ନୂଆଦିଲ୍ଲୀ: ଆମେରିକାର ହିଣ୍ଡେନବର୍ଗ ଆଣିଥିବା ଅଭିଯୋଗର ତାତିକୁ ସାମ୍ନା କରୁଥିବା ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ମୁଖ୍ୟ ମାଧବୀ ପୁରୀ ବୁଚ୍‌ଙ୍କ ବିରୋଧରେ କଂଗ୍ରେସ ଦ୍ବେତ ସ୍ବାର୍ଥ ଅଭିଯୋଗ ଆଣିଛି। ସେବିରେ ପୂର୍ଣ୍ଣକାଳୀନ ସଦସ୍ୟ ଭାବେ କାର୍ଯ୍ୟ କରୁଥିବା ସତ୍ତ୍ବେ ସେ ଘରୋଇ ଆଇସିଆଇସିଆଇ ବ୍ୟାଙ୍କରୁ ବେତନ ପାଉଥିଲେ ବୋଲି କଂଗ୍ରେସ କହିଛି। 

Advertisment

ତେବେ କଂଗ୍ରେସର ଏହି ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ଆଇସିଆଇସିଆଇ ବ୍ୟାଙ୍କ ଜଣାଇଛି ଯେ ମା‌ଧବୀ ପୁରୀ ବୁଚ୍‌ ଅବସର ଗ୍ରହଣ କରିବା ପରେ ବ୍ୟାଙ୍କ କିମ୍ବା ଏହାର କୌଣସି ଗ୍ରୁପ୍ କମ୍ପାନି ତରଫରୁ ତାଙ୍କୁ କୌଣସି ଦରମ‌ା ଦିଆଯାଇନାହିଁ କିମ୍ବା ଇଏସ୍‌ଓପି ପ୍ରଦାନ କରାଯାଇନାହିଁ। କେବଳ ଅବସରକାଳୀନ ସୁବିଧାସୁଯୋଗ ପ୍ରଦାନ କରାଯାଇଛି। ୨୦୨୩ ଅକ୍ଟୋବର ୩୧ରେ ଅବସର ନେବା ଲାଗି ବୁଚ୍‌ ଚୟନ କରିଥିଲେ ବୋଲି ବ୍ୟାଙ୍କ ସ୍ପଷ୍ଟ କରିଛି। କଂଗ୍ରେସ ଅଭିଯୋଗ କରିଛି ଯେ ୨୦୧୭ରେ ସେବିରେ ଯୋଗ ଦେବା ପରଠାରୁ ଶ୍ରୀମତୀ ବୁଚ୍‌ ସେବିରୁ ଦରମା ନେଉଥିବା ବେଳେ ଆଇସିଆଇସିଆଇ ବ୍ୟାଙ୍କରୁ ମଧ୍ୟ ଦରମା ପାଉଛନ୍ତି। ଏକ ନିୟାମକ ସଂସ୍ଥାର ମୁଖ୍ୟ ଭାବେ ଏଭଳି ବେତନ ପାଇବା ସେବି ନିୟମର ଧାରା ୫୪ ଉଲ୍ଲଂଘନ କରୁଛି ବୋଲି କଂଗ୍ରେସ ନେତା ପୱନ ଖେରା କହିଛନ୍ତି। କଂଗ୍ରେସ ସୂଚନା ଅନୁସାରେ ୨୦୧୭ରୁ ବର୍ତ୍ତମାନ ସୁଦ୍ଧା ସେବି ମୁଖ୍ୟ ଶ୍ରୀମତୀ ବୁଚ୍‌ ସେବିରୁ ୩.୩ କୋଟି ଟଙ୍କାର ଦରମା ପାଇଥିବା ବେଳେ ସେହି ସମୟରେ ଆଇସିଆଇସିଆଇ ବ୍ୟାଙ୍କରୁ ତା’ଠାରୁ ପ୍ରାୟ ୬ ଗୁଣା ଅଧିକ (୧୬.୮) କୋଟି ଟଙ୍କାର ଦରମା ନେଇଛନ୍ତି। 

ଶିଳ୍ପପତି ଗୌତମ ଆଦାନିଙ୍କ ସଂସ୍ଥା ଆଦାନି ଗ୍ରୁପ୍ ବିରୋଧରେ ଆମେରିକାର ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ଆଣିଥିବା ସଙ୍ଗିନ ଅଭିଯୋଗଗୁଡ଼ିକୁ ତଦନ୍ତ କରିବା ଲାଗି ସେବିକୁ କୁହାଯାଇଛି। ନିକଟରେ ଆଉ ଏକ ଚାଞ୍ଚଲ୍ୟକର ରିପୋର୍ଟ ଜାରି କରି ହ‌ିଣ୍ଡେନବର୍ଗ ଅଭିଯୋଗ କରିଥିଲା ଯେ ଆଦାନି ଗ୍ରୁପ୍‌ର କିଛି କମ୍ପାନିରେ ଶ୍ରୀମତୀ ପୁରୀ ଓ ତାଙ୍କ ସ୍ବାମୀ ନିବେଶ କରିଛନ୍ତି। ସେଥିପାଇଁ ଏହି ତଦନ୍ତରେ ସେବି କୌଣସି ନିର୍ଦ୍ଦିଷ୍ଟ ନିଷ୍ପତ୍ତି ନେଇପାରୁନାହିଁ। ସେହି ଅଭିଯୋଗକୁ ଶ୍ରୀମତୀ ପୁରୀ ଦୃଢ଼ ଭାବେ ଖଣ୍ଡନ କରିଥିଲେ।