ଅଧାରୁ ଅଧିକ ଟିକସ ଆଜିର ଦର :ପେଟ୍ରୋଲ୍‌ ୭୫.୬୯ ଟଙ୍କା ଡିଜେଲ୍‌ ୭୨.୯୮ ଟଙ୍କା

ଭୁବନେଶ୍ୱର: ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ହୁ ହୁ ହୋଇ ବଢ଼ି ଚାଲିଛି। ଏହା ଉପରୁ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ବିପୁଳ ପରିମାଣର ଟିକସ ଆଦାୟ କରୁଛନ୍ତି। ବଲାଙ୍ଗୀରର ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା ନିକଟରେ ପେଟ୍ରୋଲିୟମ ମନ୍ତ୍ରାଳୟରୁ ସୂଚନା ଅଧିକାର ଆଇନ ବଳରେ ପେଟ୍ରୋଲ ଏବଂ ଡିଜେଲ ଉପରୁ କେନ୍ଦ୍ର ଓ ରାଜ୍ୟ ସରକାର ଆଦାୟ କରୁଥିବା ଟିକସ ସମ୍ପର୍କିତ ସୂଚନା ପାଇଛନ୍ତି। ଏହି ସୂଚନାରୁ ଜଣାଯାଇଛି କେନ୍ଦ୍ର ସରକାର କେନ୍ଦ୍ରୀୟ ଉତ୍ପାଦ ଟିକସ ବାବଦରେ ଲିଟର ପିଛା ପେଟ୍ରୋଲରୁ ୧୯ ଟଙ୍କା ୪୮ ପଇସା ଏବଂ ଡିଜେଲରୁ ୧୫ ଟଙ୍କା ୩୩ ପଇସା ନେଉଛନ୍ତି। ରାଜ୍ୟ ସରକାର ପେଟ୍ରୋଲ ଉପରୁ ୨୪.୫୬ ପ୍ରତିଶତ ଏବଂ ଡିଜେଲ ଉପରୁ ୨୪.୯୯ ପ୍ରତିଶତ ହାରରେ ଭାଟ୍‌ ଆଦାୟ କରୁଛନ୍ତି।

ବଲାଙ୍ଗୀରରେ ପେଟ୍ରୋଲ ଏବଂ ଡିଜେଲ ଦର ଲିଟର ପିଛା ଯଥାକ୍ରମେ ୭୫ ଟଙ୍କା ୫୫ ପଇସା ଏବଂ ୭୩ ଟଙ୍କା ୦୧ ପଇସାରେ ରହିଥିବା ବେଳେ ଏହା ମଧ୍ୟରୁ ରାଜ୍ୟ ସରକାର ଯଥାକ୍ରମେ ୧୮ ଟଙ୍କା ୫୫ ପଇସା ଏବଂ ୧୮ ଟଙ୍କା ୨୪ ପଇସାର ଟିକସ ଆଦାୟ କରୁଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାର ମିଶି ଲିଟର ପିଛା ପେଟ୍ରୋଲ ଉପରୁ ୩୮ ଟଙ୍କା ୩ ପଇସାର ଟିକସ ନେଉଥିବାବେଳେ ଡିଜେଲ ଉପରୁ ୩୩ ଟଙ୍କା ୫୭ ପଇସା ନେଉଥିବା ସେ କହିଛନ୍ତି। ୨୦୧୪ ମସିହାରେ କେନ୍ଦ୍ରର ଉପା ସରକାର ପେଟ୍ରୋଲରେ ୧୩ ଟଙ୍କା ୩୪ ପଇସା ଏବଂ ଡିଜେଲରେ ୬ ଟଙ୍କା ୧୪ ପଇସାର ଟିକସ ଆଦାୟ କରୁଥିବାବେଳେ ବର୍ତ୍ତମାନ ଏହା ଯଥାକ୍ରମେ ୧୯ ଟଙ୍କା ୪୮ ପଇସା ଏବଂ ୧୫ ଟଙ୍କା ୩୩ ପଇସାକୁ ବୃଦ୍ଧି ପାଇଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି।

ସମ୍ବନ୍ଧିତ ଖବର