ଭୁବନେଶ୍ବର: ରାଜ୍ୟରେ ଏକ ବଡ଼ ଧରଣର ଋଣ ଠକେଇ ସାମ୍ନାକୁ ଆସିଛି। ଭୁବନେଶ୍ବରର କମ୍ପାନି ଗୁପ୍ତା ପାୱାର ଇନ୍‌ଫ୍ରାଷ୍ଟକଚର୍‌ ବିରୋଧରେ ଏହି ଅଭିଯୋଗ ଆସିଛି। କମ୍ପାନି ରାଷ୍ଟ୍ରାୟତ୍ତ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କରୁ ନେଇଥିବା ୨୭୦.୫୭ କୋଟି ଟଙ୍କାର ଋଣକୁ ପରିଶୋଧ କରିନଥିଲା। ଫଳରେ ସେହି  ଋଣ ଖାତାକୁ ଏନ୍‌ପିଏ ବର୍ଗରେ ସାମିଲ କରାଯାଇଥିଲା। ତଥାପି ସେଥିରେ କୌଣସି ସୁଧାର ନ ହେବାରୁ ତାହାକୁ ଠକେଇ ବୋଲି ଘୋଷଣା କରାଯାଇଛି। ଭୁବନେଶ୍ବରର ଷ୍ଟେସନ୍ ଛକରେ ଥିବା ପିଏନ୍‌ବି ଶାଖାରୁ କମ୍ପାନିକୁ ଏହି ଋଣ ମଞ୍ଜୁର କରାଯାଇଥିଲା।

Advertisment

କମ୍ପାନିର ଏନ୍‌ପିଏ ଖାତାର ଅନୁଶୀଳନ କରିବା ବେଳେ ଠକେଇ ବିଷୟରେ ଜଣାପଡ଼ିଥିଲା। ତେବେ ‌ଏହି ଠକେଇ କିଭଳି ହୋଇଥିଲା, ସେବିଷୟରେ ବ୍ୟାଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ। ଏହି ଠକେଇ ସମ୍ପର୍କରେ ବ୍ୟାଙ୍କ ପକ୍ଷରୁ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ସୂଚନା ଦିଆଯାଇଛି। ଗୁପ୍ତା ପାୱାରକୁ ଦିଆଯାଇଥିବା ଋଣକୁ ଠକେଇ ଘୋଷଣା କରାଯିବା ପରେ ତାହାର ଭରଣା କରିବା ଲାଗି ବ୍ୟାଙ୍କ ପକ୍ଷରୁ ୨୭୦.୫୭ କୋଟି ଟଙ୍କାର ଅଲଗା ବ୍ୟବସ୍ଥା କରାଯାଇଛି। ପ୍ରଚଳିତ ନିୟମ ଅନୁସାରେ ଏହି ପ୍ରୋଭିଜନିଂ ହୋଇଛି। ତେଣୁ ବ୍ୟାଙ୍କର ଆର୍ଥିକ ସ୍ଥିରତା ଏହି ଠକେଇ ଦ୍ବାରା ପ୍ରଭାବିତ ହେବ ‌ନାହିଁ ବୋଲି ବ୍ୟାଙ୍କ ପକ୍ଷରୁ ଷ୍ଟକ୍ ବଜାରକୁ ସୂଚନା ଦିଆଯାଇଛି।