଧା ସେମାନଙ୍କୁ ଦେବାଲାଗି କୁହାଯାଇଛି। ଏହାଦ୍ବାରା କୌଣସି ସାମଗ୍ରୀ ନଷ୍ଟ ହେବନାହିଁ କିମ୍ବା ଜିଏସ୍‌ଟିକୁ କାର୍ଯ୍ୟକାରୀ କରିବାରେ କୌଣସି ଅସୁବିଧା ହେବନାହିଁ। ପୂର୍ବରୁ ଯେଉଁସବୁ ପ୍ୟାକେଟ୍‌ ଉପରେ ଦର ଛପାଯାଇଛି ସେଗୁଡ଼ିକ ଶେଷ ହୋଇନାହିଁ। ତେଣୁ ସେଗୁଡ଼ିକୁ ପରିଚାଳନା କରିବା କଷ୍ଟକର ହେବ ବୋଲି ପାର୍ଲେର ଉପସଭାପତି ମୟଙ୍କ ଶାହ କହିଛନ୍ତି। ଏଥିସହ ଦର ହ୍ରାସର ଲାଭ କିଭଳି ଗ୍ରାହକଙ୍କ ନିକଟରେ ପହଞ୍ଚିବ ସେ ନେଇ ମଧ୍ୟ ଆମେ ସ୍ପଷ୍ଟତା ‌ଲୋଡ଼ିଛୁ ବୋଲି ସେ କହିଛନ୍ତି। ନୂଆ ଜିଏସ୍‌ଟି ହାର କାର୍ଯ୍ୟକାରୀ ହେବା ପରେ ବିକ୍ରି ନହୋଇ ରହି ଯାଇଥିବା ସାମଗ୍ରୀକୁ କିଭଳି ପରିଚାଳନା କରାଯିବ ସେ ନେଇ ଡିଷ୍ଟ୍ରିବ୍ୟୁଟରମାନେ କମ୍ପାନିଗୁଡ଼ିକଠାରୁ ମତାମତ ଲୋଡ଼ିଲେଣି। କମ୍ପାନିଗୁଡ଼ିକର କହିବା କଥା ହେଲା ଗୋଦାମ ଏବଂ ଦୋକାନରେ ଥିବା ସାମଗ୍ରୀଗୁଡ଼ିକ ବର୍ତ୍ତମାନର ଜିଏସ୍‌ଟି ହାର ଅନୁଯାୟୀ ହିସାବ ହୋଇଛି। ସେଗୁଡ଼ିକୁ ପ୍ରତ୍ୟାହାର କରିବା ଲାଗି ସମୟ ଲାଗିବ। ଅନେକ କମ୍ପାନି ପାର୍ବଣକୁ ଦୃଷ୍ଟିରେ ରଖି ଅଧିକ ସାମଗ୍ରୀ ଉତ୍ପାଦନ ଓ ପ୍ୟାକେଜିଂ କରି ପୂର୍ବରୁ ରଖି ସାରିଛନ୍ତି। 

ଅଧିକ ବିକ୍ରି ହେଉଥିବା ପ୍ୟାକ୍‌ଗୁଡ଼ିକର ଦର ସମାନ ରଖି ଗ୍ରାହକଙ୍କୁ ଅଧିକ ପରିମାଣର ସାମଗ୍ରୀ ଦେବା କିମ୍ବା ପ୍ରିଣ୍ଟ୍‌ ହୋଇଥିବା ପ୍ୟାକେଟ୍‌ଗୁଡ଼ିକୁ ବ୍ରିକି କରି ଗ୍ରାହକଙ୍କୁ ଟିକସ ହ୍ରାସ ଜନିତ ଲାଭ ଡିସକାଉଣ୍ଟ ଆକାରରେ ଦେବାଲାଗି ସେମାନେ ମତବ୍ୟକ୍ତ କରିଛନ୍ତି। ଏଥିସହିତ ସମାନ ଏଚ୍‌ଏସ୍‌ଏନ୍‌ କୋଡ୍‌ ଥିବା କେତେକ ସାମଗ୍ରୀ ଉପରେ ମଧ୍ୟ କମ୍ପାନିଗୁଡ଼ିକ ସ୍ପଷ୍ଟତା ମାଗିଛନ୍ତି। ଅନେକ କମ୍ପାନି ୧୦ ଟଙ୍କିଆ ଏବଂ ୨୦ ଟଙ୍କିଆ ଭଳି ଲୋକପ୍ରିୟ ପ୍ୟାକେଟ୍‌ର ମୂଲ୍ୟରେ ପରିବର୍ତ୍ତନ ନଆଣି ଗ୍ରାହକଙ୍କୁ ଜିଏସ୍‌ଟି ହ୍ରାସର ଲାଭ ଅଧିକ ଓଜନର ସାମଗ୍ରୀ ଆକାରରେ ମଧ୍ୟ ପ୍ରଦାନ କରିପାରନ୍ତି।  ୨୦୧୭ ମସିହାରେ ଦେଶରେ ଜିଏସ୍‌ଟି କାର୍ଯ୍ୟକାରୀ ହେବା ସମୟରେ ଗ୍ରାହକଙ୍କୁ ଏବାବଦ ଲାଭ ପ୍ରଦାନ କରି ନଥିବାରୁ କେତେକ କମ୍ପାନି ଅଡ଼ୁଆରେ ପଡ଼ିଥିଲେ। ସେମାନଙ୍କୁ ଟିକସ ନୋଟିସ୍‌ ଦିଆଯାଇଥିଲା। ଦେଶବ୍ୟାପୀ ଖୁଚୁରା ବିକ୍ରେତାମାନଙ୍କ ନିକଟରେ କିଭଳି ଶୀଘ୍ର ସଂଶୋଧିତ ଜିଏସ୍‌ଟି ହାରରେ ସାମଗ୍ରୀ ପହଞ୍ଚିବ ତାହା ଉପରେ କାର୍ଯ୍ୟ ଚାଲିଛି ବୋଲି ଚକଲେଟ୍‌ କମ୍ପାନି ମାର୍ସ ରିଗଲେ ଇଣ୍ଡିଆର ସାଧାରଣ ପରିଚାଳକ ଅହମଦ ଅବଦିଲ ୱାହବ କହିଛନ୍ତି।