ଚର୍ଚାରେ ଏସ୍‌ ଗୁରୁମୂର୍ତି

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସଏସ)ର ଆର୍ଥିକ ପ୍ରସଙ୍ଗ ଅନୁବନ୍ଧିତ ସଂସ୍ଥା ସ୍ବଦେଶୀ ଜାଗରଣ ମଞ୍ଚର ସହ-ଆବାହକ ତଥା ରିଜର୍ଭ ବ୍ୟାଙ୍କର ଅସ୍ଥାୟୀ ନିର୍ଦେଶକ ଏସ. ଗୁରୁମୂର୍ତି ଏବେ ଚର୍ଚାରେ। ଲଣ୍ଡନର ସାପ୍ତାହିକ ମାଗାଜିନ୍ ଦି ଇକୋନୋମିଷ୍ଟରେ ପ୍ରକାଶ ପାଇଥିବା ଲେଖା ତାଙ୍କର ମାନହାନି କରିଛି ବୋଲି ସେ ଅଭିଯୋଗ କରିଛନ୍ତି। ଗତବର୍ଷ ଅଗଷ୍ଟରେ ଶ୍ରୀ ଗୁରୁମୂର୍ତିଙ୍କୁ ରିଜର୍ଭ ବ୍ୟାଙ୍କର ନିର୍ଦେଶକଭାବେ ନିଯୁକ୍ତି ଦିଆଯାଇଛି। ‌ପେଶାରେ ସେ ଜଣେ ସାମ୍ବାଦିକ ଓ ଚାଟାର୍ଡ ଆକାଉଣ୍ଟାଣ୍ଟ। ଚେନ୍ନାଇର ତାମିଲ ରାଜନୈତିକ ପତ୍ରିକା ‘ତୁଗଲକ୍’ର ସମ୍ପାଦକ ମଧ୍ୟ ସେ ରହିଛନ୍ତି।
ଦି ଇକୋନୋମିଷ୍ଟରେ ପ୍ରକାଶିତ ନିବନ୍ଧରେ ଶ୍ରୀ ଗୁରୁମୂର୍ତିଙ୍କ ଅର୍ଥନୀତି ସଂକ୍ରାନ୍ତ ଜ୍ଞାନ ଉପରେ ପ୍ରଶ୍ନ କରାଯିବା ସହିତ ରିଜର୍ଭ ବ୍ୟାଙ୍କ ବୋର୍ଡରେ ତାଙ୍କୁ ନିଯୁକ୍ତି ଦିଆଯାଇଥିବାରୁ ତାଙ୍କର ଯୋଗ୍ୟତା ଉପରେ ମଧ୍ୟ ପ୍ରଶ୍ନ କରାଯାଇଛି। ନଭେମ୍ବର ୧୭ ତାରିଖରେ ଦି ଇକୋନୋମିଷ୍ଟର ୱେବ୍ ସଂସ୍କରଣରେ ପ୍ରଥମେ ଏହି ଖବର ପ୍ରକାଶ ପାଇଥିଲା। ଏହାପରେ ୧୭ରୁ ୨୪ ନଭେମ୍ବର ସପ୍ତାହର ଛାପା ସଂସ୍କରଣରେ ଏହି ଖବର ପ୍ରକାଶ କରାଯାଇଛି। ଏହି ଖବରରେ ତାଙ୍କୁ ଜଣେ ‘ଫିକ୍ସର’ ଆଖ୍ୟା ମଧ୍ୟ ଦିଆଯାଇଛି।
ତେବେ ଏହି ଲେଖା ଉପରେ ଶ୍ରୀ ଗୁରୁମୂର୍ତି ଆପତ୍ତି ଉଠାଇଛନ୍ତି। ଦି ଇକୋନୋମି‌ଷ୍ଟକୁ ନିଃସର୍ତ କ୍ଷମା ମାଗିବା ଲାଗି ୧୫ ପୃଷ୍ଠାର ଏକ ଆଇନଗତ ନୋଟିସ ସେ ପଠାଇଛନ୍ତି। ଏପରିକି ଏ ନେଇ ଏକ ସଂଶୋଧନ ମାଗାଜିନ୍‌ରେ ଛାପିବା ଲାଗି କହିଛନ୍ତି। ମନ୍ଦ ଉଦ୍ଦେଶ୍ୟ ରଖି ଏହି ଖବର ଛପାଯାଇଛି। ଏହା ତାଙ୍କର ଖ୍ୟାତିକୁ ନଷ୍ଟ କରିବା ସହିତ ରିଜର୍ଭ ବ୍ୟାଙ୍କର ଭାବମୂର୍ତିକୁ ମଧ୍ୟ କ୍ଷୁଣ୍ଣ କରିଛି ବୋଲି ସେ କହିଛନ୍ତି। ମାଗାଜିନ କ୍ଷମା ପ୍ରାର୍ଥନା ନକଲେ ଶ୍ରୀ ଗୁରୁମୂର୍ତି ପରବର୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି। ଟ୍ବିଟରରେ ଏହି ପ୍ରସଙ୍ଗ ଏକ ଆଲୋଚନାର ବିଷୟ ବି ପାଲଟିଛି।

ସମ୍ବନ୍ଧିତ ଖବର