ନୂଆଦିଲ୍ଲୀ: ଇଲେକ୍ଟ୍ରିକ୍ ଯାନ (ଇଭି) ଗ୍ରହଣୀୟତା ବଢ଼ାଇବା ଲାଗି ୨୦୨୨ ବଜେଟ୍‌ ଅଭିଭାଷଣରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବ୍ୟାଟେରି ସ୍ବାପିଂ ନୀତି ଘୋଷଣା କରିଥିଲେ। ସେହି ବର୍ଷ ଏପ୍ରିଲ୍‌ରେ ନିତି ଆୟୋଗ ପକ୍ଷରୁ ଏକ ଚିଠା ନୀତି ଜାରି କରାଯାଇଥିଲା। ସେହି ଘଟଣାକୁ ବର୍ଷେରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ବ୍ୟାଟେରି ସ୍ବାପିଂ ନୀତି ଚୂଡ଼ାନ୍ତ ହୋଇପାରୁନାହିଁ। ନୀତିରେ ଥିବା କେତେକ ବ୍ୟବସ୍ଥାକୁ କଂପାନିଗୁଡ଼ିକୁ ଘୋର ବିରୋଧ କରୁଛନ୍ତି। ସେଥିପାଇଁ ଏହି ନୀତି ଏବେ ଅଧା ବାଟରେ ଲଟକି ରହିଛି।

Advertisment

ବ୍ୟାଟେରି ସ୍ବାପିଂ ନୀତି ଘୋଷଣା କରିବାର ପଛର ଉଦ୍ଦେଶ୍ୟ ଥିଲା ଲୋକମାନେ ପେଟ୍ରୋଲ୍ ପମ୍ପ୍‌ରେ ଯେଭଳି ଅଳ୍ପ କିଛି ସମୟ ଭିତରେ ତେଲ ପକାଇପାରୁଛନ୍ତି, ସେହିଭଳି ସ୍ବାପିଂ ସେଣ୍ଟରରେ ନିଜ ଚାର୍ଜ ଶେଷ ହୋଇଥିବା ବ୍ୟାଟେରିକୁ ବଦଳାଇ ଏକ ଫୁଲ୍‌ ଚାର୍ଜ ଥିବା ବ୍ୟାଟେରି ନେବେ। ଫଳରେ ଇଭି ଉପରେ ଲୋକମାନଙ୍କ ବିଶ୍ବାସ ବୃଦ୍ଧି ପାଇବ ଓ ତାହାର ଗ୍ରହଣୀୟତା ବଢ଼ିବ। ଚାର୍ଜିଂ ଷ୍ଟେସନ ସ୍ଥାପନ କରିବା ଲାଗି ସହରରେ ସ୍ଥାନର ଯେଉଁ ଅଭାବ ରହିଛି, ସେହି ସମସ୍ୟା ମଧ୍ୟ ଦୂର ହୋଇଯିବ। ସରକାର ଚାହୁଛନ୍ତି ସ୍ବାପିଂ ଲାଗି ଯେଉଁ ବ୍ୟାଟେରି ତିଆରି କରାଯିବ ତାହା ସମାନ ହେବା ଦରକାର। ଅର୍ଥାତ ସବୁ କଂପାନି ଗୋଟିଏ ପ୍ରକାର ବ୍ୟାଟେରି ତିଆରି କରିବେ। ଫଳରେ ତାହାକୁ ଲୋକମାନେ ଅତି ସହଜରେ ବଦଳାଇପାରିବେ। କଂପାନିଗୁଡ଼ିକ କିନ୍ତୁ ସେଥିରେ ସନ୍ତୁଷ୍ଟ ନାହାନ୍ତି। ବର୍ତ୍ତମାନ ସଫଳ ଥିବା କଂପାନିଗୁଡ଼ିକ ଭାବୁଛନ୍ତି ଯେ ଏଭଳି ହେ‌ଲେ ସେମାନଙ୍କ ସ୍ଥିତି ପ୍ରତି ବିପଦ ସୃଷ୍ଟି ହେବ।

ଅନ୍ୟପକ୍ଷରେ ଏବେ ନିଜ ଗାଡ଼ିରେ ବ୍ୟାଟେରି ଖଞ୍ଜି ବିକ୍ରି କରୁଥିବା ସଂସ୍ଥାଗୁଡ଼ିକ ମଧ୍ୟ ସ୍ବାପିଂ ନୀତିରେ ଥିବା ବ୍ୟବସ୍ଥାକୁ ପସନ୍ଦ କରୁନାହାନ୍ତି। ସ୍ବାପିଂ ନୀତିରେ ରାଜି ହେ‌ଲେ ବ୍ୟାଟେରିରୁ ସେମାଙ୍କର ଯେଉଁ ଆୟ ହେଉଛି ତାହା ହରାଇବାକୁ ପଡ଼ିପାରେ ବୋଲି କଂପାନିଗୁଡ଼ିକ ଭାବୁଛନ୍ତି। ନୀତି ନିର୍ଧାରକ ଓ ଅଂଶୀଦାରମାନଙ୍କ ମଧ୍ୟରେ ଏଭଳି ମତଭେଦ ରହିଥିବାରୁ ବ୍ୟାଟେରି ସ୍ବାପିଂ ନୀତି ଚୂଡ଼ାନ୍ତ ହୋଇପାରୁନାହିଁ। ତେବେ ଏହି ନୀତିର ଏକ ସଂକ୍ଷିପ୍ତ ରୂପ ପ୍ରସ୍ତୁତ କରି ତାହାକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ନିକଟକୁ ପଠାଯାଇଛି। ସେଥିରେ ଯେଉଁ ବ୍ୟବସ୍ଥା ରହିଛି ତାହା ବ୍ୟାଟେରି ସ୍ବାପିଂକୁ ଦୁର୍ବଳ କରିପାରେ ବୋଲି କୁହାଯାଉଛି।