ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ମାଣାଧୀନ ଘର ଉପରେ ଗୋଟିଏ ହାରରେ ଟିକସ ଆଦାୟ ପାଇଁ ନିଷ୍ପତ୍ତି ନିଆଯିବା ପରେ ବି ବିଲଡରମାନେ ଗ୍ରାହକଙ୍କୁ ଯୋଗାଇ ଦେଉଥିବା ବିଭିନ୍ନ ସୁବିଧା ପାଇଁ ଭିନ୍ନ ଭିନ୍ନ ହାରରେ ଜିଏସଟି ଆଦାୟ କରୁଥିଲେ। କିନ୍ତୁ ପଶ୍ଚିମବଙ୍ଗର ଅଥରିଟି ଅନ୍ ଆଡଭାନ୍ସ ରୁଲିଂ (ଏଏଆର୍) ଏହା ଉପରେ ଅଙ୍କୁଶ ଲଗାଇ ଦେଇଛନ୍ତି। ଏଏଆର୍‌ ତାଙ୍କ ରାୟରେ କହିଛନ୍ତି, ଆପାର୍ଟମେଣ୍ଟରେ ଅଧିକ ସୁବିଧାସୁଯୋଗ ମିଳୁଥିବା ସ୍ଥାନ ବା ପ୍ରିଫରେନ୍ସିଆଲ ଲୋକେସନ୍ ଏବଂ କାର୍‌ ପାର୍କିଂ ଭଳି ସୁବିଧାକୁ ‘କମ୍ପୋଜିଟ୍ କନଷ୍ଟ୍ରକସନ ସର୍ଭିସ’ ଭାବେ ଗ୍ରହଣ କରାଯିବ। ଘର କ୍ରୟ ପାଇଁ ଯେତିକି ଜିଏସଟି ଲାଗୁ ହେଉଛି ଏସବୁ ସୁବିଧା ପାଇଁ ମଧ୍ୟ ସେହି ହାରରେ ଜିଏସଟି ଆଦାୟ କରାଯିବ। ଏଏଆର୍‌ର ରାୟ ଅନୁଯାୟୀ, ଏବେ ବିଲ୍‌ଡରମାନଙ୍କୁ ସୁଲଭ ମୂଲ୍ୟର ଘର ସହିତ ‌ଜଡିତ ସେବା ଉପରେ ୫ ପ୍ରତିଶତ ଏବଂ ଅନ୍ୟ ଘର ଉପରେ ୮ ପ୍ରତିଶତ ଜିଏସ୍‌ଟି ଲାଗୁ ହେବ। ନିର୍ମାଣାଧୀନ ଘର ପାଇଁ ‌ଜିଏସଟି ପରିଷଦ ଟିକସ ହ୍ରାସ କରି ସାରିଥିଲେ ମଧ୍ୟ କେତେକ ବିଲଡର ଘର କ୍ରେତାଙ୍କଠାରୁ ଏସବୁ ସେବା ପାଇଁ ୧୮ ପ୍ରତିଶତ ହାରରେ ଜିଏସ୍‌ଟି ଆଦାୟ କରୁଥିଲେ। କନସଲ୍‌ଟିଂ ଫାର୍ମ କେପିଏମ୍‌ଜିର ପାର୍ଟନର ହରପ୍ରୀତ ସିଂହ କୁହନ୍ତି, ପ୍ରିଫରେନସିଆଲ ଲୋକେସନ୍ ଚାର୍ଜେସ(ପିଏଲ୍‌ସି), ପାର୍କିଂ ଚାର୍ଜେସ, ଟ୍ରାନ୍ସଫର ଫି, ଏକ୍ସଟରନାଲ ଡେଭଲପମେଣ୍ଟ ଚାର୍ଜେସ, ଇଣ୍ଟରନାଲ ଡେଭଲପମେଣ୍ଟ ଚାର୍ଜେସ, ଡକ୍ୟୁମେଣ୍ଟ ଚାର୍ଜେସ ଭଳି ଆନୁସଙ୍ଗିକ ସେବା ପାଇଁ ଜିଏସଟି ‌ଲାଗୁ ହେବା ପୂର୍ବରୁ ସେବା ଟିକସ ବ୍ୟବସ୍ଥାରେ ମଧ୍ୟ ବିବାଦ ରହିଥିଲା। ବର୍ତମାନ ଏଏଆରଙ୍କର ଏହି ରାୟ ଆସିବା ପରେ ସେହି ଦ୍ବନ୍ଦ୍ବ ମଧ୍ୟ ଦୂର ହୋଇଯାଇଛି। ଏସବୁ ସେବା ପାଇଁ ଏବେ କମ୍ ହା‌ରରେ ଜିଏସଟି ଲାଗିବ। ଅର୍ଥାତ୍ ଘର କ୍ରୟ ପାଇଁ ଯେତିକି ଜିଏସଟି ଆଦାୟ କରାଯାଉଛି ଏସବୁ ସେବା ପାଇଁ ମଧ୍ୟ ସେତିକି ଜିଏସଟି ଆଦାୟ କରାଯିବ।