ଭୁବନେଶ୍ବର : ଭାରତର ୭୮ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଫ୍ୟାସନ୍ ଟେକ୍ନୋଲୋଜି (ନିଫ୍ଟ) ଭୁବନେଶ୍ୱର ପକ୍ଷରୁ ହସ୍ତତନ୍ତ ପକ୍ଷ ଉଦଯାପିତ ହୋଇଛି। ୨୦୨୪ ଅଗଷ୍ଟ ପହିଲାରୁ ଆରମ୍ଭ ହୋଇଥିବା ହସ୍ତତନ୍ତ ପକ୍ଷ ଭାରତୀୟ ହସ୍ତତନ୍ତ ଏବଂ ଏହାକୁ ତିଆରି କରୁଥିବା କାରିଗରମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସମର୍ପିତ ଏକ ଦୁଇ ସପ୍ତାହ ବ୍ୟାପୀ ଉତ୍ସବ ଥିଲା । ଅଗଷ୍ଟ ୧୫ ରେ ସ୍ୱାଧୀନତା ଦିବସ ଅବସରରେ ଏହି କାର୍ଯ୍ୟକ୍ରମର ସମାପନ ଭାରତର ସ୍ୱାଧୀନତା ସଂଗ୍ରାମରେ ହସ୍ତତନ୍ତର ଭୂମିକା ଏବଂ ଏକ ଆତ୍ମନିର୍ଭରଶୀଳ ରାଷ୍ଟ୍ର ଭାବରେ ଏହାର ପରିଚୟ ଉପରେ ଆଲୋକପାତ କରାଯାଇଥିଲା  ।

Advertisment

ହସ୍ତତନ୍ତ କ୍ଷେତ୍ରକୁ ପୁନର୍ଜୀବିତ କରିବା ଏବଂ ପିଢ଼ି ପିଢ଼ି ଧରି ଏହି ପାରମ୍ପରିକ କଳାକୁ ସଂରକ୍ଷଣ କରି ଆସୁଥିବା କାରିଗରମାନଙ୍କୁ ସହାୟତା କରିବା ପାଇଁ ଦେଶବ୍ୟାପୀ  ପାଳନ କରାଯାଇଥିବା ଅଭିଯାନର ଏକ ଅଂଶଭାବେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ହସ୍ତତନ୍ତ କପଡ଼ାକୁ ମୁଖ୍ୟ ସ୍ରୋତରେ ସାମିଲ କରି ସ୍ଥାୟୀ ଓ ନୈତିକ ଫ୍ୟାଶନ ଅଭ୍ୟାସକୁ ପ୍ରେତ୍ସାହିତ କରିବା ଏହାର ଲକ୍ଷ୍ୟ ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ଅଞ୍ଚଳର ଉତ୍କୃଷ୍ଟ ହସ୍ତତନ୍ତ ବୟନଶିଳ୍ପକୁ ପ୍ରଦର୍ଶିତ କରାଯାଇଥିଲା, ଯେଉଁମାନଙ୍କ ସହିତ ନିଫ୍ଟ ତୃଣମୂଳ ସ୍ତରରେ ହସ୍ତକ୍ଷେପ କରି ବିଭିନ୍ନ ଦିଗରେ ପରିବର୍ତ୍ତନ ଆଣିଛି ଯାହା ଦ୍ୱାରା ସାମଗ୍ରୀ କାରବାର, ଉତ୍ପାଦ ବିବିଧତା, ବ୍ରାଣ୍ଡପ୍ରୋତ୍ସାହନ ଏବଂ ମାର୍କେଟିଂ ସଂଯୋଗ ବୃଦ୍ଧି ହୋଇଛି । କାରିଗରମାନେ ନିଜେ ଅଗଷ୍ଟ ୮ରୁ ୯ ତାରିଖ ମଧ୍ୟରେ ଏକ କ୍ରାଫ୍ଟ ହାଟରେ ଯୋଗଦେଇ ପରିସରରେ ସେମାନଙ୍କ ଉତ୍ପାଦ ପ୍ରଦର୍ଶନ ଏବଂ ବିକ୍ରୟ କରିଥିଲେ। ଛାତ୍ରଛାତ୍ରୀ ଓ ପର୍ଯ୍ୟଟକଙ୍କ ପାଇଁ ସାବାଇ ଘାସ, ଟାଇ ଆଣ୍ଡ ଡାଇ ଡାଇ ଏବଂ ଟର୍ଣ୍ଣଉଡ୍ ଖେଳନା ବିକାଶ ଉପରେ ହସ୍ତତନ୍ତ ଓ ହସ୍ତଶିଳ୍ପ କୌଶଳ ଉପରେ କର୍ମଶାଳା ଅନୁଷ୍ଠିତ ହୋଇଥିଲା।

ଏହି କାର୍ଯ୍ୟକ୍ରମ ଅବସରରେ ଏକ ଆଲୋଚନାଚକ୍ର ବି ଅନୁଷ୍ଠିତ ହୋଇଥିଲେ । ଏହାର ବିଷୟ ଥିଲା ଭାରତର ହସ୍ତତନ୍ତ ଐତିହ୍ୟର ପୁନର୍ଜାଗରଣ । କେଭିଆଇସିର ଆଞ୍ଚଳିକ ନିର୍ଦ୍ଦେଶକ ସୁଭାଷ ଛେତ୍ରୀ, ଟ୍ରାଇଫେଡର ଆଞ୍ଚଳିକ ନିର୍ଦ୍ଦେଶକ ରାହୁଲ କୁମାର, ଅନୀତା ଓ ଅମୃତା ସାବତ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ନିଫ୍ଟ ଭୁବନେଶ୍ବର ନିର୍ଦ୍ଦେଶକ ରାଜେଶ କୁମାର ଝା  ଭାରତର ସଂସ୍କୃତି ଓ ଅର୍ଥନୀତିରେ ହସ୍ତତନ୍ତର ମହତ୍ତ୍ବ ବିଷୟରେ କହିଥିଲେ ।