ଜିଏସ୍‌ଟି ଝଟ୍‌କା: ଏପ୍ରିଲରେ ୮୭% କମିଲା

ମୁମ୍ବାଇ: ଲକ୍‌ଡାଉନ୍ ପାଇଁ ଦେଶରେ ଅର୍ଥନୈତିକ କାର୍ଯ୍ୟକଳାପ ବହୁମାତ୍ରାରେ ପ୍ରଭାବିତ ହୋଇଛି। ଏଥିଯୋଗୁଁ ସରକାରଙ୍କ ଜିଏସ୍‌ଟି ଆଦାୟ ରାଶି ସାଂଘାତିକ ମାତ୍ରାରେ ହ୍ରାସ ପାଇଛି। ଏପ୍ରିଲ ମାସରେ କେନ୍ଦ୍ର ସରକାରଙ୍କ ଜିଏସଟି ଆଦାୟ ରାଶି ପୂର୍ବବର୍ଷ ମାର୍ଚ୍ଚ ତୁଳନାରେ ୮୭ ପ୍ରତିଶତ ହ୍ରାସ ପାଇଛି। ଗତବର୍ଷ ଏପ୍ରିଲରେ ସରକାର କେନ୍ଦ୍ରୀୟ ଜିଏସଟି ବାବଦରେ ୪୬,୮୪୮ କୋଟି ଟଙ୍କା ଆଦାୟ କରିଥିବାବେଳେ ଚଳିତବର୍ଷ ଏପ୍ରିଲରେ ଏହା ୫୯୩୪ କୋଟି ଟଙ୍କାରେ ସୀମିତ ରହିଯାଇଛି।

ଦେଶରେ ମାର୍ଚ୍ଚ ମାସର ଅର୍ଥନୈତିକ କାର୍ଯ୍ୟକଳାପ ଏଥିରେ ପ୍ରତିଫଳିତ ହୋଇଛି। କରୋନା ସଂକ୍ରମଣକୁ ରୋକିବା ପାଇଁ ଦେଶବ୍ୟାପୀ ଲକଡାଉନ୍ ମାର୍ଚ୍ଚ ୨୫ ତାରିଖରୁ କାର୍ଯ୍ୟକାରୀ କରାଯାଇଥିଲା। ଏଥିସହିତ ଜିଏସଟି ରିଟର୍ଣ୍ଣ ଦାଖଲ କରିବା ପାଇଁ ଟିକସଦାତାମାନଙ୍କୁ ମଧ୍ୟ ଅଧିକ ସମୟ ପ୍ରଦାନ କରାଯାଇଥିଲା। ରିଟର୍ଣ୍ଣ ଦାଖଲ ଅବଧି ଘୁଞ୍ଚାଯାଇଥିବାରୁ ଦେଶକୁ ଏପ୍ରିଲ ମାସରେ ଜିଏସଟି ବାବଦରେ କେତେ ରାଶି ମିଳିଛି ତାହା ଆକଳନ କରିବା ସମ୍ଭବ ହୋଇନାହିଁ। କାରଣ କେନ୍ଦ୍ରୀୟ ଜିଏସଟି ତୁଳନାରେ ରାଜ୍ୟ ଜିଏସଟି ଆଦାୟ ରାଶି ଅଧିକ ରହୁଛି। ଯେପରିକି ଚଳିତବର୍ଷ ମାର୍ଚ୍ଚରେ କେନ୍ଦ୍ରୀୟ ଜିଏସଟି (ସିଜିଏସଟି) ରାଶି ୧୯,୧୮୩ କୋଟି ଟଙ୍କା ରହିଥିବାବେଳେ ରାଜ୍ୟ ଜିଏସଟି (ଏସଜିଏସଟି) ରାଶି ୨୫୬୦୧ କୋଟି ଟଙ୍କା ରହିଥିଲା। ଆଇଜିଏସଟି ଏବଂ ସେସ୍‌ ବାବଦ ରାଶି ମଧ୍ୟ ରହିଛି। ଏପ୍ରିଲ ମାସରେ ସରକାର ଉଭୟ ପ୍ରତ୍ୟକ୍ଷ ଓ ପରୋକ୍ଷ ଟିକସ ବାବଦରେ ୬୭,୫୫୭ କୋଟି ଟଙ୍କା ଆଦାୟ କରିଛନ୍ତି। ଗତବର୍ଷ ଏପ୍ରିଲରେ ଏହି ରାଶି ୧.୨୧ ଲକ୍ଷ କୋଟି ଟଙ୍କାରେ ରହିଥିଲା।

ସମ୍ବନ୍ଧିତ ଖବର