୨୦୧୯ ସୁଦ୍ଧା ୧୦୦୦ ଗାଁରେ ପହଞ୍ଚିବ

ଏଚ୍‌ଡିଏଫ୍‌ସି ବ୍ୟାଙ୍କର ‘ପରିବର୍ତ୍ତନ’ କାର୍ଯ୍ୟକ୍ରମ

ଅମ୍ପାଥୋ(ସିଲଂ)(ଧୀରେନ୍ଦ୍ର କୁମାର ବେହେରା): ଦେଶର ଅଗ୍ରଣୀ ଘରୋଇ ବ୍ୟାଙ୍କ, ଏଚ୍‌ଡିଏଫ୍‌୍‌ସି ବ୍ୟାଙ୍କ ପକ୍ଷରୁ ମେଘାଳୟର ରାଜଧାନୀ ସିଲଂଠାରୁ ପ୍ରାୟ ୮୫ କିଲୋମିଟର ଦୂର ପାହାଡ଼ ଉପରେ ଏକ ଛୋଟିଆ ଗାଁ ଅମ୍ପାଥୋରେ ‘ପରିବର୍ତ୍ତନ’ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ପରିବର୍ତ୍ତନ ହେଉଛି ବ୍ୟାଙ୍କର ପ୍ରମୁଖ କର୍ପୋରେଟ୍‌ ସାମାଜିକ ଦାୟିତ୍ୱ (ସିଏସ୍‌ଆର୍‌) କାର୍ଯ୍ୟକ୍ରମ। ଏହା ଜରିଆରେ ବ୍ୟାଙ୍କ ପକ୍ଷରୁ ଗାଁଗୁଡ଼ିକରେ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ପାନୀୟ ଜଳର ବ୍ୟବସ୍ଥା କରାଯାଉଥିବା ବେଳେ ଗାଁର ଲୋକମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ସେମାନଙ୍କୁ ଧନ୍ଦାମୂଳକ ତାଲିମ ମଧ୍ୟ ପ୍ରଦାନ କରାଯାଉଛି। ଏହି କାର୍ଯ୍ୟକ୍ରମ ଜରିଆରେ ଗ୍ରାମୀଣ ଲୋକମାନଙ୍କୁ ବ୍ୟାଙ୍କ ପକ୍ଷରୁ ସଶକ୍ତ କରାଯାଉଛି। ୨୦୧୯ ସୁଦ୍ଧା ୧୦୦୦ଟି ଗାଁରେ ପରିବର୍ତ୍ତନ କାର୍ଯ୍ୟକ୍ରମ ପହଞ୍ଚାଇବାକୁ ବ୍ୟାଙ୍କ ଲକ୍ଷ୍ୟ ରଖିଛି। ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ୭୫୦ତମ ଗାଁ ଥିଲା ଅମ୍ପାଥୋ। ଏହି ଗ୍ରାମର ଜନସଂଖ୍ୟା ହେଉଛି ୫୫୦। ବ୍ୟାଙ୍କ ସହାୟତାରେ ଗାଁରେ ଛଅଟି ପାଣି ଟାଙ୍କି ନିର୍ମାଣ କରାଯାଇଛି। ପାହାଡ଼ ତଳେ ଥିବା ଝରଣା ପାଣିକୁ ପାଇପ୍‌ ଜରିଆରେ ଗାଁରେ ପହଞ୍ଚାଇବାର ବ୍ୟବସ୍ଥା କରାଯାଇଛି। ପୂର୍ବରୁ ଗାଁ ଲୋକଙ୍କୁ ପାଣି ଆଣିବା ପାଇଁ ଦୁଇ କିଲୋମିଟର ପର୍ଯ୍ୟନ୍ତ ଯିବାକୁ ପଡ଼ୁଥିଲା। ବ୍ୟାଙ୍କ ପକ୍ଷରୁ ଗାଁର ଘରେ ଘରେ ଶୌଚାଳୟ ମଧ୍ୟ ନିର୍ମାଣ କରାଯାଇଛି।

ଏଠାରେ ସ୍ୱତନ୍ତ୍ର ଭାବେ ଆୟୋଜନ କରାଯାଇଥିବା କାର୍ଯ୍ୟକ୍ରମରେ ଏଚ୍‌ଡିଏଫ୍‌ସି ବ୍ୟାଙ୍କର ଉପ ପରିଚାଳନା ନିର୍ଦ୍ଦେଶକ ପରେଶ ଶୁକ୍ତାଙ୍କର ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ବରିଷ୍ଠ ଅଧିକାରୀ ନସରତ୍‌ ପଠାନ୍‌ କହିଛନ୍ତି ଯେ, ଗ୍ରାମାଞ୍ଚଳରେ ବାସ କରୁଥିବା ଲୋକମାନଙ୍କୁ ସାମାଜିକ ଏବଂ ଆର୍ଥିକ ସ୍ଥିତିରେ ଉନ୍ନତି ପାଇଁ ବ୍ୟାଙ୍କ ପକ୍ଷରୁ କୁକୁଡ଼ା ଓ ଘୁଷୁରି ପାଳନ, ମତ୍ସ୍ୟ ଚାଷ ଆଦି ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି। ଏହି ଅବସରରେ ବ୍ୟାଙ୍କର ଏନ୍‌୍‌ଜିଓ ସହଯୋଗୀ ‘ସଚ୍ଚ୍‌’ର ସଂପାଦକ କେପି ରାଜେନ୍ଦ୍ରନ୍‌ ଓ ‘ଆରୋହ ଫାଉଣ୍ଡେସନ୍‌’ର ସଭାପତି ନୀଲମ୍‌ ଗୁପ୍ତା, ଗାଁର ମୁଖିଆ ସର୍ବେନ୍‌ ଖାମ୍‌ଦ୍ୱେତ୍‌ ଉପସ୍ଥିତ ଥିଲେ। ଦେଶର ବିଭିନ୍ନ ସ୍ଥାନରେ ଏନ୍‌ଜିଓ ସହଯୋଗୀମାନଙ୍କ ସହାୟତାରେ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଏହାର ପରିବର୍ତ୍ତନ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରୁଛି।

ସମ୍ବନ୍ଧିତ ଖବର