ନୂଆଦିଲ୍ଲୀ: ନିରବ ମୋଦିଙ୍କ କଳା କାରନାମା ସମ୍ପର୍କରେ ୨୦୧୬ ଜୁଲାଇ ୨୬ରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍ଓ)କୁ ଜଣାଇଥିଲେ ବେଙ୍ଗାଲୁରୁର ଗହଣା ବ୍ୟବସାୟୀ ହରି ପ୍ରସାଦ ଏସ୍ଭି। ହରି ପ୍ରସାଦ ପ୍ରଥମେ ଏ ନେଇ ଇଡି, ସିବିଆଇ ଓ ଅନ୍ୟ କେତେକ ତଦନ୍ତକାରୀ ସଂସ୍ଥାକୁ ଜଣାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିଲା। ତେଣୁ, ଅନ୍ୟ ଉପାୟ ନପାଇ ସେ ପିଏମ୍ଓକୁ ଚିଠି ଲେଖିଥିଲେ। କିଛି ଦିନ ପରେ ତାଙ୍କ ପାଖକୁ ସରକାରଙ୍କ ଏକ ଇ-ମେଳ୍ ଆସିଲା। ତାଙ୍କ ମାମଲାକୁ ବନ୍ଦ କରିଦିଆଯାଇଛି ବୋଲି ସେଥିରେ ଲେଖାଥିଲା। ନିରବଙ୍କ ମାମୁଁ ମେହୁଲ ଚୋକ୍ସିଙ୍କ ସହ ମିଶି ହରି ପ୍ରସାଦ ୧୦ କୋଟି ଟଙ୍କା ନିବେଶରେ ଏକ ସୋ’ରୁମ୍ ଖୋଲିଥିଲେ। ରାଜିନାମା ଅନୁଯାୟୀ ତାଙ୍କୁ ୧୦ କୋଟି ଟଙ୍କାର ସୁନା ଦିଆଯିବାର ଥିଲା। କିନ୍ତୁ ଚୋକ୍ସି କେବଳ ୫ କୋଟି ଟଙ୍କାର ଗହଣା ଦେଇଥିଲେ। ପ୍ରତାରଣାର ଶିକାର ହୋଇଥିବା ହରି ପ୍ରସାଦ ଏ ନେଇ ଏତଲା ମଧ୍ୟ ଦେଇଥିଲେ। ଆଜି କଂଗ୍ରେସ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ଦୋଷ ମୁଣ୍ଡାଇବାକୁ କେହି ରାଜି ନୁହନ୍ତି
ଭାରତର ବ୍ୟାଙ୍କିଂ ବ୍ୟବସ୍ଥାରେ ଦେଖାଦେଇଥିବା ଏହି ବଡ଼ ଧରଣର ଠକେଇକୁ ନେଇ ଉଭୟ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଓ ଅନ୍ୟ ବ୍ୟାଙ୍କ ଗୁଡ଼ିକ ମଧ୍ୟରେ କାଦୁଅଫିଙ୍ଗା ଆରମ୍ଭ ହୋଇଯାଇଛି। କେହି ଯେପରି ଏହାର ଦୋଷ ମୁଣ୍ଡାଇବାକୁ ପ୍ରସ୍ତୁତ ନାହାନ୍ତି। ଅନ୍ୟ ବ୍ୟାଙ୍କ ଗୁଡ଼ିକ ଏ କ୍ଷେତ୍ରରେ ଠିକ୍ ଭାବେ ଦାୟିତ୍ୱ ନିର୍ବାହ କରିନାହାନ୍ତି। ମୋଦିଙ୍କ ଗ୍ରୁପ୍ କମ୍ପାନି ଓ ପିଏନ୍ବିର ମୁମ୍ବାଇ ସ୍ଥିତ ସଂପୃକ୍ତ ଶାଖା ଓ ବିଦେଶରେ ଥିବା ଅନ୍ୟ ବ୍ୟାଙ୍କର ଅଧିକାରୀମାନଙ୍କ ମଧ୍ୟରେ ଭିତିରି ବୁଝାମଣା ଥିଲା ବୋଲି ପିଏନ୍ବି ପକ୍ଷରୁ କୁହାଯାଇଛି। ରିଜର୍ଭ ବ୍ୟାଙ୍କର ନିୟମାବଳୀକୁ ବ୍ୟାଙ୍କ ଗୁଡ଼ିକ ଉଲ୍ଲଂଘନ କରିଥିବା ପିଏନ୍ବି କହିଛି।