ନୂଆଦିଲ୍ଲୀ: ଦେଶରେ ଗତ ଜୁଲାଇରୁ ସାମଗ୍ରୀ ଏବଂ ସେବା ଟିକସ (ଜିଏସ୍‌ଟି) କାର୍ଯ୍ୟକାରୀ ହେଉଛି। ଏଥିରେ ୪ଟି ସ୍ଲାବ୍‌ ରହିଛି। ସେଗୁଡ଼ିକ ହେଲା ୫, ୧୨, ୧୮ ଏବଂ ୨୮ ପ୍ରତିଶତ। ଏଥିସହିତ ସୁନା ଉପରେ ଜିଏସଟି ହାର ୩ ପ୍ରତିଶତ ରହିଥିବାବେଳେ କେତେକ ଅତ୍ୟାବଶ୍ୟକ ସାମଗ୍ରୀକୁ ଜିଏସ୍‌ଟି ପରିସରରୁ ବାଦ୍‌ ଦିଆଯାଇଛି। ଏତଦ୍‌ବ୍ୟତୀତ ଲୋକଙ୍କ ସ୍ୱାସ୍ଥ୍ୟ ଏବଂ ପରିବେଶ ଉପରେ ପ୍ରତିକୂଳ ପ୍ରଭାବ ପକାଉଥିବା ସାମଗ୍ରୀ ଉପରେ ୨୮ ପ୍ରତିଶତ ଜିଏସ୍‌ଟି ଉପରେ ସେସ୍‌ ବା ଉପକର ଆଦାୟ କରାଯାଉଛି। ଜିଏସ୍‌ଟିର ଏତେଗୁଡ଼ିଏ ସ୍ଲାବ୍‌ ରହିଥିବାରୁ ଏହାକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଉଛି। ଏହି ସମାଲୋଚନା ପରେ ନିକଟରେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି ଜିଏସ୍‌ଟି ସ୍ଲାବ୍‌କୁ କମାଇବା ସୁଯୋଗ ରହିଛି ବୋଲି ସଙ୍କେତ ମଧ୍ୟ ଦେଇଛନ୍ତି। ଜିଏସ୍‌ଟି ଲାଗୁ ହେବା ପୂର୍ବରୁ ସରକାରଙ୍କୁ ମିଳୁଥିବା ଟିକସ ରାଶି ଯଦି ଜିଏସ୍‌ଟିରେ ମିଳେ ତାହେଲେ ସ୍ଲାବ୍‌ କମାଇବା ସୁଯୋଗ ରହିଥିବା ସେ କହିଛନ୍ତି। ଜେଟ୍‌ଲିଙ୍କ ଏହି ଆଭାସ ପରେ ଜିଏସ୍‌ଟି ସ୍ଲାବ୍‌କୁ ନେଇ ଆଲୋଚନା ପର୍ଯ୍ୟାଲୋଚନା ଆରମ୍ଭ ହୋଇଯାଇଛି। ତେବେ ଜିଏସ୍‌ଟି ହାରରେ ପରିବର୍ତ୍ତନ କରିଲେ ସରକାର ତଳସ୍ତରରେ ଏବେ ରହିଥିବା ୫ ପ୍ରତିଶତ ଜିଏସ୍‌ଟି ହାରକୁ ୪ ପ୍ରତିଶତକୁ କମାଇପାରନ୍ତି। ସେହିଭଳି ମଧ୍ୟମ ସ୍ତରରେ ରହିଥିବା ୧୨ ଏବଂ ୧୮ ପ୍ରତିଶତ ଜିଏସ୍‌ଟି ହାରକୁ ମିଶାଇ ୧୬ ପ୍ରତିଶତର ଏକ ଜିଏସ୍‌ଟି ହାର ଧାର୍ଯ୍ୟ କରିପାରନ୍ତି। କିଛି ବର୍ଷ ପୂର୍ବେ ଏକ ବିଶେଷଜ୍ଞ କମିଟି ମଧ୍ୟ ୧୬ ପ୍ରତିଶତ ଜିଏସ୍‌ଟି ହାର ନେଇ ମତ ଦେଇଥିଲା। ଏତଦ୍‌ବ୍ୟତୀତ କୌଟିଲ୍ୟଙ୍କ ଅର୍ଥଶାସ୍ତ୍ରରେ ମଧ୍ୟମାନ ଟିକସ ହାର ୧୬.୩୩ ପ୍ରତିଶତ ରହିବା ନେଇ ଉଲ୍ଲେଖ ରହିଛି। ତେଣୁ ସରକାର ମଧ୍ୟମ ଧରଣର ଜିଏସ୍‌ଟି ହାରକୁ ୧୬ ପ୍ରତିଶତରେ ରଖିବା ସମ୍ଭାବନା ରହିଛି। ସେହିଭଳି ପ୍ରତକ୍ଷ୍ୟ ଟିକସ କ୍ଷେତ୍ରରେ ସର୍ବୋଚ୍ଚ ଟିକସ ହାରକୁ ୨୫ ପ୍ରତିଶତକୁ କମାଇବାର ଯୋଜନା ରଖାଯାଇଥିବାରୁ ଜିଏସ୍‌ଟିରେ ମଧ୍ୟ ସର୍ବୋଚ୍ଚ ଟିକସ ହାର ୨୮ ପ୍ରତିଶତରୁ ୨୪ ପ୍ରତିଶତକୁ ଖସାଇବା ଯୁକ୍ତିଯୁକ୍ତ ମନେହୁଏ। ତେଣୁ ଆଗାମୀ ଦିନରେ ଯଦି ସରକାର ଏବଂ ଜିଏସ୍‌ଟି ପରିଷଦ ଜିଏସ୍‌ଟି ହାରରେ କୌଣସି ପରିବର୍ତ୍ତନ ଆଣନ୍ତି ତାହେଲେ ଏହାକୁ ୪ ପ୍ରତିଶତ, ୧୬ ପ୍ରତିଶତ ଏବଂ ୨୪ ପ୍ରତିଶତ କରାଯିବାର ଯଥେଷ୍ଟ ସମ୍ଭାବନା ରହିଛି।