ନୂଆଦିଲ୍ଲୀ : ଆସନ୍ତା ଫେବ୍ରୁଆରି ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ର ବଜେଟ୍ ଉପସ୍ଥାପନ କରିବେ । କେନ୍ଦ୍ର ବଜେଟ୍ ପ୍ରସ୍ତୁତ କରିବା ସମୟରେ ଏହାର ଉପସ୍ଥାପନା ପାଇଁ ଅନେକ ପରମ୍ପରା ଅନୁସରଣ କରାଯାଏ । ଏଥିମଧ୍ୟରୁ ଗୋଟିଏ ହେଉଛି ହାଲୱା ସମାରୋହ । ଗତ ବର୍ଷ କରୋନା କଟକଣା ଥିବାରୁ ଏହି ସମାରୋହ ହୋଇନଥିଲା । କିନ୍ତୁ ଏବର୍ଷ ହଲଓ୍ବା ସମାରୋହ ଜାନୁଆରି ୨୬ରେ ଅନୁଷ୍ଠିତ ହେବ ।
ତେବେ ଆସନ୍ତୁ ଜାଣିବା ହାଲୱା ସମାରୋହ କ'ଣ?
ହାଲୱା ସମାରୋହ ହେଉଛି ଏକ ପାରମ୍ପାରିକ ପ୍ରାକ୍ ବଜେଟ୍ କାର୍ଯ୍ୟକ୍ରମ ଯାହା ବଜେଟ୍ ମୁଦ୍ରଣ ପୂର୍ବରୁ ପାଳନ କରାଯାଇଥାଏ । କୁହାଯାଏ ଯେ ଏକ ଲମ୍ବା ବଜେଟ୍ ନିର୍ମାଣ ପ୍ରକ୍ରିୟା ଶେଷ ହେବା ପରେ ମିଠା ଖାଇ ବଜେଟ୍ ମୁଦ୍ରଣକୁ ଆନୁଷ୍ଠାନିକ ଭାବେ ପତାକା ଦେଖାଇ ସବୁଜ ସଂକେତ ଦିଆଯାଇଥାଏ । ଅର୍ଥମନ୍ତ୍ରୀ ଅଧିକାରୀମାନଙ୍କୁ ହାଲୱା ପରସି ଏହି ପରମ୍ପରାକୁ ପାଳନ କରନ୍ତି । ଏହି ସମାରୋହ ଅର୍ଥ ମନ୍ତ୍ରଣାଳୟ ଥିବା ନର୍ଥ ବ୍ଲକର ତଳ ମହଲାରେ ଅନୁଷ୍ଠିତ ହୁଏ, ଯେଉଁଠାରେ ଏକ ସ୍ୱତନ୍ତ୍ର ପ୍ରିଣ୍ଟିଂ ପ୍ରେସ୍ ଅଛି । ସମାରୋହ ପରେ ପ୍ରାୟ ୧୦ ଦିନ ପର୍ଯ୍ୟନ୍ତ ବଜେଟ୍ ସହିତ ଜଡିତ ଅର୍ଥ ମନ୍ତ୍ରଣାଳୟର ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ନର୍ଥ ବ୍ଲକର ତଳ ମହଲାରେ ରଖାଯାଏ । ଏହି ସମୟରେ ଅର୍ଥ ମନ୍ତ୍ରଣାଳୟର ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ଗୁଇନ୍ଦା ବିଭାଗ ଦ୍ୱାରା ଚବିଶ ଘଣ୍ଟା ତଦାରଖ କରାଯାଏ, ଏପରିକି ସେମାନଙ୍କୁ ପ୍ରିୟଜନଙ୍କ ସହ ଯୋଗାଯୋଗ କରିବାକୁ ମଧ୍ୟ ଅନୁମତି ନାହିଁ। ସେମାନଙ୍କୁ କଲ୍ କରିବାକୁ ମଧ୍ୟ ଅନୁମତି ଦିଆଯାଏ ନାହିଁ । ସିସିଟିଭି ଏବଂ ଜାମରର ଏକ ଶକ୍ତିଶାଳୀ ନେଟୱାର୍କ ସେମାନଙ୍କୁ ବାହ୍ୟ ସମ୍ପର୍କରୁ କାଟିଦେଇଥାଏ ।