ବଜେଟ୍‌ ପାଇଁ ହାଲୱା ଉତ୍ସବ: ଛପା କାର୍ଯ୍ୟ ଆରମ୍ଭ, ଯୋଗାଯୋଗ ବିଚ୍ଛିନ୍ନ

ନୂଆଦିଲ୍ଲୀ: ୨୦୨୦-୨୧ ଆର୍ଥିକ ବର୍ଷର ବଜେଟ୍ ଆସନ୍ତା ମାସ ୧ ତାରିଖରେ ସଂସଦରେ ଉପସ୍ଥାପିତ ହେବ। ଦେଶର ପ୍ରଥମ ପୂର୍ଣ୍ଣକାଳୀନ ମହିଳା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହାକୁ ଆଗତ କରିବେ। ତେବେ ବଜେଟ୍ ଛପା ପୂର୍ବରୁ ଆଜି ଅର୍ଥ ମନ୍ତ୍ରାଳୟର ମୁଖ୍ୟ କାର୍ଯ୍ୟାଳୟ ନର୍ଥ ବ୍ଲକ୍‌ରେ ହାଲୱା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ଅର୍ଥମନ୍ତ୍ରୀ ଅଧ୍ୟକ୍ଷତା କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ସମେତ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ହାଲୱା ଉତ୍ସବ ପରେ ବଜେଟ୍ ଛପା କାର୍ଯ୍ୟ ଆରମ୍ଭ ହୋଇଥାଏ। ବେସମେଣ୍ଟ୍‌ରେ ଥିବା ବଜେଟ୍ ଛପା ସ୍ଥାନକୁ କର୍ମଚାରୀମାନେ ଯାଇଛନ୍ତି। ସଂସଦରେ ବଜେଟ୍ ଉପସ୍ଥାପନ ହେବା ପର୍ଯ୍ୟନ୍ତ ଏହି କର୍ମଚାରୀମାନଙ୍କର ବାହାରକୁ ବାହାରି ପାରିବେ ନାହିଁ କିମ୍ବା କୌଣସି ବ୍ୟକ୍ତିମାନଙ୍କ ସହିତ ଯୋଗାଯୋଗ ରଖିପାରିବେନି। ଆସନ୍ତା ୧ ତାରିଖରେ ବଜେଟ୍ ଉପସ୍ଥାପନ ହେବାକୁ ଥିବାରୁ କର୍ମଚାରୀମାନେ ପ୍ରାୟ ୧୦ ଦିନ ସେଠାରେ ଅଲଗା ରହିବେ। ଏହି ସମୟ ମଧ୍ୟରେ ସାମ୍ବାଦିକ ଏବଂ ପରିଦର୍ଶକମାନଙ୍କ ପାଇଁ ମଧ୍ୟ ଅର୍ଥ ମନ୍ତ୍ରାଳୟ ଯିବା ଉପରେ କଟକଣା ରହିବ। ଆଇବି ଏବଂ ଦିଲ୍ଲୀ ପୁଲିସ ଏହା ଉପରେ ତୀକ୍ଷ୍ଣ ନଜର ରଖିବେ। ଏଥିସହିତ ଅର୍ଥ ମନ୍ତ୍ରାଳୟର ପ୍ରବେଶ ଏବଂ ପ୍ରସ୍ଥାନ ଦ୍ବାରରେ ସୁରକ୍ଷା ବାହିନୀ ମୁତୟନ ରହିବେ।

ସମ୍ବନ୍ଧିତ ଖବର