ଋଣ ସୁଧହାର ବଢାଇଲା ଏଚଡିଏଫସି ବ୍ୟାଙ୍କ, ପୂର୍ବରୁ ୬ଟି ବ୍ୟାଙ୍କ ବଢାଇସାରିଛନ୍ତି

ମୁମ୍ବାଇ : ଗତ ୪ ତାରିଖରେ ରିଜର୍ଭ ବ୍ୟାଙ୍କ ଦ୍ବାରା ସୁଧହାର ବୃଦ୍ଧି କରାଯିବା ପରେ ବିଭିନ୍ନ ବ୍ୟାଙ୍କ ନିଜର ଋଣ ସୁଧହାର ବଢାଇଚାଲିଛନ୍ତି । ମଙ୍ଗଳବାରଦିନ ଦେଶର ସର୍ବବୃହତ୍ ଘରୋଇ ବ୍ୟାଙ୍କ ଏଚଡିଏଫସି ପକ୍ଷରୁ ବିଭିନ୍ନ ମିଆଦ ପାଇଁ ନିଜର ଏମସିଏଲଆର ( ମାର୍ଜିନାଲ କଷ୍ଟ ବେସଡ୍ ଲେଣ୍ଡିଂ ରେଟ୍ ) ୨୫ ବେସିସ୍ ପଏଣ୍ଟ ବୃଦ୍ଧି କରିଛି । ଏହା ଫଳରେ ବ୍ୟାଙ୍କର ଗୃହ, ଯାନବାହନ, ବ୍ୟକ୍ତିଗତ ଋଣର ଇଏମଆଇ (ମାସିକ କିସ୍ତି) ମହଙ୍ଗା ହେବ ।  ଏମସିଏଲଆର ହେଉଛି ଗୋଟିଏ ବ୍ୟାଙ୍କର ସର୍ବନିମ୍ନ ଋଣ ସୁଧହାର ଯେଉଁ ହାର ତଳକୁ ସଂପୃକ୍ତ ବ୍ୟାଙ୍କ ଋଣ ଦେଇପାରିବ ନାହିଁ ।

କେବଳ ଏଚଡିଏଫସି ବ୍ୟାଙ୍କ ନୁହେଁ, ଆଇସିଆଇସିଆଇ ବ୍ୟାଙ୍କ, ପିଏନବି, ବ୍ୟାଙ୍କ ଅଫ ବରୋଦା, କାନାରା ବ୍ୟାଙ୍କ, ୟୁନିୟନ ବ୍ୟାଙ୍କ, ବ୍ୟାଙ୍କ ଅଫ ଇଣ୍ଡିଆ ମଧ୍ୟ ନିଜର ଋଣ ସୁଧହାର ବୃଦ୍ଧି କରିସାରିଛନ୍ତି । ଏଣୁ ମୋଟାମୋଟି ଭାବେ ରିଜର୍ଭ ବ୍ୟାଙ୍କର ପଦକ୍ଷେପ ଦ୍ବାରା ଦେଶରେ ବ୍ୟାଙ୍କ ଋଣ ମହଙ୍ଗା ହୋଇଯାଇଛି ।

ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଗତ ୪ ତାରିଖ ଦିନ ରେପୋ ହାର ୪୦ ବେସିସ ପଏଣ୍ଟ ବା ୦.୪ ପ୍ରତିଶତ ବୃଦ୍ଧି କରି ୪.୪୦ ପ୍ରତିଶତ କରାଯାଇଥିଲା । ଏହା ସହିତ କ୍ୟାସ ରିଜର୍ଭ ରେସିଓ ବା ନଗଦ ଜମା ଅନୁପାତ ୫୦ ବେସିସ ପଏଣ୍ଟ ବା ୦.୫ ପ୍ରତିଶତ ବୃଦ୍ଧି କରି ୪.୫ ପ୍ରତିଶତ କରାଯାଇଥିଲା । ମୁଦ୍ରାସ୍ପୀତିକୁ ନିୟନ୍ତ୍ରଣ କରିବାକୁ ରିଜର୍ଭ ବ୍ୟାଙ୍କ ଏହି ପଦକ୍ଷେପ ନେଇଥିବା କୁହାଯାଉଛି ।

ସମ୍ବନ୍ଧିତ ଖବର