ନୂଆଦିଲ୍ଲୀ: ନିକଟରେ ଅନୁଷ୍ଠିତ ଜିଏସ୍‌ଟି ପରିଷଦର ଦୁଇଦିନିଆ ‌ବୈଠକରେ ଐତିହାସିକ ନିଷ୍ପତ୍ତିକ୍ରମେ ଜିଏସ୍‌ଟି ହାର ହ୍ରାସ କରାଯାଇଥିଲା। ୧୨ ପ୍ରତିଶତ ଓ ୨୮ ପ୍ରତିଶତ ସ୍ଲାବ୍‌କୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରାଇଥିଲା। ୫% ଓ ୧୮% ସ୍ଲାବ୍‌କୁ ରଖାଯିବା ସହିତ ୪୦ ପ୍ରତିଶତର ନୂଆ ସ୍ଲାବ୍‌ ଲାଗୁ କରାଯାଇଥିଲା। କିନ୍ତୁ ସଫଳତା ସେହି ଦୁଇଦିନରେ ମିଳିନଥିଲା। ସେଥିପାଇଁ କେନ୍ଦ୍ର ସରକାର ଛଅ ମାସ ତଳୁ କାମ ଆରମ୍ଭ କରିଥିଲେ। ସବୁଠୁ ବଡ଼ କାମ ଥିଲା ଅଣ ଏନ୍‌ଡିଏ ଶାସିତ ରାଜ୍ୟମାନଙ୍କୁ ମନାଇବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ପଷ୍ଟ ବାର୍ତ୍ତା ଥିଲା ରାଜ୍ୟମାନଙ୍କ ‌ସ୍ବାର୍ଥର ସମ୍ପୂର୍ଣ୍ଣ ସୁରକ୍ଷା କରାଯିବ ବୋଲି ସେମାନଙ୍କୁ ବିଶ୍ବାସ ଦେବା। ମଧ୍ୟବିତ୍ତଙ୍କୁ ଆଶ୍ବସ୍ତି ଦେବା ଜରୁରୀ। ଏକଥା ରାଜ୍ୟମାନଙ୍କୁ ବୁଝାଇବାରେ କେନ୍ଦ୍ର ସରକାର ସଫଳ ହୋଇଥିଲେ। 

Advertisment

ବିରୋଧୀ ଦଳ ଦ୍ବାରା ଶାସିତ ରାଜ୍ୟମାନଙ୍କ ସହ କ’ଣ ଆଲୋଚନା କରାଯିବ, ସେହି ରଣନୀତି ପ୍ରଥମେ ପ୍ରସ୍ତୁତ ହୋଇଥିଲା। ଛଅ ମାସ ଧରି ବିଭିନ୍ନ ରାଜ୍ୟମାନଙ୍କ ସହ ଆଲୋଚନା ହୋଇଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ରାଜ୍ୟଗୁଡ଼ିକ ରାଜସ୍ବହାନିକୁ ନେଇ ଆଶଙ୍କା ପ୍ରକଟ କରିଥିଲେ। କିଛି ରାଜ୍ୟ ଜିଏସ୍‌ଟି ପରିଷଦ ବୈଠକ ହେବା ପର୍ଯ୍ୟନ୍ତ ସହମତ ହୋଇନଥିଲେ। ବିଜ୍ଞାନ ଭବନରେ ହୋଇଥିବା ବୈଠକ ସନ୍ଧ୍ୟା ୭ଟାରେ ଶେଷ ହେବାର ଥିଲା। କିନ୍ତୁ ସବୁ ରାଜ୍ୟଙ୍କୁ ମନାଇବା ଲାଗି ରାତି ୯ଟା ୩୦ ପର୍ଯ୍ୟନ୍ତ ଆଲୋଚନା ହୋଇଥିଲା। ସେଥିପାଇଁ ପରିଷଦର ନିଷ୍ପତ୍ତି ରାତି ୧୦ଟାରେ ଘୋଷଣା କରାଯାଇଥିଲା। ଜିଏସ୍‌ଟି ପରିଷଦ ବୈଠକରେ ପଞ୍ଜାବ ଓ ପଶ୍ଚିମବଙ୍ଗ ଶୀଘ୍ର ଜିଏସ୍‌ଟି ହ୍ରାସ ଉପରେ ରାଜି ହୋଇଯାଇଥିଲେ। କିନ୍ତୁ କର୍ଣ୍ଣାଟକ ଓ କେରଳକୁ ମନାଇବା କଷ୍ଟକର ହୋଇଥିଲା। କ୍ଷତିପୂରଣ ପାଇଁ ସେମାନେ ଦୃଢ଼ ପ୍ରତିଶ୍ରୁତି ମାଗିଥିଲେ। ଏଭଳିକି ଆଗାମୀ ଦିନ ପର୍ଯ୍ୟନ୍ତ ଆଲୋଚନା ହେଉ ବୋଲି ସେମାନେ ଚାହୁଥିଲେ। ଏହି ଦୁଇ ରାଜ୍ୟ ରାଜି ନ ହେବାରୁ ମତଦାନ ଜରିଆରେ ନିଷ୍ପତ୍ତି ବାହାର କରିବା ବିଷୟରେ ବିଚାର କରାଯାଇଥିଲା। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବହୁ ବିଳମ୍ବରେ ସେଥିରେ ରାଜି ବି ହୋଇଥିଲେ। କିନ୍ତୁ ସେହି ସମୟରେ ପଶ୍ଚିମବଙ୍ଗ ହସ୍ତକ୍ଷେପ କରି କର୍ଣ୍ଣାଟକ ଓ କେରଳକୁ ବୁଝାଇବାରେ ସଫଳ ହୋଇଥିଲା। ସେହିଭଳି ଭାବେ ଜିଏସ୍‌ଟି ପରିଷଦ ସର୍ବସମ୍ମତି ହାସଲ କରିବାରେ ସଫଳ ହୋଇଥିଲା।