ଏମ୍‌ଏସ୍‌ଏମ୍‌ଇ ସ୍କିମ୍‌ରୁ ଅଧା ଶିଳ୍ପ ବଞ୍ଚିତ ହେବେ, ରାଜ୍ୟରେ ୬୦୨ କୋଟିର ଋଣ ମଞ୍ଜୁର

ଭୁବନେଶ୍ବର: କେନ୍ଦ୍ର ସରକାର ଏମ୍‌ଏସ୍‌ଏମ୍‌ଇଗୁଡ଼ିକ ଲାଗି ଯେଉଁ ୩ ଲକ୍ଷ କୋଟି ଟଙ୍କାର ସ୍କିମ୍ ଘୋଷଣା କରିଛନ୍ତି ତାହା କେବଳ କିଛି ହାତଗଣତି ସଂସ୍ଥାକୁ ଲାଭ ପହଞ୍ଚାଇବ। ଅଧାରୁ ଅଧିକ ଶିଳ୍ପ ଏହି ସ୍କିମ୍‌ର ଲାଭରୁ ବଞ୍ଚିତ ହେବେ ବୋଲି ଓଡ଼ିଶା କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂଘ (ଓସ୍‌ମି) ପକ୍ଷରୁ କୁହାଯାଇଛି। ସଂଘର ସେକ୍ରେଟାରି ଜେନେରାଲ୍ ସାତ୍ତ୍ବିକ ସ୍ବାଇଁ କହିଛନ୍ତି, ଯେଉଁ କ୍ଷୁଦ୍ର ଓ ମଧ୍ୟମ ଧରଣ ଶିଳ୍ପ ସଂସ୍ଥା କାର୍ଯ୍ୟକାରୀ ପୁଞ୍ଜି କିମ୍ବା କ୍ୟାସ୍‌ କ୍ରେଡିଟ୍ ନେଇଛନ୍ତି କେବଳ ସେମାନେ ଏହି ସ୍କିମ୍ ଦ୍ବାରା ଉପକୃତ ହେବେ। ରାଜ୍ୟରେ ପ୍ରାୟ ୨ ଲକ୍ଷରୁ ଅଧିକ ଏମ୍ଏସ୍‌ଏମ୍ଇ ୟୁନିଟ୍‌ ରହିଛି। ସେମାନଙ୍କ ମଧ୍ୟରୁ ଅଧାରୁ ଅଧିକ ସଂସ୍ଥା ଚଳନ୍ତି ଖାତା (କରେଣ୍ଟ୍‌ ଆକାଉଣ୍ଟ୍‌) ଜରିଆରେ କାରବାର କରୁଛନ୍ତି। ସେମା‌ନେ କୌଣସି ପ୍ରକାର ଋଣ ନେଇନାହାନ୍ତି।

ସେମାନଙ୍କୁ ଏହି ସ୍କିମ୍‌ର ଲାଭ ମିଳୁନାହିଁ। କରୋନା ସଙ୍କଟ ଦ୍ବାରା ସବୁ ପ୍ରକାର ଏମ୍ଏସ୍‌ଏମ୍‌ଇ ପ୍ରଭାବିତ ହୋଇଛନ୍ତି। କିନ୍ତୁ ଏହି ସ୍କିମ୍‌କୁ କେବଳ ଋଣ ନେଇଥିବା ସଂସ୍ଥାଗୁଡ଼ିକୁ ନଜରରେ ରଖି ପ୍ରସ୍ତୁତ କରାଯାଇଛି। ଯେଉଁମାନେ ବିନା ଋଣରେ କାରବାର କରୁଥିଲେ ସେମାନେ ଭଲ ଗ୍ରାହକ ହୋଇଥିଲେ ମଧ୍ୟ ତାଙ୍କୁ ଜରୁରୀକାଳୀନ ଋଣ ସ୍କିମ୍‌ର ଲାଭ ମିଳିବ ନାହିଁ। ଦେଶରେ ସାଢ଼େ ୬ କୋଟିରୁ ଅଧିକ ଏମ୍‌ଏସ୍‌ଏମ୍‌ଇ ଥିବା ବେଳେ କ୍ରେଡିଟ୍ ଗ୍ୟା‌ରେଣ୍ଟି ସ୍କିମ୍‌ର ଲାଭ ୪୫ ଲକ୍ଷ ୟୁନିଟ୍‌କୁ ମିଳିବ। ମୋଟ୍ ଏମ୍ଏସ୍‌ଏମ୍ଇ ୟୁନିଟ୍‌ର ଏହା ପ୍ରାୟ ୧୦ ପ୍ରତିଶତ ହିଁ ହେବ। ଜାତୀୟ ହାରରୁ ସ୍ପଷ୍ଟ ଭାବେ ଜଣାପଡ଼ୁଛି ଯେ ଓଡ଼ିଶାରେ କେତେ କମ୍ ପରିମାଣର ଶିଳ୍ପ ସଂସ୍ଥା ଏହା ଦ୍ବାରା ଉପକୃତ ହେବେ ବୋଲି ସେ କହିଛନ୍ତି। ରାଜ୍ୟରେ କାରବାର କରୁଥିବା ସରକାରୀ ବ୍ୟାଙ୍କଗୁଡ଼ିକ ଏକ କେନ୍ଦ୍ରୀୟ ବ୍ୟବସ୍ଥା ବିକଶିତ କରିଛନ୍ତି। ତାହାକୁ ବ୍ୟବହାର କରି ଏହି ସ୍କିମ୍‌ର ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯାଉଛି। ଏହା ପରେ ବ୍ୟାଙ୍କ ତରଫରୁ ଇ-ମେଲ୍ ଭଳି ବିଭିନ୍ନ ଯୋଗାଯୋଗ ମାଧ୍ୟମକୁ ବ୍ୟବହାର କରି ଋଣ ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବା ସଂସ୍ଥାଗୁଡ଼ିକୁ ସୂଚନା ଦିଆଯାଉଛି। ଯେଉଁ ସଂସ୍ଥା ଆବେଦନ କରୁଛନ୍ତି ସେମାନଙ୍କୁ ଋଣ ଆବଣ୍ଟନ କରାଯାଉଛି।

ରାଜ୍ୟରେ ୬୦୨ କୋଟିର ଋଣ ମଞ୍ଜୁର
ନୂଆଦିଲ୍ଲୀ: କରୋନା ସଙ୍କଟ ଦ୍ବାରା କ୍ଷତିଗ୍ରସ୍ତ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଧରଣର ଉଦ୍ୟୋଗଗୁଡ଼ିକୁ (ଏମ୍‌ଏସ୍‌ଏମ୍‌ଇ) ସରକାରୀ ବ୍ୟାଙ୍କଗୁଡ଼ିକ ସର୍ବଭାରତୀୟ ସ୍ତରରେ ୧୭,୭୦୫ କୋଟି ଟଙ୍କା ମଞ୍ଜୁର କରିଥିବା ବେଳେ ୮୩୨୦ କୋଟି ଟଙ୍କା ଆବଣ୍ଟନ କରିଛନ୍ତି। ଓଡ଼ିଶାରେ ଏହି ସମୟରେ ୬୦୪ କୋଟି ଟଙ୍କାର ଋଣ ମଞ୍ଜୁର କରାଯାଇଥିବା ବେଳେ ୨୧୩.୭୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ଚଳିତ ମାସ ପହିଲାରୁ ଆରମ୍ଭ ହୋଇଥିବା ‘ଜରୁରୀକାଳୀନ କ୍ରେଡିଟ୍ ଲାଇନ୍ ଗ୍ୟାରେଣ୍ଟି ସ୍କିମ୍‌’ ଅଧୀନରେ ଏମ୍ଏସ୍‌ଏମ୍‌ଇଗୁଡ଼ିକୁ ଋଣ ସହାୟତା ଦିଆଯାଉଛି।

ମାସର ପ୍ରଥମ ପାଞ୍ଚଦିନରେ ଓଡ଼ିଶାରେ କାର୍ଯ୍ୟ କରୁଥିବା ସରକାରୀ ବ୍ୟାଙ୍କଗୁଡ଼ିକ ୧୧,୮୫୮ଟି ଖାତା ପାଇଁ ଋଣ ମଞ୍ଜୁର କରିଥିବା ବେଳେ ୫୮୦୩ଟି ଖାତା ପାଇଁ ଋଣରାଶି ଆବଣ୍ଟନ କରିଛନ୍ତି। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ତଥ୍ୟରୁ ଏହା ଜଣାପଡ଼ିଛି। ସର୍ବଭାରତୀୟ ସ୍ତରରେ ମୋଟ ୨,୮୮,୬୮୬ ଖାତା ପାଇଁ ଋଣ ମଞ୍ଜୁର କରାଯାଇଥିବା ବେଳେ ୧,୫୧,୫୩୧ଟି ଖାତାରେ ଋଣ ଆବଣ୍ଟନ କରାଯାଇଛି। ତାମିଲନାଡୁରେ ବ୍ୟାଙ୍କଗୁଡ଼ିକ ସର୍ବାଧିକ ୨୦୧୮.୮୯ କୋଟି ଟଙ୍କା ମଞ୍ଜୁର କରିଥିବା ବେଳେ ୧୩୨୫ କୋଟି ଟଙ୍କା ଆବଣ୍ଟନ।

ସମ୍ବନ୍ଧିତ ଖବର