ଓଡ଼ିଆ ଅଧିକାରୀ ସତ୍ୟଜିତ ତ୍ରିପାଠୀ ‘ୟୁନାଇଟେଡ୍‌ ଇଣ୍ଡିଆ ଇନ୍‌ସ୍ୟୁରାନ୍ସ ଲିମିଟେଡ୍‌’ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଭାବେ ଦାୟିତ୍ବ ନିର୍ବାହ କରୁଛନ୍ତି। ଭାରତୀୟ ବୀମା ଶିଳ୍ପ, ସେଥିରେ ଥିବା ସୁଯୋଗ ଓ ସମ୍ଭାବନା ଏବଂ କମ୍ପାନି ବିଷୟରେ ସେ କରିଥିବା ଆଲୋଚନାକୁ ଏଠା‌ରେ ଉପସ୍ଥାପନ କରାଯାଇଛି

Advertisment

ଦେଶର କେତେ ଲୋକଙ୍କ ପାଖରେ ବୀମା ପହଞ୍ଚିଛି?
୨୦୨୨-୨୩ ଆର୍ଥିକ ବର୍ଷ ଶେଷ ସୁଦ୍ଧା ବୀମା ସାନ୍ଦ୍ରତା ୪% ରହିଛି। ଜୀବନ ବୀମା ସାନ୍ଦ୍ରତା ୩ ପ୍ରତିଶତ ଥିବା ବେଳେ ସାଧାରଣ ବୀମା ସାନ୍ଦ୍ରତା ମାତ୍ର ୧ ପ୍ରତିଶତ ରହିଛି। ୨୦୪୭ ସୁଦ୍ଧା ସବୁ ଲୋକଙ୍କ ପାଖରେ ବୀମା ପହଞ୍ଚାଇବା ଲାଗି ନିୟାମକ ସଂସ୍ଥା ଆଇଆର୍‌ଡିଏଆଇ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। କରୋନା ମହାମାରୀ ପରେ ବୀମାକୁ ନେଇ ସଚେତନତା ବୃଦ୍ଧି ଓ ଲୋକମାନଙ୍କ ଆୟ ବୃଦ୍ଧି ଆଦି କାରଣ ପାଇଁ ବୀମା ଶିଳ୍ପ ଦ୍ରୁତ ଗତିରେ ଆଗକୁ ବଢ଼ୁଛି।
ଭାରତର ସାଧାରଣ ବୀମା ଶିଳ୍ପ କେତେ ବଡ଼ ଓ ତାହା କିଭଳି ଆଗକୁ ବଢ଼ୁଛି?
ଆଇଆର୍‌ଡିଏଆଇର ବାର୍ଷିକ ରିପୋର୍ଟ ଅନୁସାରେ ୨୦୨୨ରେ ଭାରତ ଥିଲା ବିଶ୍ବର ଦଶମ ବଡ଼ ବୀମା ବଜାର ଓ ପ୍ରିମିୟମ ପରିମାଣ ୧୩,୧୦୦ କୋଟି ଡଲାର ଥିଲା। କିନ୍ତୁ ବିଶ୍ବ ବୀମା ପ୍ରିମିୟମରେ ଭାରତର ଭାଗ ମାତ୍ର ୧.୯ ପ୍ରତିଶତ ରହିଛି। ୨୦୩୨ ସୁଦ୍ଧା ଭାରତ ବିଶ୍ବର ଷଷ୍ଠ ବଡ଼ ବୀମା ବଜାର ହେବ ‌ବୋଲି ଆକଳନ କରାଯାଇଛି। ୨୦୨୨-୨୩ରେ ଭାରତରେ ସାଧାରଣ ବୀମା କ୍ଷେତ୍ରର ପ୍ରତ୍ୟକ୍ଷ ପ୍ରିମିୟମ ପରିମାଣ ୨.୫୭ ଲକ୍ଷ କୋଟି ଟଙ୍କା ଥିଲା। ଗତବର୍ଷ ତୁଳନାରେ ତାହା ୧୬.୪୦ ପ୍ରତିଶତ ଅଧିକ। ରାଷ୍ଟ୍ରାୟତ୍ତ ସାଧାରଣ ବୀମା କଂପାନିଗୁଡ଼ିକର ବଜାର ଅଂଶ ୩୮.୪୨ ପ୍ରତିଶତ ଥିବା ବେଳେ ଘରୋଇ କଂପାନି ପାଖରେ ୬୧.୫୮ ପ୍ରତିଶତ ବଜାର ଅଂଶ ରହିଛି। ସାଧାରଣ ବୀମାରେ ସ୍ବାସ୍ଥ୍ୟ ବୀମା ଏକ ବଡ଼ କ୍ଷେତ୍ର ଭାବେ ଉଭା ହୋଇଛି। ଏହି କ୍ଷେତ୍ର ୨୧.୩୨% ଅଭିବୃଦ୍ଧି ହାସଲ କରିଛି।
ବୀମା ଶିଳ୍ପ ପ୍ରତି ୟୁନାଇଟେଡ୍‌ ଇଣ୍ଡିଆ ଇନ୍‌ସ୍ୟୁରାନ୍ସର ଅବଦାନ କ’ଣ?
ୟୁନାଇଟେଡ୍‌ ଇଣ୍ଡିଆ ଇନ୍‌ସ୍ୟୁରାନ୍ସ ହେଉଛି ଭାରତର ତୃତୀୟ ବୃହତ ସାଧାରଣ ବୀମା କମ୍ପାନି। କଂପାନିର ମୋଟ ପ୍ରିମିୟମ୍ ୧୨.୨୨ ପ୍ରତିଶତ ବୃଦ୍ଧି ପାଇ ୧୭,୬୪୩ କୋଟି ଟଙ୍କା ରହିଛି। କଂପାନିରେ ସ୍ବାସ୍ଥ୍ୟ ବୀମାର ଭାଗ ୪୧ ପ୍ରତିଶତ ଥିବା ବେଳେ ତା’ପଛକୁ ୩୪ ପ୍ରତିଶତ ସହ ମୋଟର ବୀମା ଏବଂ ୧୦.୬୬ ପ୍ରତିଶତ ସହ ଅଗ୍ନି ସୁରକ୍ଷା ବୀମା ରହିଛି। ୧୦୦% ଡିଜିଟାଲ ପ୍ରକ୍ରିୟାରେ ମୋଟର ବୀମା ଦାବି ପରିଚାଳନା କରାଯାଉଛି।
ପୁରୁଷଙ୍କ ତୁଳନାରେ ମହିଳା ପଲିସିଧାରୀଙ୍କ ସ୍ଥିତି କ’ଣ?
ମହିଳାମାନେ ସାଧାରଣତଃ ଜୀବନ ବୀମା ନେଉଛନ୍ତି। ସେମାନଙ୍କ ବୀମାରେ ଜୀବନ ବୀମାର ଭାଗ ୨୩ ପ୍ରତିଶତ ଥିବା ବେଳେ ସ୍ବାସ୍ଥ୍ୟ ବୀମା ଭାଗ ୧୮ ପ୍ରତିଶତ ରହିଛି। ଅଧିକରୁ ଅଧିକ ମହିଳା କର୍ମକ୍ଷେତ୍ରରେ ଯୋଗ ଦେଉଥିବାରୁ ଏହି ହାର ଆଗାମୀ ଦିନରେ ଆହୁରି ବଢ଼ିବା ଆଶା କରାଯାଉଛି।
ନୂଆ ପିଢ଼ିର ଫିନ୍‌ଟେକ୍ ବୀମା କମ୍ପାନି ପ୍ରତି ବିପଦ କି?
କମ୍ପାନିର ଆଇଟି ବଜେଟ୍‌ ପରିମାଣ ୨୦୨୨-୨୩ରେ ୧୭୮ କୋଟି ଟଙ୍କା ଥିଲା ଓ ୨୦୨୩-୨୪ରେ ତାହା ୨୦୫ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଆସନ୍ତା ୩-୪ ବର୍ଷରେ ଆମେ ମୋଟ ପ୍ରତ୍ୟକ୍ଷ ପ୍ରିମିୟମ୍‌ ଆୟର ୩ ପ୍ରତିଶତ ରାଶି ଆଇଟିରେ ନିବେଶ କରିବାକୁ ଚାହୁଛୁ। ଆଜିର ଡିଜିଟାଲ ଯୁଗରେ ବ୍ୟକ୍ତିଗତ ସହାୟତା ଚାହୁଥିବା ଗ୍ରାହକମାନଙ୍କୁ ସେବା ଯୋଗାଇବାରେ ଆମେ ପ୍ରମୁଖ ଭୂମିକା ତୁଲାଉଛୁ। ଡିଜିଟାଲ୍ ଚ୍ୟାନେଲ୍‌ଗୁଡ଼ିକ ସହରାଞ୍ଚଳ ଓ ଅର୍ଧ ସହରାଞ୍ଚଳ ଲୋକଙ୍କ ଚାହିଦା ପୂରଣ କରୁଥିବା ବେଳେ ଦୂରଦୂରାନ୍ତରେ ଥିବା ଲୋକମାନଙ୍କ ପାଖରେ ବିଭିନ୍ନ ଉପାୟରେ ପହଞ୍ଚିବାର ଆବଶ୍ୟକତା ରହିଛି।
ଓଡ଼ିଶା ପାଇଁ କ’ଣ ଯୋଜନା ରହିଛି?
ଓଡ଼ିଶାରେ ଆମେ ଉପସ୍ଥିତି ବଢ଼ାଉଛୁ ଏବଂ ଓଡ଼ିଶା ସରକାରଙ୍କ ସହ ଯୋଡ଼ି ହେବାକୁ ଚାହୁଛୁ। ବହୁ ଶିଳ୍ପ ପ୍ରକଳ୍ପ ହେଉଥିବାରୁ ଓଡ଼ିଶାରେ ବ୍ୟାପକ ସୁଯୋଗ ରହିଛି। ଆମ ଦକ୍ଷ ଶ୍ରମ ଶକ୍ତି ଜରିଆରେ ଆମେ ସେହି ସ‌ୁଯୋଗ ହାସଲ କରିବାକୁ ଲକ୍ଷ୍ୟ ରଖିଛୁ।
କିଛି ନୂଆ ଉତ୍ପାଦ ଆଣିବା ଯୋଜନା ଅଛି କି?
ଖୁଚୁରା କ୍ଷେତ୍ର ଲାଗି ଏକ ସାଇବର ବୀମା, ମିନି ହାଉସ୍‌ହୋଲ୍‌ଡର ପଲିସି ୟୁନି-କେୟାର, ଗୃହ ରକ୍ଷା ପଲିସି ଆଦି ଆଣିବା ଯୋଜନା ରହିଛି। ଏଥି ସହିତ ମୋଟର ବୀମା ଲାଗି ନୂଆ ଆଡ୍‌-ଅନ୍ ଆସିବ। ଦୋକାନୀ ବୀମା, ଗୃହ ବୀମା ଏବଂ ବ୍ୟକ୍ତିଗତ ଦୁର୍ଘଟଣା ବୀମାର ଉନ୍ନତ ଭର୍ସନ ଆଣିବା ଯୋଜନା ଅଛି।
ସାଇବର ନିରାପତ୍ତା ବୀମାର ଗ୍ରହଣୀୟତା କିଭଳି ରହିଛି?
ସାଇବର ଆକ୍ରମଣରୁ ସୁରକ୍ଷିତ ରହିବା ଲାଗି ବୀମା ସୁରକ୍ଷା କିଣୁଥିବା ବିଶ୍ବର ଶ୍ରେଷ୍ଠ ୧୪ଟି ଦେଶ ଭିତରେ ଭାରତ ଷଷ୍ଠ ସ୍ଥାନରେ ରହିଛି। ନିକଟରେ ୟୁନାଇଟେଡ୍‌ ଇଣ୍ଡିଆ ଇନ୍‌ସ୍ୟୁରାନ୍ସ କର୍ପୋରେଟ୍‌ମାନଙ୍କ ଲାଗି ସାଇବର ବୀମା ଆଣିଥିଲା। ସେଥିରୁ ୨୦୨୩ ଡିସେମ୍ବର ସୁଦ୍ଧା ୧୩ କୋଟି ଟଙ୍କାର ପ୍ରିମିୟମ୍ ସଂଗ୍ରହ ହୋଇଛି। ଖୁଚୁରା ଗ୍ରାହକମାନଙ୍କ ଲାଗି ଏକ ନୂଆ ସାଇବର ବୀମା ଉତ୍ପାଦ ଆଣିବା ଯୋଜନା ରହିଛି।
କମ୍ପାନିର ଆର୍ଥିକ ପ୍ରଦର୍ଶନ କିଭଳି ରହିଛି?
୨୦୨୩-୨୪ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୈମାସିକ ସୁଦ୍ଧା କମ୍ପାନିର ମୋଟ ପ୍ରତ୍ୟକ୍ଷ ପ୍ରିମିୟମ ଆୟ ୫୦୨୫ କୋଟି ଟଙ୍କା, ନିଟ୍‌ ଦାବି ୩୮୪୬ କୋଟି ଟଙ୍କା ଏବଂ ଟିକସ ପରବର୍ତ୍ତୀ ଲାଭ ୨୦୫ କୋଟି ଟଙ୍କା ରହିଛି।
ବୀମା ଶିଳ୍ପର ଭବିଷ୍ୟତ ସମ୍ଭାବନା କ’ଣ?
ଭାରତ ବିଶ୍ବର ପଞ୍ଚମ ବଡ଼ ବୀମା ଶିଳ୍ପ ଭାବେ ଉଭା ହେବାକୁ ଲକ୍ଷ୍ୟ ରଖିଛି। ସ୍ବାସ୍ଥ୍ୟ ବୀମା ଦ୍ରୁତଗତିରେ ବଢ଼ୁଥିବା ବେଳେ ଡିଜିଟାଲ ମାଧ୍ୟମରେ ବୀମା ଉତ୍ପାଦ ଦୂରଦୂରାନ୍ତରେ ପହଞ୍ଚିପାରିଛି। ସରକାର ଭିତ୍ତିଭୂମିରେ ନିବେଶ କରୁଥିବାରୁ ସମ୍ପତ୍ତି ବୀମା ଚାହିଦା ବଢ଼ିବ। ଏଆଇ ଦ୍ବାରା ପରିଚାଳିତ ଡାଟା ଆନାଲିଟିକ୍ସ ପାଇଁ ଦାବି ଠକେଇ ନିୟନ୍ତ୍ରଣ ପଦକ୍ଷେପରେ ଉନ୍ନତି ଆଣିବ।