ସୁନା ଅଳଙ୍କାର ହଲ୍‌ମାର୍କ ବାଧ୍ୟତାମୂଳକ ହେବ

ନୂଆଦିଲ୍ଲୀ : ସୁନା ଗହଣାର ହଲମାର୍କ ବାଧ୍ୟତାମୂଳକ ହେବ। ଏହି ନିୟମକୁ ଆସନ୍ତା ୨୦୨୧ ଜାନୁଆରି ୧୫ରୁ ସାରା ଦେଶରେ ଲାଗୁ କରାଯିବ ବୋଲି ଉପଭୋକ୍ତା ବ୍ୟାପାର ମନ୍ତ୍ରୀ ରାମବିଳାସ ପାସୱାନ ସୂଚନା ଦେଇଛନ୍ତି। ଯେଉଁମାନେ ହଲ୍‌ମାର୍କ ନିୟମ ଉଲ୍ଲଂଘନ କରିବେ ସେମାନଙ୍କୁ ଜେଲ୍‌ ଦଣ୍ଡ ଭୋଗିବାକୁ ହେବ ଏବଂ ଜରିମାନା ଦେବାକୁ ପଡ଼ିବ। କେବଳ ତିନିଟି କ୍ୟାରେଟ ୧୪,୧୮ ଓ ୨୨ କ୍ୟାରେଟ୍‌ର ସୁନା ଅଳଙ୍କାର ମିଳିବ। ଏହା ଦ୍ବାରା ଦୁର୍ନୀତି ଦୂର ହୋଇପାରିବ। ନିୟମ ଉଲ୍ଲଂଘନ କଲେ ଠକାମି ହୋଇଥିବା ଗହଣାର ୫ ଗୁଣା ମୂଲ୍ୟ ଜରିମାନା ବାବଦରେ ଗଣିବାକୁ ପଡ଼ିବ। ଏକ ଲକ୍ଷ ଟଙ୍କା ଠାରୁ ଜରିମାନା ଆରମ୍ଭ ହେବ। ହଲମାର୍କ ଗହଣା ଉପରେ ବିଆଇଏସ୍‌ ଚିହ୍ନ, କ୍ୟାରେଟ୍‌ର ଶୁଦ୍ଧତା ଓ ସ୍ବଚ୍ଛତା, ପରୀକ୍ଷଣ କେନ୍ଦ୍ରର ପରିଚୟ ଚିହ୍ନ ଓ ଅଳଙ୍କାର ବ୍ୟବସାୟୀଙ୍କ ଚିହ୍ନ ଭଳି ଚାରିଟି ଚିହ୍ନ ରହିବ। ୨୨ କ୍ୟାରେଟ୍‌ ସୁନା ପାଇଁ ଅଳଙ୍କାରରେ ୨୨ କେ ସହିତ ୯୧୬, ୧୮ କ୍ୟାରେଟ୍ ପାଇଁ ୧୮କେ ସହିତ ୭୫୦ ଓ ୧୪ କ୍ୟାରେଟ୍ ପାଇଁ ୧୪କେ ସହିତ ୫୮୫ ଲେଖା ରହିବ।

ସମ୍ବନ୍ଧିତ ଖବର