ଘାରିଲା ରାଜସ୍ବ ଚିନ୍ତା, ବଦଳିବ ଜିଏସ୍‌ଟି ହାର

ଉଚ୍ଛେଦ ହେବ ୫% ସ୍ଲାବ୍, ୩% ଓ ୮% ସ୍ଲାବ୍ ଯୋଜନା, ମିଳିବ ଅଧିକ ଦେଢ଼ଲକ୍ଷ କୋଟି

ନୂଆଦିଲ୍ଲୀ: ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଲାଗୁ ହେବା‌ପରେ ରାଜ୍ୟମାନେ ଯେଉଁ କ୍ଷତିପୂରଣ ପାଉଥିଲେ ଆସନ୍ତା ଜୁନ ମାସ ପରେ ଆଉ ମିଳିବ ନାହିଁ। କ୍ଷତିପୂରଣ ଅବଧି ବଢ଼ାଇବା ଲାଗି ରାଜ୍ୟମାନେ ଦାବି କରୁଥିଲେ ମଧ୍ୟ କେନ୍ଦ୍ର ସରକାର ଏଥିଲାଗି ପ୍ରସ୍ତୁତ ନୁହେଁ। ଅନ୍ୟପକ୍ଷରେ ରାଜ୍ୟମାନଙ୍କୁ ଅନ୍ୟ ଉପାୟ‌େରେ ରାଜସ୍ବ ଦେବାଲାଗି ଜିଏସଟି ବ୍ୟବସ୍ଥାରେ ବଡ଼ ଧରଣର ପରିବର୍ତ୍ତନ କରିବ‌ାକୁ ଯୋଜନା କରାଯାଇଛି। ବର୍ତ୍ତମାନ ଯେଉଁ ୫%ର ସ୍ଲାବ୍ ରହିଛି ତାହା ସମ୍ପୂର୍ଣ୍ଣ ରୂପେ ଉଚ୍ଛେଦ ହେବ। ଏହା ବଦଳରେ ୩% ଏବଂ ୮%ର ନୂତନ ସ୍ଲାବ୍ ଲାଗୁ କରାଯିବ। ଏବେ ୫% ସ୍ଲାବ୍‌ରେ ଯେଉଁ ସବୁ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀଗୁଡ଼ିକ ରହିଛି ସେଥିରୁ ଅଧିକାଂଶ ୩% ସ୍ଲାବ୍‌ରେ ସାମିଲ କରାଯିବ ଓ ବଳକା ସାମଗ୍ରୀଗୁଡ଼ିକୁ ୮% ସ୍ଲାବ୍‌ରେ ସାମିଲ କରାଯିବ। ଏହାଦ୍ବାରା ବାର୍ଷିକ ଦେଢ଼ ଲକ୍ଷ କୋଟିରୁ ଅଧିକ ରାଜସ୍ବ ମିଳିବ। ନୂତନ ବ୍ୟବସ୍ଥାରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଉପକୃତ ‌ହେବେ।

ବର୍ତ୍ତମାନ ଦେଶରେ ୫%, ୧୨%, ୧୮% ଓ ୨୮% ଭଳି ଚାରି ଥାକିଆ ଜିଏସ୍‌ଟି ବ୍ୟବସ୍ଥା ରହିଛି। ଏହାବାଦ୍ ସୁନା ଓ ଗହଣା ଉପରେ ୩% ଜିଏସ୍‌ଟି ଧାର୍ଯ୍ୟ କରାଯାଇଛି। କିନ୍ତୁ ଏବେ ବି ଏଭଳି କିଛି ସାମଗ୍ରୀ ରହିଛି ଯାହା ଉପରେ ଜିଏସ୍‌ଟି ଲାଗୁ ହେଉନାହିଁ। ଟିକସ ସଂଗ୍ରହ ବଢ଼ାଇବା ଲାଗି ଏହି ସାମଗ୍ରୀ ଉପରେ ୩% ଜିଏସ୍‌ଟି ଲାଗୁ କରିବା ସଂକ୍ରାନ୍ତରେ ଜିଏସ୍‌ଟି ପରିଷଦ ବିଚାର କରୁଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଖବର ମିଳିଛି। ଜିଏସ୍‌ଟିରେ ସଂଶୋଧନ ଲାଗି ବିଭିନ୍ନ ବିକଳ୍ପ ଉପରେ ମାନସମନ୍ଥନ ଜାରି ରହିଛି। ଜିଏସଟି ସଂ‌ଶୋଧନ ଲାଗି ଗଠିତ ମନ୍ତ୍ରୀଗୋଷ୍ଠୀ ଆଉ ଏକ ବିକଳ୍ପ ଉପରେ ମଧ୍ୟ ବିଚାର କରୁଛି। ତାହା ହେଲା ୫% ଜିଏସ୍‌ଟି ସ୍ଲାବ୍‌କୁ ଉଚ୍ଛେଦ କରି ତାହାକୁ ୭, ୮ କିମ୍ବା ୯% କରିବା। ଅବଶ୍ୟ ଏସଂକ୍ରାନ୍ତରେ ଜିଏସ୍‌ଟି ପରିଷଦ ଚୂଡ଼ାନ୍ତ ନିଷ୍ପତ୍ତି ନେବ। ପରିଷଦରେ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟଗୁଡ଼ିକର ପ୍ରତିନିଧି ରହିଛନ୍ତି। ଏକ ହିସାବରୁ ଜଣାପଡ଼ିଛି ଯେ ୫% ହାରରେ ଯଦି ୧% ବୃଦ୍ଧି କରି ତାହାକୁ ୬% କରାଯିବ ତେବେ ବର୍ଷକୁ ଅତିରିକ୍ତ ୫୦ ହଜାର କୋଟି ଟଙ୍କାର ରାଜସ୍ବ ମିଳିବ। ଯଦିଓ ବିଭିନ୍ନ ବିକଳ୍ପ ଉପରେ ବିଚାରବିମର୍ଶ ଜାରି ରହିଛି ତେବେ ୫% ସ୍ଲାବ୍‌କୁ ୮%ରେ ପରିଣତ କରିବା ଉପରେ ପରିଷଦ ଅଧିକ ଧ୍ୟାନ ଦେଉଥିବା ଜଣାପଡ଼ିଛି। ୮%କୁ ବୃଦ୍ଧି ପାଇଲେ ବର୍ଷକୁ ଅଧିକ ଦେଢ଼ଲକ୍ଷ କୋଟି ରାଜସ୍ବ ମିଳିବ।

ପ୍ରଚଳିତ ଜିଏସ୍‌ଟି ବ୍ୟବସ୍ଥାରେ ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକୁ ଟିକସ ମୁକ୍ତ ରଖାଯାଇଥିବା ବେଳେ ଅଳ୍ପ କିଛି ସାମଗ୍ରୀ ଉପରେ ସର୍ବନିମ୍ନ ଜିଏସ୍‌ଟି ସ୍ଲାବ୍ ଲାଗୁ କରାଯାଇଛି ଏବଂ ବିଳାସପୂର୍ଣ୍ଣ ଓ ହାନିକାରକ ପଦା‌ର୍ଥଗୁଡ଼ିକ ଉପରେ ସର୍ବୋଚ୍ଚ ସ୍ଲାବ୍ ୨୮% ଲାଗୁ କରାଯାଇଛି ଓ ତା’ ସହିତ ସେଥିରୁ ସେସ୍‌ ମଧ୍ୟ ଆଦାୟ କରାଯାଉଛି। ୨୦୧୭ରେ ଜିଏସ୍‌ଟି ଲାଗୁ ହେବା ପରେ ରାଜ୍ୟଗୁଡ଼ିକ ଯେଉଁ କ୍ଷତି ସହିଛନ୍ତି ତାହା ଭରଣା କରିବା ଲାଗି ସେସ୍‌ ଜରିଆରେ ସଂଗ୍ରହ କରାଯାଉଥିବା ଅର୍ଥକୁ ବ୍ୟବହାର କରି ରାଜ୍ୟଗୁଡ଼ିକୁ କ୍ଷତିପୂରଣ ଦିଆଯାଉଛି। ପାଞ୍ଚ ବର୍ଷ ପର୍ଯ୍ୟନ୍ତ ରାଜ୍ୟଗୁଡ଼ିକୁ କ୍ଷତିପୂରଣ ଦେବା ଲାଗି ନିଷ୍ପତ୍ତି ହୋଇଥିଲା ଯାହାର ଅବଧି ଚଳିତ ବର୍ଷ ଜୁନ୍‌ରେ ଶେଷ ହେବ। ଏହି ସମୟ ଭିତରେ ରାଜ୍ୟଗୁଡ଼ିକ ଟିକସର ନିଜସ୍ବ ଉତ୍ସ ସନ୍ଧାନ କରି ଆତ୍ମନିର୍ଭର ହୋଇଯିବେ ବୋଲି ଆକଳନ କରାଯାଇଥିଲା। ଅଧିକ ଟିକସ ସଂଗ୍ରହ କରିବା ଲାଗି ଜିଏସ୍‌ଟି ଢାଞ୍ଚାରେ କ’ଣ ସବୁ ପରିବର୍ତ୍ତନ ହେବା ଦରକାର ତାହା ଜାଣାଇବା ପାଇଁ ଗତବର୍ଷ ଜିଏସ୍‌ଟି ପରିଷଦ ପକ୍ଷରୁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସଭରାଜ ବୋମାଇଙ୍କ ନେତୃତ୍ବରେ ରାଜ୍ୟମନ୍ତ୍ରୀମାନଙ୍କ ଏକ କମିଟି ଗଠନ କରାଯାଇଥିଲା। ଆସନ୍ତା ମାସରେ କମିଟି ଏହାର ରିପୋର୍ଟ ଦାଖଲ କରିବ। ସେହି ରିପୋର୍ଟକୁ ମେ’ ମାସରେ ଅନୁଷ୍ଠିତ ହେବାକୁ ଥିବା ଜିଏସ୍‌ଟି ପରିଷଦ ବୈଠକରେ ଚୂଡ଼ାନ୍ତ ନିଷ୍ପତ୍ତି ପାଇଁ ଉପସ୍ଥାପନ କରାଯିବ।

ଜିଏସ୍‌ଟି ହାର କମ୍ କରିବା ଲାଗି ବାଣିଜ୍ୟ ଓ ଶିଳ୍ପ ସଂଘଗୁଡ଼ିକ ନିୟମିତ ବ୍ୟବଧାନରେ ଜିଏସ୍‌ଟି ପରିଷଦ ଉପରେ ଚାପ ପକାଇ ସଫଳ ହୋଇଛନ୍ତି। ସେଥିପାଇଁ ୨୮% ହାରରେ ଥିବା ସାମଗ୍ରୀ ସଂଖ୍ୟା ୨୨୮ରୁ ହ୍ରାସ ପାଇ ୩୫ରେ ପହଞ୍ଚିଛି। ଯେହେତୁ ରାଜ୍ୟଗୁଡ଼ିକୁ ଆଉ କିଛି ବର୍ଷ କ୍ଷତିପୂରଣ ହେବା ସପକ୍ଷରେ କେନ୍ଦ୍ର ସରକାର ନାହାନ୍ତି, ତେଣୁ କେବଳ ବର୍ଦ୍ଧିତ ଟିକସ ହାର ଜରିଆରେ ଅଧିକ ରାଜସ୍ବ ମିଳିପାରିବ ବୋଲି ରାଜ୍ୟଗୁଡ଼ିକ ଭାବୁଛନ୍ତି। ତେଣୁ, ଟିକସ ହାର ବଢ଼ାଇବା ଲାଗି ‌କମିଟି ଯଦି କିଛି ସୁପାରିସ କରିଥିବ ତାହାକୁ ରାଜ୍ୟଗୁଡ଼ିକ ସହଜରେ ଗ୍ରହଣ କରିନେବେ ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର