ନୂଆଦିଲ୍ଲୀ: ଏକ ବୈପ୍ଳବିକ ଚିନ୍ତାଧାରାରୁ ୨୦୦୦ ମସିହାରେ ଆରମ୍ଭ ହୋଇଥିଲା ବିଲ୍ଡେସ୍କ ନାମକ ଏକ ସଂସ୍ଥା। ଏମ୍ ଏନ୍ ଶ୍ରୀନିବାସୁ, ଅଜୟ କୌଶଳ ଓ କାର୍ତ୍ତିକ ଗଣପତି ନାମକ ତିନି ଜଣ ବ୍ୟକ୍ତି ମିଶି ଏହି ସଂସ୍ଥାକୁ ସ୍ଥାପନ କରିଥିଲେ। ଆର୍ଥିକ ସେବା ସହ ପ୍ରଯୁକ୍ତି ଜ୍ଞାନକୌଶଳର ମିଶ୍ରଣ କରି ସେମାନେ ଏଭଳି ଏକ ସଂସ୍ଥା ଗଠନ କଲେ ଯାହା ଆଜିର ଡିଜିଟାଲ୍ ଯୁଗରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ୨୦ ବର୍ଷ ପୂର୍ବେ ସେମାନେ ଯେଉଁ କଂପାନି ଗଢ଼ିଥିଲେ ତାହାକୁ ୪୭୦ କୋଟି ଡଲାରରେ ପ୍ରୋସୁସ୍ ଏନ୍ଭି ଅଧୀନରେ ଥିବା ପେ’ୟୁକୁ ବିକ୍ରି କରିଛନ୍ତି। ସେଥିରୁ ପ୍ରତି ପ୍ରତିଷ୍ଠାତା ୩୫୦୦ କୋଟି ଟଙ୍କା ଲେଖାଏଁ ପାଇଛନ୍ତି।
ବିଲ୍ଡେସ୍କରେ ତିନି ପ୍ରତିଷ୍ଠାତାଙ୍କ ୩୧% ଅଂଶଧନ ଥିଲା। ସେମାନେ ନିଜର ସବୁ ଅଂଶଧନ ବିକ୍ରି କରିଛନ୍ତି। ଏହା ସତ୍ତ୍ବେ ପେ’ୟୁ ଅଧୀନରେ ରହି ସେମାନେ ବିଲ୍ଡେସ୍କ ପାଇଁ କାର୍ଯ୍ୟ ଜାରି ରଖିବେ। ଏହି କଂପାନିକୁ ସ୍ଥାପନ କରିବା ପୂର୍ବରୁ ତିନି ପ୍ରତିଷ୍ଠାତା ଆର୍ଥର ଆଣ୍ଡରସନ୍ ନାମକ ଏକ କଂପାନିରେ କାର୍ଯ୍ୟ କରୁଥିଲେ। ୧୯୯୯ରେ ସେମାନେ ଚାକିରି ଛାଡ଼ି ଅଲଗା କିଛି କରିବାକୁ ମନ ବଳାଇଥିଲେ। ଆଇଆଇଏମ୍ ଭଳି ଅନୁଷ୍ଠାନରେ ପାଠପଢ଼ିଥିବା ଏହି ତିନି ବ୍ୟକ୍ତି ସଫଳ ପେସାକୁ ଛାଡ଼ି ଉଦ୍ୟୋଗୀ ହେବାକୁ ଚାହିଥିଲେ। ସେତେବେଳେ ତାଙ୍କ ପାଖରେ ଏତେଟା ସଞ୍ଚୟ ରାଶି ମଧ୍ୟ ନଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ସେମାନେ ଯେଉଁ ବୈପ୍ଳବିକ ଚିନ୍ତାଧାରା ପ୍ରସ୍ତୁତ କରିଥିଲେ ତାହାକୁ ବ୍ୟାଙ୍କ ଅଫ୍ ବରୋଦା ଓ ସିଡ୍ବିର ସହାୟତା ମିଳିଥିଲା। ପ୍ରାୟ ୧୫ ବର୍ଷ ପରେ ବିଶ୍ବର ପ୍ରମୁଖ ଭେଞ୍ଚର କ୍ୟାପିଟାଲ୍ ଫଣ୍ଡ୍ଗୁଡ଼ିକ ଏହି ସଂସ୍ଥାରେ ନିବେଶ କରିବାକୁ ଆଗ୍ରହ ଦେଖାଇଥିଲେ। ବିଲ୍ଡେସ୍କ ଏବେ ଆମାଜନ, ମାଇକ୍ରୋସଫ୍ଟ, ନେଟ୍ଫ୍ଲିକ୍ସ ଓ ଲିଙ୍କଡ୍ଇନ୍ ଭଳି ସଂସ୍ଥା ପାଇଁ ପେମେଣ୍ଟ୍ ଗେଟ୍ୱେ ଭାବେ କାର୍ଯ୍ୟ କରୁଛି। ଅନ୍ଲାଇନ୍ ପେମେଣ୍ଟ୍ କରୁଥିବା ଲୋକମାନେ ବିଲ୍ଡେସ୍କକୁ ନିଶ୍ଚିତ ରୂପେ ଜାଣିଥିବେ।