ଜିଏସ୍‌ଟି କ୍ଷତିପୂରଣ ଲଢ଼େଇ ଜୋରଦାର ହେବ : କେନ୍ଦ୍ର ପ୍ରସ୍ତାବକୁ ୬ ରାଜ୍ୟର ପ୍ରତ୍ୟାଖାନ

ଅଣ୍ଟା ଭିଡ଼ିଲେ ଅଣ-ବିଜେପି ଶାସିତ ରାଜ୍ୟ
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ
ମମତା କହିଲେ ଏହା ବିଶ୍ବାସଘାତକତା
ସଂଘୀୟ ବ୍ୟବସ୍ଥା ନେଇ ଚିନ୍ତା ପ୍ରକଟ କଲେ ଚନ୍ଦ୍ରଶେଖର ରାଓ

ନୂଆଦିଲ୍ଲୀ : ଋଣ ଜରିଆରେ ଜିଏସ୍‌ଟି କ୍ଷତିପୂରଣ ବିବାଦର ସମାଧାନ ଲାଗି କେନ୍ଦ୍ର ସରକାର ଯେଉଁ ଦୁଇଟି ପ୍ରସ୍ତାବ ଦେଇଥିଲେ ତାହାକୁ ଆଜି ୬ଟି ଅଣ-ବିଜେପି ଶାସିତ ରାଜ୍ୟ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ଏହି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ‌କେନ୍ଦ୍ର ସରକାରଙ୍କ ଆଇନଗତ ଦାୟିତ୍ବକୁ ମନେ ପକାଇଛନ୍ତି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, କେରଳର ପିନାରାୟି ବିଜୟନ, ଦିଲ୍ଲୀର ଅରବିନ୍ଦ କେଜ୍ରିୱାଲ୍, ତାମିଲନାଡ଼ୁର ଇ କେ ପଲାନିସ୍ବାମୀ, ତେଲେଙ୍ଗାନାର କେ ଚନ୍ଦ୍ରଶେଖର ରାଓ ଓ ଛତିଶଗଡ଼ର ଭୂପେଶ ବାଘେଲ ଜିଏସ୍‌ଟି କ୍ଷତିପୂରଣକୁ ନେଇ କେନ୍ଦ୍ର ଦେଇଥିବା ପ୍ରସ୍ତାବକୁ ଖାରଜ କରିଛନ୍ତି। ଋଣ ଜରିଆରେ କ୍ଷତିପୂରଣ ରାଶିର ବ୍ୟବସ୍ଥା କରିବା ଲାଗି କେନ୍ଦ୍ର ଦୁଇଟି ବିକଳ୍ପ ପ୍ରଦାନ କରିଥିଲା। ଏହି ମୁଖ୍ୟମନ୍ତ୍ରୀମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତାଙ୍କ ଦାୟିତ୍ବ ମନେ ପକାଇ ଦେବା ସହ କହିଛନ୍ତି ଯେ ଯଦି ରାଜ୍ୟଗୁଡ଼ିକ ଋଣ କରିବେ ତେବେ ପରିଶୋଧ ବେଳେ ତାହା ସେମାନଙ୍କ ଆର୍ଥିକ ସ୍ଥିତି ଉପରେ ଅତିରିକ୍ତ ଚାପ ସୃଷ୍ଟି କରିବ। କେନ୍ଦ୍ର ନିଜେ ଋଣ କରୁ ଏବଂ ଦରକାର ପଡ଼ିଲେ ୨୦୨୨ ପରେ ମଧ୍ୟ ସେସ୍‌ ଆଦାୟ ଜାରି ରଖାଯାଉ ବୋଲି ଏହି ମୁଖ୍ୟମନ୍ତ୍ରୀମାନେ କେନ୍ଦ୍ରକୁ ପ୍ରସ୍ତାବ ଦେଇଛନ୍ତି। କିନ୍ତୁ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି ଏସ୍‌ ୟେଦୁରପ୍ପା କେନ୍ଦ୍ରର ୯୭ ହଜାର କୋଟି ଟଙ୍କା ଋଣ ପ୍ରସ୍ତାବକୁ ସମର୍ଥନ ଦେଇଛନ୍ତି।

ଜିଏସ୍‌ଟି କ୍ଷତିପୂରଣ ପ୍ରସଙ୍ଗରେ କେନ୍ଦ୍ରକୁ ଘେରିବା ଲାଗି ଅଣ ବିଜେପି ଶାସିତ ରାଜ୍ୟଗୁଡ଼ିକ ପ୍ରସ୍ତୁତ ହୋଇଯାଇଛନ୍ତି। ତେଣୁ ଆଗାମୀ ଦିନରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଲଢ଼େଇ ଜୋରଦାର ହେବ ବୋଲି ଆଶା କରାଯାଉଛି। ରାଜ୍ୟଗୁଡ଼ିକ ପାଖରେ ଥିବା କ୍ଷମତାକୁ କେନ୍ଦ୍ର ବିଭିନ୍ନ ଉପାୟରେ ହରଣ କରୁଥିବା ନେଇ ଅନେକ ସମୟରେ ଅଭିଯୋଗ ହେଉଛନ୍ତି। ଏହା ଦେଶର ସଂଘୀୟ ବ୍ୟବସ୍ଥା ପ୍ରତି ଏକ ବଡ଼ ବିପଦ ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ସେଭଳି ଏକ ସମୟରେ ଜିଏସ୍‌ଟି କ୍ଷତିପୂରଣକୁ ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ମତଭେଦ ମହାମାରୀ ମୁକାବିଲା କରୁଥିବା ମୋଦୀ ସରକାରଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇପାରେ।

ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦେଇଥିବା ଚିଠିରେ ଲେଖିଛନ୍ତି, ଏହା ବିଶ୍ବାସଘାତକତା। କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ଜିଏସ୍‌ଟି କ୍ଷତିପୂରଣ ଦେବା ବିଷୟକୁ ସମ୍ମାନ ଦେବେ ନାହିଁ ବୋଲି ଅଭିଯୋଗ କରି ୨୦୧୩ରେ ପ୍ରଧାନମନ୍ତ୍ରୀ ମୋଦୀ ନିଜେ ଜିଏସ୍‌ଟିକୁ ବିରୋଧ କରିଥିଲେ। ଅତୀତର ସେହି କଥାକୁ ମମତା ଆଜି ମୋଦୀଙ୍କୁ ମନେ ପକାଇ ଦେଇଛନ୍ତି। ସେହି କଥା ଏବେ ଆମ କାନରେ ବାଜୁଛି। କେନ୍ଦ୍ରରେ ଥିବା ବିଜେପି ସରକାର ଉପରେ ଥିବା ବିଶ୍ବାସ ଆମେ ହରାଇଛୁ ବୋଲି ସେ ଲେଖିଛନ୍ତି। ଯେତେବେଳେ ରାଜ୍ୟଗୁଡ଼ିକ ନିଜ କର୍ମଚାରୀଙ୍କୁ ଦରମା ଦେଇପାରୁନାହାନ୍ତି ସେଭଳି ଏକ ସମୟରେ ଋଣ କରିବାକୁ କେନ୍ଦ୍ର ରାଜ୍ୟଗୁଡ଼ିକୁ କହୁଛି ବୋଲି ମମତା ଲେଖିଛନ୍ତି। କେରଳ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ପ୍ରସଙ୍ଗରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଯେଉଁ ବୁଝାମଣା ରହିଛି ସେହି ଅନୁସାରେ ଋଣ କରି ରାଜ୍ୟଗୁଡ଼ିକ କ୍ଷତିପୂରଣ ଦେବା ସଠିକ୍ ବିକଳ୍ପ ନୁହେଁ। ସେ ମଧ୍ୟ କେନ୍ଦ୍ରର ଦାୟିତ୍ବ କ’ଣ ତାହା ମନେ ପକାଇଦେଇଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ କ୍ରେଜିୱାଲ୍ କହିଛନ୍ତି ରାଜ୍ୟ ଉପରେ ଏହା ଅତ୍ୟଧିକ ବୋଝ। ବିଜେପି ସହ ମେଣ୍ଟ ସରକାର ଚଲାଉଥିବା ତାମିଲନାଡୁର ମୁଖ୍ୟମନ୍ତ୍ରୀ ପଲାନିସ୍ବାମୀ କେନ୍ଦ୍ର ପ୍ରସ୍ତାବକୁ ବଡ଼ ବୋଝ ବୋଲି କହିଛନ୍ତି। ଅତୀତରେ ଜିଏସ୍‌ଟିକୁ ସମର୍ଥନ କରିଥିବା ତେଲେଙ୍ଗାନାର ‌ମୁଖ୍ୟମନ୍ତ୍ରୀ ସଂଘୀୟ ବ୍ୟବସ୍ଥାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ପେଟ୍ରୋଲିୟମ୍ ସାମଗ୍ରୀରୁ କେନ୍ଦ୍ର ସରକାର ୨ ଲକ୍ଷ କୋଟି ଟଙ୍କାର ସେସ୍‌ ଆଦାୟ କରିଥିବା ସେ ଜଣାଇଛନ୍ତି। ‌ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ଜିଏସ୍‌ଟି କ୍ଷତିପୂରଣ ଦେବା ଦରକାର ବୋଲି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଚିଠିରେ ଲେଖିଛନ୍ତି। କେରଳର ଅର୍ଥମନ୍ତ୍ରୀ ଥମାସ୍‌ ଆଇଜାକ୍ ମଧ୍ୟ କେନ୍ଦ୍ର ଦ୍ବାରା ଏହା କେନ୍ଦ୍ରର ବିଶ୍ବାସଘାତକତା ବୋଲି କହିଛନ୍ତି।

କରୋନା ମହାମାରୀ ରୋକିବା ଲାଗି ଗତ ମାର୍ଚ୍ଚରେ କେନ୍ଦ୍ର ସରକାର ଲକ୍‌ଡାଉନ୍ ଘୋଷଣା କରିବା ପରଠାରୁ ଅର୍ଥନୈତିକ କାର୍ଯ୍ୟକଳାପ ମନ୍ଥର ହୋଇଯାଇଛି। ରାଜସ୍ବ ଆୟ ଗୁରୁତର ଭାବେ ପ୍ରଭାବିତ ହେବାରୁ ଜିଏସ୍‌ଟି କ୍ଷତିପୂରଣ ରାଶି ଦେବାକୁ କେନ୍ଦ୍ର ଅକ୍ଷମତା ପ୍ରକାଶ କରୁଛି। ତେବେ ଋଣ ଜରିଆରେ ଏହି ମାମଲାର ସମାଧାନ କରିବା ଲାଗି କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ଦୁଇଟି ବିକଳ୍ପ ଦେଇଥିଲେ। ଜିଏସ୍‌ଟି ପରିଷଦର ୪୧ତମ ବୈଠକରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ଦୁଇ ପ୍ରସ୍ତାବ ଦେବା ସହ ବର୍ତ୍ତମାନର ସଙ୍କଟକୁ ‘ଆକ୍ଟ ଅଫ୍ ଗଡ୍‌’ (ଭଗବାନଙ୍କ ଦ୍ବାରା ସୃଷ୍ଟ ବିପର୍ଯ୍ୟୟ) ବୋଲି କହିଥିଲେ। ରିଜର୍ଭ ବ୍ୟାଙ୍କରେ ସ୍ବତନ୍ତ୍ର ବ୍ୟବସ୍ଥା କରି ରାଜ୍ୟଗୁଡ଼ିକୁ ଋଣ ସୁବିଧା ଦେବା ଲାଗି କେନ୍ଦ୍ର ପ୍ରସ୍ତାବ ଦେଇଛି।

ସମ୍ବନ୍ଧିତ ଖବର