ନୂଆଦିଲ୍ଲୀ: ନିଯୁକ୍ତି ପାଇବା ଲାଗି ଛାତ୍ରଛାତ୍ରୀମାନଙ୍କୁ ସକ୍ଷମ କରିବାରେ ଭାରତୀୟ ଶିକ୍ଷା ବ୍ୟବସ୍ଥା ସଫଳ ହୋଇପାରୁନାହିଁ। ଯେଉଁମାନେ ପାଠପଢ଼ୁଛନ୍ତି ସେମାନଙ୍କ ପାଖରେ ଚାକିରି ଲାଗି ଦରକାର ହେଉଥିବା ଆବଶ୍ୟକ ଦକ୍ଷତା ନାହିଁ। ଶିକ୍ଷା ବ୍ୟବସ୍ଥାରେ ଏହି ସମସ୍ୟା ଜାରି ରହିଲେ ଭବିଷ୍ୟତରେ ଅଧା ସ୍ନାତକଙ୍କୁ ଚାକିରି ମିଳିବ ନାହିଁ ବୋଲି ହ୍ବିବକ୍ସ ନାମକ ଏକ ସଂସ୍ଥା ଆକଳନ କରିଛି।
ଭାରତର ଶ୍ରେଷ୍ଠ ଇଞ୍ଜିନିୟରିଂ ଓ ମ୍ୟାନେଜମେଣ୍ଟ୍ କଲେଜଗୁଡ଼ିକ ସୁନ୍ଦର ପିଚାଇ, ସତ୍ୟ ନାଡେଲାଙ୍କ ଭଳି ଛାତ୍ରଛାତ୍ରୀ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି ଯେଉଁମାନେ ବିଶ୍ବସ୍ତରୀୟ କଂପାନିର ମଙ୍ଗ ସମ୍ଭାଳୁଛନ୍ତି। ମାତ୍ର ଶିକ୍ଷା ବ୍ୟବସ୍ଥାରେ ଅପର ପାର୍ଶ୍ବକୁ ଦେଖିଲେ ଚିତ୍ର ଏତେଟା ଗୋଲାପୀ ଦିଶୁନାହିଁ। ଭଡ଼ା ଘରଠାରୁ ଆରମ୍ଭ କରି ଗଳିକନ୍ଦିରେ ଶିକ୍ଷାନୁଷ୍ଠାନ ଖୋଲୁଛି। ଲୋଭନୀୟ ପ୍ରତିଶ୍ରୁତି ଦେଇ ସେମାନେ ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରୁଛନ୍ତି। କିନ୍ତୁ ସେଠାରୁ ପାସ୍ ହେବା ପରେ ସେହି ଛାତ୍ରଛାତ୍ରୀମାନେ ଚାକିରି ପାଇବାକୁ ସଂଘର୍ଷ କରୁଛନ୍ତି। ଶିକ୍ଷା ବ୍ୟବସ୍ଥାରେ ବଡ଼ ଧରଣର ସଂସ୍କାର ଆଣିବା ଲାଗି ବିଶେଷଜ୍ଞମାନେ ଆହ୍ବାନ ଦେଇଛନ୍ତି। ଯଦି ସେଭଳି ପଦକ୍ଷେପ ନିଆନଯିବ ତେବେ ଭାରତର ଯୁବପିଢ଼ି ଯାହା ଏବେ ଦେଶର ସବୁଠୁ ବଡ଼ ଶକ୍ତି ବୋଲି ବିଚାର କରାଯାଉଛି ତାହା ଅର୍ଥନୀତି ପାଇଁ ସବୁଠୁ ବଡ଼ ସମସ୍ୟା ଭାବେ ଉଭା ହେବ ବୋଲି ସେମାନେ କହିଛନ୍ତି।
ଚାକିରି ପାଇବା ଆଶାରେ ଭାରତରେ ଯୁବକଯୁବତୀମାନେ ଏକାଧିକ ଡିଗ୍ରି ହାସଲ କରିବା ଲାଗି ଉଦ୍ୟମ କରୁଛନ୍ତି। କିଛି ଛାତ୍ରଛାତ୍ରୀଙ୍କ ପାଖରେ ଦୁଇ କିମ୍ବା ତିନିଟି ଭଳି ସ୍ବତନ୍ତ୍ର ଡିଗ୍ରି ଦେଖିବାକୁ ମିଳୁଛି। ତଥାପି ସେମାନେ ଚାକିରି ପାଉନାହାନ୍ତି। ଯୁବପିଢ଼ିଙ୍କ ମଧ୍ୟରେ ଚାକିରିକୁ ନେଇ ଏଭଳି ସଙ୍କଟ ବିଶ୍ବର ଦ୍ରୁତ ଅଭିବୃଦ୍ଧିଶୀଳ ଦେଶ ଭାରତ ଲାଗି ବହୁତ ବଡ଼ ସମସ୍ୟା ସୃଷ୍ଟି କରିବ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଗୋଟିଏ ପଟେ ଉଚ୍ଚ ଶିକ୍ଷାର ଅଧିକାଂଶ ଡିଗ୍ରି ଛାତ୍ରଛାତ୍ରୀଙ୍କୁ ଚାକିରି ଯୋଗାଇବାରେ ବିଫଳ ହେଉଥିବା ବେଳେ ଅନ୍ୟପଟେ ସେହି ଡିଗ୍ରି ପାଇବା ଲାଗି ଯେତିକି ଖର୍ଚ୍ଚ ହେଉଛି ତାହା ଅନ୍ୟତମ ବଡ଼ ଚିନ୍ତାର କାରଣ ପାଲଟିଛି। ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ପାଠପଢ଼ିବା ସତ୍ତ୍ବେ ଡିଗ୍ରି କୌଣସି କାମରେ ଲାଗୁନାହିଁ। ଚୀନ୍ରୁ ବାହାରୁ ଥିବା କଂପାନିଗୁଡ଼ିକୁ ଆକୃଷ୍ଟ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଉଦ୍ୟମ କରୁଥିବା ବେଳେ ସେହି କଂପାନିଗୁଡ଼ିକ ନିଜ ପାଇଁ ଦକ୍ଷ ଓ କୁଶଳୀ କର୍ମଚାରୀ ପାଇବେ ନା ନାହିଁ ତାହା ସବୁଠୁ ବଡ଼ ପ୍ରଶ୍ନ ଭାବେ ଉଭା ହୋଇଛି। ଏମ୍ଜି ମୋଟର ଇଣ୍ଡିଆର ନିର୍ଦେଶକ ୟଶବିନ୍ଦର ପଟିଆଲ୍ କହିଛନ୍ତି ଯେ ଆମେ ଚାହୁଥିବା କିଛି ନିର୍ଦିଷ୍ଟ ଦକ୍ଷତାର ପିଲା ବଜାରରେ ସହଜରେ ମିଳୁନାହାନ୍ତି।
ଭାରତର ଶିକ୍ଷା ଶିଳ୍ପ ୨୦୨୦ରେ ୧୧,୭୦୦ କୋଟି ଡଲାର ଭଳି ବିଶାଳ ଥିଲା। ୨୦୨୫ ସୁଦ୍ଧା ତାହା ୨୨,୫୦୦ କୋଟି ଡଲାରରେ ପହଞ୍ଚିବ ବୋଲି ବ୍ରାଣ୍ଡ୍ ଇକ୍ବିଟି ଫାଉଣ୍ଡେସନ ପକ୍ଷରୁ ଆକଳନ କରାଯାଇଛି। ଶିକ୍ଷା ବ୍ୟବସ୍ଥାରେ ଜିଡିପିର ୬ ପ୍ରତିଶତ ରାଶି ବ୍ୟୟ କରିବା ଲାଗି ସରକାର ନୂଆ ଶିକ୍ଷା ନୀତିରେ ବ୍ୟବସ୍ଥା କରିଥିଲେ ମଧ୍ୟ ବାସ୍ତବ ବ୍ୟୟ ଜିଡିପିର ୨.୯ ପ୍ରତିଶତରେ ସୀମିତ ରହିଛି। ଏସ୍ଏଚ୍ଏଲ୍ ନାମକ ସଂସ୍ଥାର ରିପୋର୍ଟ ଅନୁସାରେ ଭାରତରେ ମାତ୍ର ୩.୮ ପ୍ରତିଶତ ଇଞ୍ଜିନିୟର ଷ୍ଟାର୍ଟଅପ୍ରେ ସଫ୍ଟଓୟାର ଚାକିରି ପାଇବାକୁ ଯୋଗ୍ୟ।