ହସ୍ତତନ୍ତ ପୋଷାକ ଏବେ ନୂଆ ଫେସନ୍

ଭୁବନେଶ୍ବର : ଲୋକଙ୍କ ଆର୍ଥିକ ସ୍ଥିତିରେ ଦ୍ରୁତ ପରିବର୍ତ୍ତନ ଆସିଛି। ପୂର୍ବାପେକ୍ଷା ଅଧିକରୁ ଅଧିକ ସଂଖ୍ୟକ ମହିଳା ଏବେ ସରକାରୀ ଓ ବେସରକାରୀ ଅଫିସ୍‌ରେ କାର୍ଯ୍ୟ କରୁଛନ୍ତି। ରାଜନୀତି, ସମାଜସେବା ଆଦିରେ ସେମାନଙ୍କ ପ୍ରବେଶ କିଛି କମ୍‌ନୁହେଁ। ଏଥିସହିତ ଅଧିକାଂଶ ପରିବାରରେ ଏବେ ପୁଅ ଓ ଝିଅ ସଂଖ୍ୟା ପୂର୍ବାପେକ୍ଷା କମ୍‌ ରହୁଛି। ତେଣୁ ଗୋଟିଏ ପଟେ ଲୋକଙ୍କ ଆୟ ବଢ଼ିବା ଫଳରେ ସେମାନଙ୍କ ସଞ୍ଚୟ ବଢ଼ୁଛି। ଅନ୍ୟପଟେ କମ୍‌ ସଂଖ୍ୟକ ପିଲାଙ୍କ ପାଇଁ ପୋଷାକ ଓ ଶାଢ଼ି କିଣିବାକୁ ପଡ଼ୁଥିବାରୁ ଲୋକମାନେ ଆଉ ଖର୍ଚ୍ଚକୁ ସେତେଟା ଗୁରୁତ୍ବ ଦେଉନାହାନ୍ତି। ଦାମୀ ଶାଢ଼ି ଏବଂ ପୋଷାକ ପିନ୍ଧିବା ଲୋକଙ୍କ ପାଇଁ କେବଳ ସଉକ ନୁହେଁ ସହଜ ମଧ୍ୟ ହୋଇଯାଇଛି। ପୂର୍ବରୁ କେବଳ ବିବାହ ଏବଂ କୌଣସି ବିଶେଷ ଉତ୍ସବରେ ପିନ୍ଧିବା ପାଇଁ ଦାମୀ ହ୍ୟାଣ୍ଡଲୁମ୍ ଶାଢ଼ି ଓ ପୋଷାକ ପିନ୍ଧୁଥିବା ମହିଳା ଓ ପୁରୁଷମାନେ ଏବେ ନିତିଦିନିଆ ‌ପୋଷାକ ଭାବେ ତାହାକୁ ପିନ୍ଧୁଛନ୍ତି। ‌ ଏଥିଯୋଗୁ ଏହି ବଜାର ଦିନକୁ ଦିନ ବଢ଼ିବା‌ରେ ଲାଗିଛି। କିଛି ପ୍ରମୁଖ ବ୍ୟବସାୟୀଙ୍କ ଆକଳନ ଅନୁଯାୟୀ ରାଜ୍ୟରେ ଏହି ବଜାରର ଆକାର ଏବେ ୨୦୦ କୋଟିରୁ ଅଧିକ ରହିଛି। ଆଗାମୀ ଦିନରେ ଏହି ବଜାର ଆହୁରି ଦ୍ରୁତ ବେଗରେ ଆଗକୁ ବଢ଼ିବ ବୋଲି ବ୍ୟବସାୟୀମାନେ ମତ ଦେଇଛନ୍ତି।

ରାଜ୍ୟର କେତେକ ପ୍ରମୁଖ ହ୍ୟାଣ୍ଡଲୁମ୍ ଶାଢ଼ି ଓ ପୋଷାକ ବ୍ୟବସାୟୀଙ୍କ କହିବାନୁଯାୟୀ, ଯେଉଁ କେତେକ ପ୍ରମୁଖ କାରଣ ପାଇଁ ଲୋକେ ଏହି ଶାଢ଼ି ଓ ପୋଷାକ ପିନ୍ଧିବାକୁ ପସନ୍ଦ କରୁଛନ୍ତି ସେଗୁଡ଼ିକ ହେଲା ଫ୍ୟାନ୍ସି ଶାଢ଼ି ତୁଳନାରେ ଏହା ପିନ୍ଧିବା ପାଇଁ ଆରାମଦାୟକ ଲାଗୁଛି। ମହିଳାମାନେ ଘଣ୍ଟା ଘଣ୍ଟା ଧରି ଏହି ଶାଢ଼ି ପିନ୍ଧି ଅଫିସରେ ବସି ପାରୁଛନ୍ତି ବା ବାହାରେ ବିଭିନ୍ନ କାର୍ଯ୍ୟ କରିପାରୁଛନ୍ତି। ଅନ୍ୟ ଶାଢ଼ି ଏବଂ ପୋଷାକ ତୁଳନାରେ ଏଗୁଡ଼ିକ ଦେଖିବା ପାଇଁ ମଧ୍ୟ ଭଲ। ପିନ୍ଧିବାକୁ ଆରାମ ଏବଂ ଦେଖିବାକୁ ଭଲ ସହିତ ଏହି ଶାଢ଼ି ଓ ପୋଷାକ ପିନ୍ଧୁଥିବା ମହିଳା କିମ୍ବା ପୁରୁଷଙ୍କଠାରେ ଏକ ସମ୍ଭ୍ରାନ୍ତ ପରିବାରର ଭାବନା ସୃଷ୍ଟି ହେ‌ଉଛି। ରାଜନେତା, ନେତ୍ରୀ, ଆଇଏଏସ୍‌ ଓ ଅନ୍ୟ ବରିଷ୍ଠ ପଦପଦବିରେ ଥିବା ଅମଲା ଏବଂ ଧନୀ ପରିବାରର ବ୍ୟକ୍ତିମାନେ ହସ୍ତତନ୍ତ ପୋଷାକ ଓ ଶାଢ଼ି ପିନ୍ଧୁଥିବାରୁ ମଧ୍ୟବିତ୍ତ ଓ ନିମ୍ନମଧ୍ୟବିତ୍ତ ବର୍ଗର ବ୍ୟକ୍ତିମାନେ ପ୍ରଭାବିତ ହୋଇ ଏହି ‌ଶାଢ଼ି ଓ ପୋଷାକ ପିନ୍ଧିବା ଆରମ୍ଭ କରିଦେଇଛନ୍ତି। ସବୁଠାରୁ ବଡ଼ କଥା ହେଲା ଆଜିର ଗ୍ରାହକମାନେ ଅତିମାତ୍ରାରେ ସ୍ବାସ୍ଥ୍ୟ ସଚେତନ ହେଲେଣି। ହସ୍ତତନ୍ତ ପୋଷାକ କିମ୍ବା ଶାଢ଼ି ଗୁଡ଼ିକ ପ୍ରାକୃତିକ ତନ୍ତୁ ଯଥା ତୁଳା, ସିଲ୍‌କ, ଟସର, ଏରି, ମୁଗା, ଉଲ ଏବଂ ପସ୍‌ମିନା ଆଦିରେ ତିଆରି ହେଉଛି। କୃତ୍ରିମ ପଦାର୍ଥରେ ନିର୍ମିତ ଶାଢ଼ି ଓ ପୋଷାକ ଭଳି ଲୋକଙ୍କ ସ୍ବାସ୍ଥ୍ୟ ଉପରେ ଏହାର କୌଣସି ପାର୍ଶ୍ବ ପ୍ରତିକ୍ରିୟା ପଡ଼ୁନାହିଁ। ଏଥିସହିତ ସୁତାଗୁଡ଼ିକ ସାଧାରଣତଃ ବଳାଯାଇ ହସ୍ତତନ୍ତ ଶାଢ଼ି ଓ ବସ୍ତ୍ର ପ୍ରସ୍ତୁତ ହେଉଥିବାରୁ ଅନ୍ୟ ପୋଷାକ ଭଳି ଏଗୁଡ଼ିକ ଶୀଘ୍ର ଚିରି ନଥାଏ କିମ୍ବା ନଷ୍ଟ ହୋଇ ନଥାଏ। ଦୀର୍ଘସ୍ଥାୟିତା ଏହି ଶାଢ଼ି ଓ ପୋଷାକର ଅନ୍ୟ ବିଶେଷତ୍ବ ବୋଲି ଖ୍ୟାତିସମ୍ପନ୍ନ ଡିଜାଇନର ବଙ୍କିମ କୁମାର ମିଶ୍ର ମତ ଦେଇଛନ୍ତି। ଅନନ୍ୟ ଡିଜାଇନ ଏହି ଶାଢ଼ି ଏବଂ ପୋଷାକର ଅନ୍ୟତମ ସୌନ୍ଦର୍ଯ୍ୟ ବୋଲି ଅନ୍ୟ ଜଣେ ପ୍ରମୁଖ ବ୍ୟବସାୟୀ କୁହନ୍ତି।

୨୦୦ କୋଟିର ବଜାର
ଯଦିଓ ଏହି ବଜାରର ଆକାର ଏବେ କେତେ ତାହା ନିର୍ଦ୍ଦିଷ୍ଟ ଭାବେ କୁହାଯାଇ ପାରିବ ନାହିଁ ତଥାପି ଜଣେ ବ୍ୟବସାୟୀ ନିଜ ନାମ ଗୋପନ ରଖି କହିଛନ୍ତି ଏବେ ରାଜ୍ୟରେ ପ୍ରାୟ ୨୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ହସ୍ତତନ୍ତ ସାମଗ୍ରୀ ବିକ୍ରି ହେଉଛି। ଏହି ବଜାର ଦ୍ରୁତଗତିରେ ଆଗକୁ ବଢ଼ୁଛି। କେବଳ ନିଜେ ପିନ୍ଧିବା ପାଇଁ ନୁହେଁ ପରିବାରର ଅନ୍ୟ ସଦସ୍ୟ ଏବଂ ପ୍ରିୟଜନଙ୍କୁ ଉପହାର ଦେବାଲାଗି ମଧ୍ୟ ହସ୍ତତନ୍ତ ଶାଢ଼ି ଓ ପୋଷାକ କିଣିବାକୁ ଅଧିକରୁ ଅଧିକ ଲୋକ ପସନ୍ଦ କରୁଛନ୍ତି। ‌ତେଣୁ ଖୁବ୍ କମ୍‌ ଦିନ ମଧ୍ୟରେ ଏହି ବଜାରର ଆକାର ବହୁଗୁଣିତ ହେବ ବୋଲି ସେ ମତ ଦେଇଛନ୍ତି।

ଓଡ଼ିଆ ସଂସ୍କୃତିର ଛାପ ଅଧିକ ଲୋକପ୍ରିୟ
ଓଡ଼ିଶାରେ ବହୁସ୍ଥାନରେ ହସ୍ତତନ୍ତ ପୋଷାକ ଓ ଶାଢ଼ି ଆଦି ତିଆରି ହୋଇଥାଏ। ଏଗୁଡ଼ିକରେ ଓଡ଼ିଶା ସଂସ୍କୃତି ଓ ପରମ୍ପରାର ଛବି ଓ ଛାପ ଦେଖିବାକୁ ମିଳିଥାଏ। ମୁଖ୍ୟତଃ କୋଣାର୍କ ମନ୍ଦିର ସ‌ମେତ ବିଭିନ୍ନ ଫୁଲ, ପଶାପାଲି ଏବଂ ଆଦିବାସୀ ସଂସ୍କୃତିର ଛବି ଶାଢ଼ି ଓ ପୋଷାକ ଗୁଡ଼ିକରେ ରହିଥାଏ। ତେଣୁ ହସ୍ତତନ୍ତ ଶାଢ଼ିଗୁଡ଼ିକ ମେସିନରେ ତିଆରି ଶାଢ଼ି ଓ ପୋଷାକ ତୁଳନାରେ ଭିନ୍ନ ରହିଥାଏ। ଓଡ଼ିଶାର ସଂସ୍କୃତି ଓ ପରମ୍ପରାକୁ ନେଇ ପ୍ରସ୍ତୁତ ପୋଷାକ ଓ ଶାଢ଼ିଗୁଡ଼ିକ ଓଡ଼ିଶା ଭିତରେ ଏବଂ ବାହାରେ ଲୋକପ୍ରିୟତା ହାସଲ କରିଛି।

ଦାମ୍‌ ଅପେକ୍ଷାକୃତ ଅଧିକ
ହସ୍ତତନ୍ତ ଶାଢ଼ିଗୁଡ଼ିକକୁ ବୁଣିବା ପାଇଁ ଅଧିକ ସମୟ ଲାଗିଥାଏ। ଏଥିପାଇଁ ଏହାର ଦାମ ମେସିନରେ ତିଆରି ଶାଢ଼ି ତୁଳନାରେ ଯଥେଷ୍ଟ ଅଧିକ ରହିଥାଏ। ତେବେ ବଡ଼ ବଡ଼ ସୋ’ରୁମ୍‌ଗୁଡ଼ିକରେ ଏହି ଶାଢ଼ିଗୁଡ଼ିକର ମୂଲ୍ୟ ୧୦୦୦ ଟଙ୍କାରୁ ଆରମ୍ଭ ହୋଇ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି। ସାର୍ଟ, କୁର୍ତ୍ତା ଆଦିର ମୂଲ୍ୟ ୭୦୦ ଟଙ୍କାରୁ ଆରମ୍ଭ ହୋଇ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି। ଝିଅମାନଙ୍କ ଡ୍ରେସ ମୂଲ୍ୟ ୨୦୦୦ ଟଙ୍କାରୁ ଆରମ୍ଭ ହୋଇଯାଉଛି। ତେବେ ସୋରୁମ୍‌ ଅନୁସାରେ ଦରରେ ପାର୍ଥକ୍ୟ ରହୁଛି। ରାଜଧାନୀର ଜଣେ ପ୍ରମୁଖ ବ୍ୟବସାୟୀଙ୍କ କହିବାନୁଯାୟୀ, ଓଲ୍‌ଡ ଇଜ୍‌ ଗୋଲ୍‌ଡ ଭଳି ଆଧୁନିକ ଏବଂ ଶିକ୍ଷିତ ମହିଳାମାନେ ଓଡ଼ିଶାର ପାରମ୍ପରିକ ଶାଢ଼ି ଏବଂ ପୋଷାକକୁ ଅଧିକ ମାତ୍ରାରେ ପସନ୍ଦ କରୁଛନ୍ତି। ଏହି ଶାଢ଼ି ଓ ପୋଷାକ ପିନ୍ଧୁଥିବା ବ୍ୟକ୍ତିମାନେ ସୌମ୍ୟ, ସୁରୁଚିପୂର୍ଣ୍ଣ ଏବଂ ଭବ୍ୟ ଦେଖାଯାଉଛନ୍ତି।

ଯୁବତୀଙ୍କ ପସନ୍ଦ କୁର୍ତି, ଡ୍ରେସ୍‌ ମାଟେରିଆଲ୍‌
କମ୍‌ ବୟସର ମହିଳା ଓ ଯୁବତୀମାନେ ହ୍ୟାଣ୍ଡଲୁମ୍ ପୋଷାକ ଓ ଡ୍ରେସ ପିନ୍ଧିବାକୁ ଭଲ ପାଉଛନ୍ତି। ଯୁବତୀମାନେ ଡ୍ରେସ୍‌ ମାଟେରିଆଲ୍‌ ଓ ରେଡିମେଡ୍‌ କୁର୍ତି ଅଧିକ ପସନ୍ଦ କରୁଛନ୍ତି। ଅଫିସ ଯାଉଥିବା କମ୍‌ ବସୟର ମହିଳାମାନେ ଶାଢ଼ି ଅପେକ୍ଷା ଡ୍ରେସକୁ ଅଧିକ ପସନ୍ଦ କରୁଛନ୍ତି। କାରଣ ଶାଢ଼ିରେ ସାୟା ଓ ବ୍ଲାଉଜ୍ ଆଦି ଦରକାର ହେଉଥିବାରୁ ଡ୍ରେସ୍‌କୁ ଏମାନେ ଅଧିକ ପସନ୍ଦ କରୁଛନ୍ତି ବୋଲି ଜଣେ ବ୍ୟବସାୟୀ ମତ ଦେଇଛନ୍ତି।

ସାର୍ଟ, ବେଡ୍‌ସିଟ୍‌, ରୁମାଲ୍‌ ବି ମିଳୁଛି
ଓଡ଼ିଶାରେ ହସ୍ତତନ୍ତର ଏକାଧିକ ପ୍ରକାର ରୁମାଲ, ଶାଢ଼ି, ବସ୍ତ୍ର, ବେଡସିଟ୍ ଆଦି ମିଳିଥାଏ। ସେଗୁଡ଼ିକ ମଧ୍ୟରେ ସମ୍ବଲପୁର, କଟକର ନୂଆପାଟଣା ଓ ମାଣିଆବନ୍ଧ, ସୋନପୁର, ବୌଦ୍ଧ, ଅନୁଗୁଳର ଆଠମଲ୍ଲିକ, କୋରାପୁଟର କୋଟପାଡ଼, ଗଞ୍ଜାମର ‌ବମକାଇ, ଥୋଡ଼ାକୁମ୍ଭ, ପିତ୍ତଳ ଓ ପଦ୍ମନାଭପୁର, କେନ୍ଦ୍ରୁଝରର ଫକିରପୁର, ବରଗଡ଼ର ବରପାଲି, ଯାଜପୁରର ଗୋପାଳପୁର ଏବଂ ମୟୂରଭଞ୍ଜର ମାଙ୍କିଡ଼ିଆ ଆଦି ଅନ୍ୟତମ। ଏସବୁ ସ୍ଥାନରେ ପ୍ରସ୍ତୁତ ବସ୍ତ୍ର ପୋଷାକଗୁଡ଼ିକ ରାଜ୍ୟର ସୋରୁମ୍‌ ଗୁଡ଼ିକରେ ମୁଖ୍ୟତଃ ବିକ୍ରି ହୋଇଥାଏ। ଏଥିରେ ଶାଢ଼ିଠାରୁ ଆରମ୍ଭ କରି ପୁଅମାନଙ୍କ ପ୍ୟାଣ୍ଟ ସାର୍ଟ, ଯୋଡ଼, ଅଙ୍ଗବସ୍ତ୍ର, ରୁମାଲ, ଦୁପଟ୍ଟା, ହେଡସ୍କାର୍ଫ ଆ‌ଦି ରହିଛି। ଅଫିସରେ ପିନ୍ଧିବା ପାଇଁ ଫର୍ମାଲ, ଅବସର ସମୟ ପାଇଁ କାଜୁଆଲ ଏବଂ ଉତ୍ସବ ଆଦିରେ ପିନ୍ଧିବା ପାଇଁ ଶାଢ଼ି ଓ ପୋଷାକ ଆଦି ମିଳୁଛି।

ସମ୍ବନ୍ଧିତ ଖବର