୪୧ ଲକ୍ଷ ବ୍ୟାଙ୍କ ଖାତା ବନ୍ଦ ଖବରକୁ ଅସ୍ୱୀକାର କଲା ଷ୍ଟେଟ ବ୍ୟାଙ୍କ

ମୁମ୍ବାଇ: ସର୍ବନିମ୍ନ ଜମାରାଶି ନଥିବାରୁ ପ୍ରାୟ ୪୧ ଲକ୍ଷ ୧୬ ହଜାର ବ୍ୟାଙ୍କ ଖାତା ବନ୍ଦ କରାଯାଇଥିବା ଖବର ବାବଦରେ ସ୍ପଷ୍ଟୀକରଣ ଦେଇଛି ଭାରତୀୟ ଷ୍ଟେଟ ବ୍ୟାଙ୍କ । ଏସବିଆଇ ପକ୍ଷରୁ କୁହାଯାଇଛି ଯେ ଏସବୁ ବ୍ୟାଙ୍କ ଖାତାଗୁଡ଼ିକ ବ୍ୟାଙ୍କ ନିଜେ ବନ୍ଦ କରିନାହିଁ । ବରଂ ଏଗୁଡିକମଧ୍ୟରୁ ଅନେକ ଖାତା ଗ୍ରାହକଙ୍କ ଅନୁମତି କ୍ରମେ ବନ୍ଦ କରାଯାଇଛି । ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ ଗତ ବର୍ଷ ଏପ୍ରିଲ ପହିଲାରୁ ଷ୍ଟେଟ ବ୍ୟାଙ୍କ ଓ ତାହାର ସହଯୋଗୀ ବ୍ୟାଙ୍କଗୁଡ଼ିକର ମିଶ୍ରଣ ପରେ ଅନେକ ଗ୍ରାହକଙ୍କର ଏକାଧିକ ବ୍ୟାଙ୍କ ଖାତା ରହିଥିବା ଦେଖାଯାଇଥିଲା । ଗ୍ରାହକଙ୍କ ଅନୁମତି କ୍ରମେ ଅତିରିକ୍ତ ଖାତାଗୁଡ଼ିକୁ ବନ୍ଦ କରାଯାଇଥିଲା । ଏହି କାରଣରୁ ଚଳିତ ବର୍ଷ ବନ୍ଦ ହୋଇଥିବା ବ୍ୟାଙ୍କ ଖାତା ସଂଖ୍ୟା ବେଶ ଅଧିକ ରହିଛି । ଆହୁରି ମଧ୍ୟ ଯେଉଁ ଗ୍ରାହକମାନେ ନିଜର ରେଗୁଲାର ସେଭିଙ୍ଗ ବ୍ୟାଙ୍କ ଖାତାରେ ସର୍ବନିମ୍ନ ବାଲାନ୍ସ ରଖିପାରୁନାହାନ୍ତି ସେମାନଙ୍କୁ ମାଗଣାରେ ବେସିକ୍‌ ସେଭିଙ୍ଗସ ବ୍ୟାଙ୍କ ଆକାଉଣ୍ଟକୁ ପରିବର୍ତ୍ତନ କରିବାକୁ ସୁଯୋଗ ଦିଆଯାଇଥିଲା । ଏହି ଧରଣର ଆକାଉଣ୍ଟରେ ସର୍ବନିମ୍ନ ରାଶି ରଖିବାକୁ ପଡିନଥାଏ ।

ଷ୍ଟେଟ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ ବ୍ୟାଙ୍କର ମୋଟ ୪୧ କୋଟି ସଂଚୟ ଖାତା ରହିଛି । ଚଳିତ ଆର୍ଥିକ ବର୍ଷରେ ୨.୧୦ କୋଟି ନୂଆ ଖାତା ଖୋଲାଯାଇଛି । ଏହା ମଧ୍ୟରୁ ୧.୧୦ କୋଟି ଖାତା ହେଉଛି ଜନଧନ ଖାତା, ଯେଉଁଗୁଡ଼ିକରେ ସର୍ବନିମ୍ନ ବାଲାନ୍ସ ରଖିବାକୁ ପଡିନଥାଏ । ବ୍ୟାଙ୍କ ପକ୍ଷରୁ ସର୍ବନିମ୍ନ ବାଲାନ୍ସ ଆବଶ୍ୟକତାକୁ ୭୫ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରାଯାଇଛି । ଆସନ୍ତା ଏପ୍ରିଲ ୧ରୁ ଏହା ଲାଗୁ ହେବ ।

ସମ୍ବନ୍ଧିତ ଖବର