ନୂଆଦିଲ୍ଲୀ: ଆଜି ରାଜ୍ୟସଭାରେ ଦରଦାମ ବୃଦ୍ଧି ପ୍ରସଙ୍ଗରେ ଆଲୋଚନା ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସ୍ପଷ୍ଟ କରିଛନ୍ତି ଯେ ବ୍ୟାଙ୍କ ଟଙ୍କା ଉଠାଣ ଉପରେ କୌଣସି ଜିଏସ୍‌ଟି ଲାଗିବନି। ଚେକ୍‌ ଉପରେ ଜିଏସଟି୍‌ ଲାଗୁକୁ ନେଇ ଲୋକଙ୍କ ମନରେ ଦ୍ବନ୍ଦ୍ବ ଥିବାବେଳେ ଅର୍ଥମନ୍ତ୍ରୀ ଏ ସଂପର୍କରେ ମଧ୍ୟ ସ୍ପଷ୍ଟ ସୂଚନା ଦେଇଛନ୍ତି। ପ୍ରିଣ୍ଟରଙ୍କ ଠାରୁ ବ୍ୟାଙ୍କ ଚେକ୍‌ ବହି କ୍ରୟ ଉପରେ ହିଁ କେବଳ ଜିଏସ୍‌ଟି ଲାଗୁ ହେବ। ଗ୍ରାହକଙ୍କ ଚେକ୍‌ ଉପରେ କୌଣସି ଟିକସ ଲାଗୁ ହେବ ନାହିଁ ବୋଲି ସେ କହିଛନ୍ତି। ସେହିଭଳି ହସ୍ପିଟାଲ ଶଯ୍ୟା କିମ୍ବା ଆଇସିୟୁରେ କୌଣିସି ଜିଏସ୍‌ଟି ଲାଗିବ ନାହିଁ। କେବଳ ଦିନକୁ ୫ ହଜାର ଟଙ୍କା ଭଡ଼ା ଥିବା ରୁମ୍‌ ଉପରେ ହିଁ ଜିଏସ୍‌ଟି ଲାଗୁ ହେବ। ଅଣ ବ୍ରାଣ୍ଡେଡ୍‌ ଓ ଲେବେଲିଂ ହୋଇଥିବା ଖାଦ୍ୟ ସାମଗ୍ରୀ ଉପରେ ଜିଏସ୍‌ଟି ଲାଗୁକୁ ଦେଶରେ ବିରୋଧ କରାଯାଉଛି।

Advertisment

ଗରିବ ଲୋକଙ୍କ ଖାଦ୍ୟ ଉପରେ କୌଣିସ ଜିଏସଟି ଲଗାଯାଉନାହିଁ। ପୂର୍ବରୁ ପ୍ୟାକ୍ ଏବଂ ଲେବେଲ୍ ହୋଇଥିବା ସାମଗ୍ରୀ ଉପରେ ହିଁ ୫ ପ୍ରତିଶତ ଜିଏସ୍‌ଟି ଲଗାଯାଇଛି। ଖୋଲାରେ ବିକ୍ରି ହେଉଥିବା ସାମଗ୍ରୀ ଉପରେ ଏହା ଲଗାଯାଉ ନାହିଁ ବୋଲି ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି। ଅର୍ଥମନ୍ତ୍ରୀ କହିଛନ୍ତି ଯେ ଦେଶରେ ସରକାର ଦରଦାମ ନିୟନ୍ତ୍ରଣରେ ରଖିଛନ୍ତି। ଟମାଟୋ, ପିଆଜ, ଆଳୁ ଆଦିର ମୂଲ୍ୟ ୨୦୧୩ ନଭେମ୍ବରରେ କେତେ ଥିଲା ଏବଂ ଏବେ ‌କେତେ ରହିଛି ତାହାର ଏକ ତୁଳନାତ୍ମକ ଚିତ୍ର ସେ ସଂସଦରେ ପ୍ରଦାନ କରିଛନ୍ତି।