ନୂଆଦିଲ୍ଲୀ: ଫୋନ୍ପେ, ଗୁଗୁଲ୍ପେ ଭଳି ଆପ୍ ଜରିଆରେ ଲୋକମାନେ କରୁଥିବା ୟୁପିଆଇ କାରବାର ଉପରେ ଜିଏସ୍ଟି ଲାଗିବା ନେଇ ଯେଉଁ କଳ୍ପନାଜଳ୍ପନା ପ୍ରକାଶ ପାଇଛି, ତାହାକୁ କେନ୍ଦ୍ର ସରକାର ଖଣ୍ଡନ କରିଛନ୍ତି। ୨୦୦୦ ଟଙ୍କାରୁ ଅଧିକ ମୂଲ୍ୟର ୟୁପିଆଇ କାରବାର ଉପରେ ଜିଏସ୍ଟି ଲଗାଇବାର କୌଣସି ଯୋଜନା ନାହିଁ ବୋଲି ରାଜ୍ୟସଭାରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ସୂଚନା ଦେଇଛନ୍ତି।
କର୍ଣ୍ଣାଟକରେ ୟୁପିଆଇ କାରବାର ତଥ୍ୟ ଆଧାରରେ ବ୍ୟବସାୟୀମାନଙ୍କ ପାଖକୁ ୬୦୦୦ରୁ ଅଧିକ ଜିଏସ୍ଟି ନୋଟିସ୍ ପଠାଯିବା ପରେ ଏହି ଗୁରୁତ୍ବପୂର୍ଣ୍ଣ ପେମେଣ୍ଟ ମାଧ୍ୟମ ଆଗକୁ ଆଉ ମାଗଣା ରହିବ ନାହିଁ ବୋଲି ଚର୍ଚ୍ଚା ହେଉଛି। ନିକଟରେ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ମଧ୍ୟ କହିଥିଲେ ଯେ ସବୁଦିନ ପାଇଁ ୟୁପିଆଇ କାରବାର ମାଗଣା ରହିନପାରେ। ତାଙ୍କ ସେହି ମନ୍ତବ୍ୟ ମଧ୍ୟ ୟୁପିଆଇ ପେମେଣ୍ଟ ଜିଏସ୍ଟି ଅଧୀନରେ ସାମିଲ ହେବା ଚର୍ଚ୍ଚାକୁ ଖୋରାକ ଯୋଗାଇଥିଲା।