ତେଲ ପାଇଁ ଅକଳରେ ସରକାର

ନୂଆଦିଲ୍ଲୀ: ସାରା ଦେଶରେ ପେଟ୍ରୋଲ୍‌ ଓ ଡିଜେଲ ଦର ସର୍ବୋଚ୍ଚ ସ୍ତରରେ ପହଞ୍ଚି ଯାଇଥିବାରୁ ଗ୍ରାହକମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ ନେଇ ସରକାର ଏକ ପ୍ରକାର ଅକଳରେ ପଡ଼ିଯାଇଛନ୍ତି। କେଉଁ ପଦକ୍ଷେପ ଗ୍ରହଣ କଲେ ତେଲ ଦର ନିୟନ୍ତ୍ରଣକୁ ଆସିବ ତାହା ଜାଣିପାରୁନାହାନ୍ତି। ସବୁ ପ୍ରକାର ବିକଳ୍ପ ଉପରେ ଆଲୋଚନା ପର୍ଯ୍ୟାଲୋଚନା ଚାଲିଛି। ସଦ୍ୟତମ ସୂଚନା ମୁତାବକ ପେଟ୍ରୋଲ୍‌ ଓ ଡିଜେଲ୍‌ ଉପରେ ଲଗାଯାଇଥିବା ଉତ୍ପାଦନ ଶୁଳ୍କ କମ୍‌ କରିବା ଉପରେ କେନ୍ଦ୍ର ସରକାର ବିଚାର କରୁଥିବା ଜଣାପଡ଼ିଛି। ତେଲ ସମସ୍ୟା ସରକାରଙ୍କ ନିୟନ୍ତ୍ରଣ ବାହାରକୁ ଚାଲିଗଲାଣି। ଯଦି ସରକାର ଟିକସ କମାଇବା ନିଷ୍ପତ୍ତି ନେବେ ତେବେ ବିପୁଳ ପରିମାଣର ରାଜସ୍ୱ କ୍ଷତି ସହିବାକୁ ପଡ଼ିବ। ଏକ ଆକଳନରୁ ଜଣାପଡ଼ିଛି ଯେ ଏକ ଟଙ୍କାର ଟିକସ ହ୍ରାସ କଲେ ବର୍ଷକୁ ୧୩ ହଜାର କୋଟି ଟଙ୍କାର ଟିକସ ହରାଇବାକୁ ପଡ଼ିବ। ଏହା ସରକାରଙ୍କ ଆର୍ଥିକ ସ୍ଥିତିକୁ ବିଗାଡ଼ି ଦେବ। ଦରବୃଦ୍ଧିକୁ ନେଇ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ଦିନକୁ ଦିନ ବଢ଼ିଚାଲିଛି। ଆସନ୍ତା ବର୍ଷ ସାଧାରଣ ନିର୍ବାଚନ ହେବାକୁ ଯାଉଥିବାରୁ ସାଧାରଣ ଜନତାଙ୍କୁ ଅସନ୍ତୁଷ୍ଟ କରିବାକୁ ସରକାର ନିଶ୍ଚିତ ଚାହିଁବେ ନାହିଁ। ସରକାରଙ୍କ ଏବେ ଦୋଛକିରେ ପଡ଼ିଯାଇଥିବା ଭଳି ମନେ ହେଉଛି। ବିରୋଧୀ ଦଳ ଆସନରେ ଥିବା ବେଳେ ବିଜେପି ପକ୍ଷରୁ ତେଲ ଦର ବୃଦ୍ଧିକୁ ନେଇ ଉପା ସରକାରଙ୍କୁ କଡ଼ା ସମାଲୋଚନା କରାଯାଇଥିଲା। ଏବେ ଶାସନ ଗାଦିରେ ବିଜେପି ବସିଛି। ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ବିରୋଧୀ ଦଳଗୁଡ଼ିକର ଆକ୍ରୋଶକୁ ଏହା କିଭଳି ପ୍ରତିହତ କରିବ ତାହା ଆଗାମୀ ଦିନରେ ଜଣାପଡ଼ିବ।

୨୦୧୪ ନଭେମ୍ବରରୁ ୨୦୧୬ ଜାନୁଆରି ମଧ୍ୟରେ କେନ୍ଦ୍ର ସରକାର ତେଲ ଉପରେ ୯ ଥର ଉତ୍ପାଦନ ଶୁଳ୍କ ବଢ଼ାଇଥିଲେ। ଫଳରେ ଲିଟର ପିଛା ପେଟ୍ରୋଲ୍‌ ଉପରେ ଉତ୍ପାଦନ ଶୁଳ୍କ ୧୧ ଟଙ୍କା ୭୭ ପଇସା ଓ ଡିଜେଲ ଉପରେ ତାହା ୧୩ ଟଙ୍କା ୪୭ ପଇସା ବଢ଼ିଯାଇଥିଲା। ଉତ୍ପାଦନ ଶୁଳ୍କ ବଢ଼ାଇବା ପରେ ତେଲରୁ ମିଳୁଥିବା ରାଜସ୍ୱ ପରିମାଣ ଦୁଇ ଗୁଣାରୁ ଅଧିକ ହୋଇଯାଇଛି। ୨୦୧୪-୧୫ରେ ତେଲ ଟିକସ ବାବଦରେ ସରକାରଙ୍କ ୯୯ ହଜାର କୋଟି ଟଙ୍କା ଆୟ ହୋଇଥିଲା। ୨୦୧୬-୧୭ରେ ସେହି ଆୟ ୨,୪୨,୦୦୦ କୋଟି ଟଙ୍କା ପର୍ଯ୍ୟନ୍ତ ବଢ଼ିଯାଇଛି। ତେଲ ଦର ଉପରେ କିଭଳି ନିୟନ୍ତ୍ରଣ ହାସଲ କରାଯିବ ତାହାକୁ ନେଇ ସରକାରୀ ମହଲରେ ମାନସ ମନ୍ଥନ ଚାଲିଛି। ଗତକାଲି ବିଜେପି ସଭାପତି ଅମିତ ଶାହ କହିଥିଲେ ଯେ ତେଲ ଦର ବୃଦ୍ଧି ଚିନ୍ତାର କାରଣ। ଏ ବିଷୟରେ ବୁଧବାର ଦିନ ତେଲ ମନ୍ତ୍ରୀ ବିଭିନ୍ନ ତେଲ କଂପାନିର ପ୍ରତିନିଧିଙ୍କ ସହ ଆଲୋଚନା କରିବେ। ଚଳିତ ସପ୍ତାହରେ ତେଲ ଦର ବୃଦ୍ଧିରୁ ନିସ୍ତାର ମିଳିବ ବୋଲି ସେ କହିଥିଲେ।
ଗତ ସୋମବାର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ ପେଟ୍ରୋଲ୍‌ ଓ ଡିଜେଲ୍‌ ଦରକୁ ନିୟନ୍ତ୍ରଣ ମଧ୍ୟକୁ ଆଣିବା ପାଇଁ ଆମେ ବିଭିନ୍ନ ବିକଳ୍ପ ଉପରେ ବିଚାର କରୁଛୁ। ଶୀଘ୍ର କିଛି ନା କିଛି ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ ସୂଚନା ଦେଇଥିଲେ। ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳର ବ୍ୟାରେଲ ପିଛା ଦର ୮୦ ଡଲାରରୁ ଅଧିକ ହେବା ଓ ଡଲାର ମହଙ୍ଗା ହୋଇଥିବାରୁ ତେଲ ଦର ବଢ଼ୁଛି। ଏକ ଡଲାର କିଣିବାକୁ ଏବେ ଆମଦାନିକାରୀମାନଙ୍କୁ ୬୮ ଟଙ୍କା ଗଣିବାକୁ ପଡୁଛି।

ଆଜି କ୍ୟାବିନେଟ୍‌ ବୈଠକ ଶେଷ ହେବା ପରେ କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ ସୂଚନା ଦେଇଛନ୍ତି ଯେ ତେଲ ଦରରେ ହେଉଥିବା ନିୟମିତ ହ୍ରାସ ବୃଦ୍ଧି ଭଳି ସ୍ଥିତି ଚିନ୍ତାର ବିଷୟ। ସରକାର ଏହାର ଦୀର୍ଘସ୍ଥାୟୀ ସମାଧାନ କରିବାକୁ ଚାହୁଁଛନ୍ତି। ସେଥିପାଇଁ ଏକ ସ୍ୱତନ୍ତ୍ର ଢ଼ାଞ୍ଚା ବିକଶିତ କରିବାକୁ ସରକାର ଚାହୁଁଛନ୍ତି। ଚଳିତ ମାସ ୧୪ ତାରିଖ ପରେ ପେଟ୍ରୋଲ୍‌ ମୂଲ୍ୟରେ ଅଢ଼େଇ ଟଙ୍କା ବୃଦ୍ଧି ହୋଇସାରିଲାଣି। ଆଜି ମୁମ୍ବାଇରେ ପେଟ୍ରୋଲ୍‌ର ଲିଟର ପିଛା ଦର ୮୪ ଟଙ୍କା ୯୯ ପଇସା ହୋଇଥିବା ବେଳେ ଚେନ୍ନାଇରେ ୮୦ ଟଙ୍କା ୧୧ ପଇସା ଓ ଦିଲ୍ଲୀରେ ୭୭ ଟଙ୍କା ୧୭ ପଇସା ହୋଇଯାଇଛି।

ଦର ୨୫ ଟଙ୍କା କମିପାରିବ: ଚିଦମ୍ବରମ
ନୂଆଦିଲ୍ଲୀ: ତେଲ ଦର ବୃଦ୍ଧିକୁ ନେଇ ସରକାରଙ୍କୁ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦମ୍ବରମ୍‌ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ତେଲର ଲିଟର ପିଛା ଦରରେ ୨୫ ଟଙ୍କା ହ୍ରାସ କରାଯାଇପାରିବ। କିନ୍ତୁ ସରକାର କିଛି କରୁନାହାନ୍ତି। ପ୍ରତି ଲିଟର ତେଲ ଉପରେ ସରକାରଙ୍କୁ ୨୫ ଟଙ୍କାର ବୋନାଞ୍ଜା ମିଳୁଛି। ଏହା ହେଉଛି ସାଧାରଣ ଖାଉଟିଙ୍କ ଟଙ୍କା। ସେ କହିଛନ୍ତି ଯେ ଅଶୋଧିତ ତୈଳ ଦରରେ ହ୍ରାସ ଯୋଗୁଁ ସରକାର ପ୍ରତି ଲିଟର ପିଛା ୧୫ ଟଙ୍କା ସଞ୍ଚୟ କରୁଛନ୍ତି। ଏହା ଉପରେ ୧୦ ଟଙ୍କାର ଅତିରିକ୍ତ ଶୁଳ୍କ ଲଦି ଦେଇଛନ୍ତି।

ସମ୍ବନ୍ଧିତ ଖବର