ନୂଆଦିଲ୍ଲୀ: ଆମେରିକା ସହିତ ହୋଇଥିବା ଅନ୍ତରୀଣ ବାଣିଜ୍ୟ ରାଜିନାମା ଢାଞ୍ଚାରେ ଭାରତ ଦାମୀ ବାଇକ୍‌, କାର ଉପରୁ ଆମଦାନି ଶୁଳ୍କ ହ୍ରାସ କରିଛି। ଏଥି‌ଯୋଗୁ ଆମେରିକାରେ ସଂପୂର୍ଣ୍ଣ ନିର୍ମିତ ହାର୍ଲି ଡେଭିଡସନ୍‌ ବାଇକ୍‌ ଭାରତରେ ଶସ୍ତା ହେବ। ୮୦୦ ସିସିରୁ ଅଧିକ ଏବଂ ୧୬୦୦ ସିସି ପର୍ଯ୍ୟନ୍ତ ଇଞ୍ଜିନ କ୍ଷମତା ବିଶିଷ୍ଟ ବାଇକ୍‌ ଉପରେ ଶୁଳ୍କ ସଂପୂର୍ଣ୍ଣ ଉଚ୍ଛେଦ କରାଯାଇଛି। ସଂପ୍ରତି ଏହି ବାଇକ୍‌ଗୁଡ଼ିକ ଉପରେ ୪୦ ପ୍ରତିଶତ ମୌଳିକ ଆମଦାନି ଶୁଳ୍କ ଏବଂ ୪ ପ୍ରତିଶତ ସାମାଜିକ ମଙ୍ଗଳ ସରଚାର୍ଜ ଲାଗୁ କରାଯାଉଛି। ଅତୀତରେ ଆମେରିକା ରାଷ୍ଟ୍ରପତି ଡେନାଲ୍ଡ ଟ୍ରମ୍ପ ଭାରତକୁ ଉଚ୍ଚ ଶୁଳ୍କ ଦେଶ ବୋଲି କହିଥିଲେ। ଭାରତରୁ ଆସୁଥିବା ଅନେକ ସାମଗ୍ରୀ ଉପରେ ଆମେରିକା କମ୍‌ ଶୁଳ୍କ ଆଦାୟ କରୁଥିବାବେଳେ ଭାରତ ଆମେରିକାର ସାମଗ୍ରୀ ଉପରେ ଅଧିକ ଶୁଳ୍କ ଲଗାଉଛି ବୋଲି ଅଭିଯୋଗ କରିଥିଲେ। ବିଶେଷକରି ହାର୍ଲି ଡେଭିଡସନ୍‌ ବାଇକ୍‌ ଉପରେ ଭାରତ ଲଗାଉଥିବା ଶୁଳ୍କ ବିଷୟ ଉଲ୍ଲେଖ କରିଥିଲେ। ଆମେ ଯେତେବେଳେ ଭାରତକୁ ମୋଟରସାଇକଲ ପଠାଉଛୁ ସେହି ଦେଶ ୧୦୦ ପ୍ରତିଶତ ଶୁଳ୍କ ଲଗାଉଛି। କିନ୍ତୁ ଭାରତ ଯେତେବେ‌ଳେ ଆମ ଦେଶକୁ ସାମଗ୍ରୀ ପଠାଉଛି ଆମେ ତାହା ଉପରେ କିଛି ଶୁଳ୍କ ଆଦାୟ କରୁନାହୁଁ। ତେଣୁ ଦାମୀ ବାଇକ୍‌ ଉପରେ ଶୁଳ୍କ ହ୍ରାସ କରିବା ପାଇଁ ଟ୍ରମ୍ପ ଦାବି କରିଆସୁଥିଲେ। ତେବେ ବିଶ୍ବରେ ଏକମାତ୍ର ସହଯୋଗୀ ଭାବେ ହିରୋ ମୋଟୋକର୍ପ ହାର୍ଲି ଡେଭିଡସନ୍‌ର ୪୪୦ ସିସି ବାଇକ୍‌ ଉତ୍ପାଦନ କରୁଛି। ହାର୍ଲି ଡେଭିଡସନ ବାଇକ୍‌ ଉପରୁ ଶୁଳ୍କ ହ୍ରାସ ପରେ ହିରୋ ମୋଟୋକର୍ପ ପ୍ରଭାବିତ ହେବନାହିଁ ବୋଲି କୁହାଯାଉଛି।

Advertisment

ଆମେରିକାରେ ସଂପୂର୍ଣ୍ଣ ନିର୍ମିତ ହାର୍ଲି ଡେଭିଡସନ୍‌ ବାଇକ୍‌ ଭାରତରେ ଶସ୍ତା 

ଅଧିକପଢ଼ନ୍ତୁ:ବଡ଼ ପରାଜୟରୁ ଅଳ୍ପକେ ବର୍ତ୍ତିଲା ପୂର୍ବ ବିଶ୍ବ ବିଜେତା

ଆମେରିକାରୁ ଆମଦାନି ହେବାକୁ ଥିବା ୨୫୦୦ ସିସିରୁ ଅଧିକ କ୍ଷମତା ବିଶିଷ୍ଟ ଡିଜେଲ କାର ଏବଂ ୩୦୦୦ ସିସିରୁ ଅଧିକ କ୍ଷମତା ବିଶିଷ୍ଟ ପେଟ୍ରୋଲ କାର ଉପରୁ ମଧ୍ୟ ଆମଦାନି ଶୁଳ୍କ ହଟାଇ ଦିଆଯାଇଛି। ଏହାଦ୍ବାରା ଭାରତରେ ଆମେରିକା ନିର୍ମିତ ଏସବୁ ଗାଡ଼ି ଶସ୍ତା ହେବ।

ଅଧିକପଢ଼ନ୍ତୁ:ଆତଙ୍କବାଦ ବିରୋଧରେ ଦୋମୁହାଁ ନୀତି କିମ୍ବା ବୁଝାମଣା ଚଳିବ ନାହିଁ: ମୋଦୀ