ନୂଆଦିଲ୍ଲୀ: ଦେଶରେ ଇସ୍ପାତ କାରଖାନାଗୁଡ଼ିକରୁ ବର୍ଷକୁ ୧୯ ନିୟୁତ ଟନ୍ ବର୍ଜ୍ୟ ଇସ୍ପାତ ବାହାରୁଛି। ସେଗୁଡ଼ିକୁ ମାଟିତଳେ ପୋତି ଦିଆଯାଉଛି କିମ୍ବା ଇସ୍ପାତ କାରଖାନା ନିକଟରେ ସେଗୁଡ଼ିକ ପାହାଡ଼ ଭଳି ଗଦା ହୋଇ ରହୁଛି। କିନ୍ତୁ ଆଗକୁ ଏଭଳି ସ୍ଥିତି ‌ଆଉ ଦେଖିବାକୁ ମିଳିବ ନାହିଁ। ବର୍ଜ୍ୟ ଇସ୍ପାତରେ ରାସ୍ତା ନିର୍ମାଣ ହେବ। ଗୁଜରାଟର ସୁରଟସ୍ଥିତ ହାଜିରା ଶିଳ୍ପାଞ୍ଚଳରେ ବର୍ଜ୍ୟ ଇସ୍ପାତରେ ରାସ୍ତା ନିର୍ମାଣର ପାଇଲଟ ପ୍ରକଳ୍ପ ସଫଳ ହୋଇଛି। ସିଏସଆଇଆର, କେନ୍ଦ୍ରୀୟ ସଡ଼କ ଗବେଷଣା ପ୍ରତିଷ୍ଠାନ (ସିଆରଆରଆଇ), ଇସ୍ପାତ ମନ୍ତ୍ରାଳୟ ଏବଂ ନିତି ଆୟୋଗ ଭଳି ସଂସ୍ଥାର ମିଳିତ ଗବେଷଣା ଫଳରେ ଏହି ରାସ୍ତା ନିର୍ମାଣ ହୋଇପାରିଛି। ଫଳରେ ଭାରତର ବର୍ଜ୍ୟବସ୍ତୁକୁ ସମ୍ପଦରେ ପରିଣତ କରାଯିବା ସହିତ ସ୍ବଚ୍ଛ ଭାରତ ଅଭିଯାନକୁ କାର୍ଯ୍ୟକାରୀ କରାଯାଇ ପାରିଛି।

Advertisment

ଉକ୍ତ ପାଇଲଟ ପ୍ରକଳ୍ପରେ ୬ ଲେନ୍‌ର ୧ କିମି ରାସ୍ତା ନିର୍ମାଣ ହୋଇଛି। ନୂଆ ପଦ୍ଧତିରେ ନିର୍ମାଣ ହୋଇଥିବା ଉକ୍ତ ରାସ୍ତା ବର୍ଷାଦିନେ ନଷ୍ଟ ହେବନାହିଁ। ଦେଶରେ ଇସ୍ପାତ ଉତ୍ପାଦନ ବଢ଼ୁଥିବାରୁ ଆଗାମୀ ୨୦୩୦ ବେଳକୁ ବର୍ଜ୍ୟ ଇସ୍ପାତ ପରିମାଣ ୫୦ ନିୟୁତ ଟନକୁ ବୃଦ୍ଧି ପାଇବ ବୋଲି ଆକଳନ କରାଯାଉଛି। ନିତି ଆୟୋଗର ନିର୍ଦ୍ଦେଶରେ ଇସ୍ପାତ ମନ୍ତ୍ରଳାୟ ଆର୍ସେଲର ମିତ୍ତଲ ନିପନ ଷ୍ଟିଲ୍‌କୁ କିଛିବର୍ଷ ପୂର୍ବେ ରାସ୍ତା ନିର୍ମାଣରେ ବର୍ଜ୍ୟ ଇସ୍ପାତ ବ୍ୟବହାର ପ୍ରକଳ୍ପ ଦେଇଥିଲା। ଗବେଷଣା ପରେ ଏହି ରାସ୍ତା ନିର୍ମାଣ ହୋଇଛି ବୋଲି ଆର୍ସେଲର ମିତ୍ତଲ ନିପନ ଷ୍ଟିଲର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସନ୍ତୋଷ ଏମ ମୁନ୍ଧାରା କହିଛନ୍ତି। ଏହି ରାସ୍ତା ଉପରେ ବର୍ତ୍ତମାନ ହଜାର ହଜାର ଭାରିଯାନ ଯାତାୟାତ କରୁଛି। ରାସ୍ତାରେ କୌଣସି ଅସୁବିଧା ହେଉନାହିଁ। ଉକ୍ତ ପାଇଲଟ ପ୍ରକଳ୍ପର ସଫଳତା ପରେ ଭାରତ ସରକାର ରାଜପଥ ନିର୍ମାଣରେ ବର୍ଜ୍ୟ ଇସ୍ପାତ ବ୍ୟବହାର ପାଇଁ ଯୋଜନା କରୁଛନ୍ତି।