ଭାରତରୁ ବିଦାୟ ନେବ ହାର୍ଲି-ଡେଭିଡ୍‌ସନ୍‌

ନୂଆଦିଲ୍ଲୀ: କରୋନା ମହାମାରୀର ପ୍ରଭାବ ଅଟୋମୋବାଇଲ ଶିଳ୍ପକୁ ବହୁ ପୂର୍ବରୁ ପ୍ରଭାବିତ କରିସାରିଛି। ବିକ୍ରି ଏବଂ ଉତ୍ପାଦନ କମିଯାଇଛି। ଏବେ ଭାରତରେ କେବଳ କାରଖାନା ନୁହେଁ, ଉତ୍ପାଦନ ବନ୍ଦ କରିବାକୁ ମଧ୍ୟ ଆମେରିକାଭିତ୍ତିକ ପ୍ରମୁଖ ଦାମୀ ବାଇକ୍ ନିର୍ମାତା ‌ହାର୍ଲି-ଡେଭିଡ୍‌ସନ୍‌ ନିଷ୍ପତ୍ତି ନେଇଛି। ଗତ ଅଗଷ୍ଟରୁ ଏ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଉଥିଲେ ମଧ୍ୟ ଏବେ ଏହା ସ୍ପଷ୍ଟ ହୋଇଛି। ବିଶ୍ବରେ କମ୍ପାନି ଏହାର ପୁନର୍ଗଠନ ଯୋଜନା ‘ରିଓୟାର’ ଅଧୀନରେ ଏହି କାର୍ଯ୍ୟ ସମ୍ପାଦନ କରିବ ବୋଲି ଗୁରୁବାର ଘୋଷଣା କରିଛି। ଏହି ନିଷ୍ପତ୍ତି ଦ୍ବାରା କମ୍ପାନିର ପ୍ରାୟ ୭୦ ଜଣ କର୍ମଚାରୀ ଛଟେଇ ‌ହେବେ। ଭାରତରେ ବିକ୍ରି ସଂଖ୍ୟା କମ୍ ରହିବା ସହିତ ଆଗାମୀ ଦିନରେ ଚାହିଦାରେ ଉନ୍ନତି ନଆସିବା ଆଶଙ୍କା କାରଣରୁ କମ୍ପାନି ଏହି ନିଷ୍ପତ୍ତି ନେଇଛି। ଗତ ଆର୍ଥିକ ବର୍ଷ କମ୍ପାନି ଭାରତରେ ୨୫୦୦ଟିରୁ କମ୍ ଗାଡ଼ି ବିକ୍ରି କରିଛି। ଫଳରେ ଆମେରିକା ବାହାରେ କମ୍ପାନିର ସବୁଠୁ ଖରାପ ପ୍ରଦର୍ଶନ କରିଥିବା ବଜାର ଭିତରେ ଭାରତ ରହିଛି। ଭାରତରେ କମ୍ପାନି ହରିୟାଣାର ବାୱାଲଠାରେ ଏହାର ବାଇକ୍‌ଗୁଡ଼ିକର ଆସେମ୍ବ୍ଲି କରିଥାଏ।

୨୦୧୮-୧୯ ଆର୍ଥିକ ବର୍ଷରେ କମ୍ପାନିର ବାଇକ୍ ବିକ୍ରି ସଂଖ୍ୟା ଭାରତରେ ୨୨ ପ୍ରତିଶତ ହ୍ରାସ ଘଟି ୨୬୭୬ ୟୁନିଟ୍ ରହିଥିଲା। ‌ତେବେ ଭାରତରେ କମ୍ପାନି ବିକ୍ରି କରୁଥିବା ମୋଟ ବାଇକ୍ ମଧ୍ୟରୁ ପ୍ରାୟ ୬୫ ପ୍ରତିଶତ ବାଇକ୍‌ ୭୫୦ ସିସିରୁ କମ୍‌ ଇଞ୍ଜିନ କ୍ଷମତା ବିଶିଷ୍ଟ। ଗତ ୩ରୁ ୪ ବର୍ଷ ଭିତରେ ଜେନେରାଲ ମୋଟର୍ସ, ଫିଆଟ, ସାଙ୍ଗୟଙ୍ଗ, ସ୍କାନିଆ, ମ୍ୟାନ୍, ୟୁଏମ୍‌ ମୋଟର ସାଇକଲ ଭଳି ବ୍ରାଣ୍ଡ୍‌ ଭାରତ ଛାଡ଼ିଥିବାବେଳେ ଏବେ ଏହି ତାଲିକାରେ ହାର୍ଲି-ଡେଭିଡ୍‌ସନ୍‌ ସାମିଲ ହୋଇଛି।

ସମ୍ବନ୍ଧିତ ଖବର