ନୂଆଦିଲ୍ଲୀ: ପ୍ରଦୂଷଣ ଲୋକଙ୍କ ସ୍ବାସ୍ଥ୍ୟକୁ ବିଗାଡ଼ୁଛି। ଲୋକମାନେ ବିଭିନ୍ନ ପ୍ରକାର ରୋଗର ଶିକାର ହେଉଛନ୍ତି। ଏଥିପାଇଁ ସେମାନଙ୍କୁ ଡାକ୍ତରଖାନାରେ ବାରମ୍ବାର ଭର୍ତ୍ତି ହେବାକୁ ପଡ଼ୁଛି। ବାୟୁ ପ୍ରଦୂଷଣଜନିତ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିବା ବ୍ୟକ୍ତିମାନେ ଅଧିକରୁ ଅଧିକ ମାତ୍ରାରେ ସ୍ବାସ୍ଥ୍ୟ ବୀମା ଦାବି କରୁଛନ୍ତି। ବୀମା ଦାବି ବଢ଼ୁଥିବାରୁ କମ୍ପାନିଗୁଡ଼ିକ ପ୍ରିମିୟମ ରାଶି ବଢ଼ାଇବା ଉପରେ ବିଚାର କରୁଛନ୍ତି। ଦିଲ୍ଲୀବାସୀଙ୍କ ପାଇଁ ସ୍ବାସ୍ଥ୍ୟବୀମା ପ୍ରିମିୟମ ୧୦ରୁ ୧୫ ପ୍ରତିଶତ ବଢ଼ାଇବା ଉପରେ ସ୍ବାସ୍ଥ୍ୟ ବୀମା ସେବା ପ୍ରଦାନକାରୀ କମ୍ପାନିଗୁଡ଼ିକ ବିଚାର କରୁଛନ୍ତି। କାରଣ ଦେଶର ରାଜଧାନୀ ଦିଲ୍ଲୀରେ ୨୦୨୪ରେ ବାୟୁ ପ୍ରଦୂଷଣଜନିତ ସ୍ବାସ୍ଥ୍ୟବୀମା ଦାବି ରାଶି ଅସ୍ବାଭାବିକ ଭାବେ ବୃଦ୍ଧି ପାଇଛି। ବୀମା କମ୍ପାନିଗୁଡ଼ିକ ଏ ସଂପର୍କରେ ଆଲୋଚନା ଚଳାଇଛନ୍ତି ବୋଲି ବୀମା କ୍ଷେତ୍ରର କେତେକ ଅଧିକାରୀ ସେମାନଙ୍କ ନାମ ଗୋପନ ସର୍ତ୍ତରେ ସୂଚନା ଦେଇଛନ୍ତି। ଏହି ଯୋଜନା ବର୍ତ୍ତମାନ ଆଲୋଚନାସ୍ତରରେ ରହିଛି। ଭାରତୀୟ ବୀମା ନିୟାମକ ଓ ବିକାଶ କର୍ତ୍ତୃପକ୍ଷ (ଆଇଆରଡିଏଆଇ) ଯଦି ଏହାକୁ ମଞ୍ଜୁରି ଦିଅନ୍ତି ତା’ହେଲେ ଭାରତରେ ପ୍ରଥମ ଥର ପାଇଁ ସ୍ବାସ୍ଥ୍ୟ ବୀମା ପ୍ରିମିୟ‌ମ ହିସାବ ସମୟରେ ବାୟୁ ପ୍ରଦୂଷଣ ସାମିଲ ହେବ। ଦିଲ୍ଲୀ ପରେ ଅନ୍ୟ ସହରଗୁଡ଼ିକରେ ମଧ୍ୟ ଏହାକୁ କାର୍ଯ୍ୟକାରୀ କରାଯାଇପାରେ।

Advertisment

ବିଷାକ୍ତ ବାୟୁ କାରଣରୁ ଦିଲ୍ଲୀର ଅଧିକ ବ୍ୟକ୍ତି ଆଜ୍‌ମା, ଶ୍ବାସନଳୀ ଏବଂ ହୃ‌ଦରୋଗ ଆଦି ପାଇଁ ୨୦୨୪ରେ ଚିକିତ୍ସିତ ହୋଇଛନ୍ତି। ଜଣେ ଅଧିକାରୀଙ୍କ କହିବାନୁଯାୟୀ, ୨୦୨୩ର ପ୍ରଥମାର୍ଦ୍ଧ ତୁଳନାରେ ୨୦୨୪ର ପ୍ରଥମାର୍ଦ୍ଧରେ ଶ୍ବାସପ୍ରଶ୍ବାସ ସଂକ୍ରାନ୍ତ‌ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେବା ବ୍ୟକ୍ତିଙ୍କ ସଂଖ୍ୟା ୫ରୁ ୬ ପ୍ରତିଶତ ବଢ଼ିଥିବାବେଳେ ଦ୍ବିତୀୟାର୍ଦ୍ଧରେ ଏଥିରେ ୧୭ରୁ ୧୮ ପ୍ରତିଶତ ବୃଦ୍ଧି ପାଇଛି। ଶ୍ବାସପ୍ରଶ୍ବାସ ରୋଗଜନିତ ବୀମା ଦାବି ୨୦୨୨-୨୩ ଆର୍ଥିକବର୍ଷ ତୁଳନାରେ ୨୦୨୪-୨୫ରେ ଦିଲ୍ଲୀରେ ୮.୩ ପ୍ରତିଶତ ବୃଦ୍ଧି ଘଟିଛି ବୋଲି ବୋଷ୍ଟନ କନସଲଟିଂ ଗ୍ରୁପ୍ (ବିସିଜି) ଓ ମେଡି ଆସିଷ୍ଟ କମ୍ପାନି ପକ୍ଷରୁ କରାଯାଇଥିବା ଏକ ମିଳିତ ଅନୁଧ୍ୟାନରୁ ଜଣାଯାଇଛି। ତେବେ ବିଷାକ୍ତ ବାୟୁ କାରଣରୁ ବୀମା କମ୍ପାନିଗୁଡ଼ିକ ଅଧିକ କ୍ଲେମ ପ୍ରଦାନ କରୁଥିବା ସଂକ୍ରାନ୍ତ ପ୍ରମାଣ ଦାଖଲ କରିବାକୁ ପଡ଼ିବ। ବିଷାକ୍ତ ବାୟୁ କାରଣରୁ ରୋଗୀଙ୍କୁ କେତେଥର ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡ଼ୁଛି ଏବଂ ସେହି ରୋଗର ମାତ୍ରା କେତେ ରହୁଛି ତାହାକୁ ମଧ୍ୟ ବାହାର କରିବାକୁ ହେବ ବୋଲି ପିଡବ୍ଲୁସି ଇଣ୍ଡିଆ ଫାଇନାନ୍ସିଆଲ୍ ସର୍ଭି‌ସେସ୍‌ ଆଡଭାଇଜରି ଲିଡର ଜୟଦୀପ ରାୟ କହିଛନ୍ତି। ଏଥିପାଇଁ ଦୀର୍ଘମିଆଦୀ ଅନୁଧ୍ୟାନ ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି। ତେବେ ଏହି ଅନୁଧ୍ୟାନ ପାଇଁ କେତେ ସମୟ ଆବଶ୍ୟକ ଏବଂ ଆଇଆରଡିଏଆଇ କେବେ ମଞ୍ଜୁରି ଦେବ ତାହା ଜଣାଯାଇନାହିଁ। କିନ୍ତୁ ଏହି ଯୋଜନା ଯଦି ଗ୍ରହଣଯୋଗ୍ୟ ହୁଏ ତା’ହେଲେ ସ୍ବାସ୍ଥ୍ୟ ବୀମା ମହଙ୍ଗା ହୋଇଯିବ।