ଜାତୀୟ ସ୍ୱାସ୍ଥ୍ୟ ମିସନ୍‌ର ଖର୍ଚକାଟ

ବ୍ୟୟବରାଦ ୫୦୦ କୋଟି ଡଲାର କମିଲା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଜାତୀୟ ସ୍ୱାସ୍ଥ୍ୟ ମିସନ୍‌ର ଖର୍ଚକାଟ କରିଛନ୍ତି। ଦୁଇଟି କାରଣ ପାଇଁ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଏହି ଖର୍ଚକାଟ କରିଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯେତିକି ପାଣ୍ଠି ଆବଶ୍ୟକ କରୁଥିଲା ତାହାଠାରୁ ୨୦ ପ୍ରତିଶତ କମ୍‌ ଅର୍ଥ ପ୍ରଦାନକୁ ଅର୍ଥ ମନ୍ତ୍ରାଳୟ ମଞ୍ଜୁର କରିଛି। ମିଳିଥିବା ସୂଚନା ଅନୁଯାୟୀ ଗତ ଅଗଷ୍ଟରେ ଅର୍ଥ ମନ୍ତ୍ରାଳୟ ଜାତୀୟ ସ୍ୱାସ୍ଥ୍ୟ ମିସନ୍‌ କାର୍ଯ୍ୟର ସମୀକ୍ଷା କରିଥିଲା। ଏହି ସମୟରେ ୨୦୧୭-୨୦୨୦ ମଧ୍ୟରେ ଜାତୀୟ ସ୍ୱାସ୍ଥ ମିସନ୍‌ରେ ୨୦ ବିଲିଅନ ଡଲାର ଅର୍ଥ ଦେବାକୁ ନିଷ୍ପତ୍ତି ନେଇଛି। ୨୫ ବିଲିଅନ ଡଲାର ଅର୍ଥର ଆବଶ୍ୟକତା ରହିଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପ୍ରସ୍ତାବ ଦେଇଥିବାବେଳେ ଅର୍ଥ ମନ୍ତ୍ରାଳୟ ୨୦ ବିଲିଅନ ଡଲାର ଦେବାକୁ ରାଜି ହୋଇଛି।

ଖର୍ଚକାଟର ଦୁଇଟି କାରଣ ରହିଛି ବୋଲି କୁହାଯାଉଛି। ଗୋଟିଏ କାରଣ ହେଲା କେନ୍ଦ୍ର ସରକାର ସ୍ୱାସ୍ଥ୍ୟ ପରିବର୍ତେ ଅନ୍ୟକ୍ଷେତ୍ରର ବିକାଶକୁ ଅଗ୍ରାଧିକାର ଦେଉଛନ୍ତି। ଦ୍ୱିତୀୟ କାରଣଟି ହେଲା ଜାତୀୟ ସ୍ୱାସ୍ଥ୍ୟ ମିସନ୍‌ ଅଧୀନରେ ଯେଉଁ ଅର୍ଥ କେନ୍ଦ୍ର ଯୋଗାଇ ଦେଉଛି ତାହାକୁ ଖର୍ଚ କରିବାରେ ରାଜ୍ୟ ସରକାରଗୁଡ଼ିକ ବିଫଳ ହେଉଛନ୍ତି। ତେବେ ଖର୍ଚକାଟ ସମ୍ପର୍କରେ ଉଭୟ ଅର୍ଥ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ପ୍ରତିକ୍ରିୟା ଲୋଡ଼ାଯାଇଥିଲେ ମଧ୍ୟ କେହି ଏହା ଉପରେ ମତାମତ ଦେବାକୁ ରାଜି ହୋଇନାହାନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଜାତୀୟ ସ୍ୱାସ୍ଥ୍ୟ ମିସନ୍‌ ଅଧୀନରେ ଦେଶର ଗରିବ ଲୋକଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି। ବିଶ୍ୱରେ ଏହା ଏକ ବଡ଼ ସରକାରୀ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ। ଗରିବ ଲୋକଙ୍କୁ ମାଗଣା ଔଷଧଠାରୁ ଆରମ୍ଭ କରି ଟିକା ଆଦି ସେବା ଏହି କାର୍ଯ୍ୟକ୍ରମ ଅଧୀନରେ ପ୍ରଦାନ କରାଯାଇଥାଏ।

ଭାରତରେ ଏବେ ସ୍ୱାସ୍ଥ୍ୟସେବା ଲାଗି ଜିଡିପିର ୧.୧୫ ପ୍ରତିଶତ ଅର୍ଥ ଖର୍ଚ ହେଉଛି। ଦେଶରେ ସ୍ୱାସ୍ଥ୍ୟସେବାର ବିକାଶ ଲାଗି ୨୦୨୫ ସୁଦ୍ଧା ସ୍ୱାସ୍ଥ୍ୟ କ୍ଷେତ୍ରର ବ୍ୟୟବରାଦକୁ ଜିଡିପିର ୨.୫ ପ୍ରତିଶତକୁ ବୃଦ୍ଧି କରିବା ପାଇଁ ମୋଦି ସରକାର ଗୁରୁତ୍ୱାରୋପ କରି ଆସୁଛନ୍ତି। ସରକାର ସ୍ୱାସ୍ଥ୍ୟସେବା ଅଧୀନରେ ଯେଉଁ ଅର୍ଥ ଖର୍ଚ କରୁଛନ୍ତି ତାହାର ପ୍ରାୟ ଅଧେ ଅର୍ଥ ଜାତୀୟ ସ୍ୱାସ୍ଥ୍ୟ ମିସନ୍‌ରେ ଖର୍ଚ କରାଯାଉଛି। ଖର୍ଚ କମିଲେ ସରକାରଙ୍କୁ ୨୦୨୫ର ଲକ୍ଷ୍ୟ ହାସଲ କରିବା କଷ୍ଟକର ହେବ ବୋଲି କେତେକ ସରକାରୀ ଅଧିକାରୀ ମତ ଦେଇଛନ୍ତି।

ଜାତୀୟ ସ୍ୱାସ୍ଥ୍ୟ ମିସନ୍‌ ଅଧୀନରେ ଶିଶୁ ଏବଂ ମାତୃ ସ୍ୱାସ୍ଥ୍ୟରେ ଧ୍ୟାନ କେନ୍ଦ୍ରିତ କରିବା ପରେ ସରକାର ଏହାର ଆଧାରକୁ ବ୍ୟାପକ କରିବାକୁ ଯୋଜନା ରଖିଛନ୍ତି। ଏଥିରେ ଅସଂକ୍ରମିତ ରୋଗ ଗୁଡ଼ିକର ବିପଦକୁ କିଭଳି ହ୍ରାସ କରାଯିବ ତାହା ଉପରେ ଧ୍ୟାନ ଦେବାକୁ ଲକ୍ଷ୍ୟ ରଖାଯାଇଛି। କିନ୍ତୁ ପାଣ୍ଠି ହ୍ରାସ ଯୋଗୁଁ ସରକାର କର୍କଟ ଏବଂ ମଧୁମେହ ଭଳି ଅସଂକ୍ରମିତ ରୋଗ ବାବଦରେ ଆସନ୍ତା ୩ ବର୍ଷ ମଧ୍ୟରେ ୨.୪ ବିଲିଅନ ଡଲାର ଖର୍ଚ କରିବାକୁ ଲକ୍ଷ୍ୟ ରଖିଥିବାବେଳେ ଏହାକୁ ୧.୪ ବିଲିଅନ୍‌ ଡଲାରକୁ କମାଇ ଦିଆଯାଇଛି। ଏତଦ୍‌ବ୍ୟତୀତ ଜିଲ୍ଲାସ୍ତରର ଡାକ୍ତରଖାନା ଏବଂ ରୋଗୀ ପରିବହନ ବ୍ୟବସ୍ଥାରେ ଉନ୍ନତି ଆଣିବା ଲାଗି ୨୦୧୭ରୁ ୨୦୨୦ ମଧ୍ୟରେ ଯେତିକି ଅର୍ଥ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ମାଗିଥିଲା ତାହାର ଏକ ତୃତୀୟାଂଶ କମାଇ ଦିଆଯାଇ ୪.୩ ବିଲିଅନ ଡଲାର ରଖାଯାଇଛି। ସେହିଭଳି ଟିକାକରଣ ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ୩.୨ ବିଲିଅନ ଡଲାର ମାଗିଥିବାବେଳେ ଏ ବାବଦରେ ୨.୯ ବିଲିଅନ ଡଲାର ଦେବାର ବ୍ୟବସ୍ଥା ହୋଇଛି।

୨୦୧୭ରୁ ୨୦୨୦ ମଧ୍ୟରେ ଜାତୀୟ ସ୍ୱାସ୍ଥ୍ୟ ମିସନ୍‌ ପାଇଁ ୩୩ ବିଲିଅନ ଡଲାର ଖର୍ଚ କରିବା ଲାଗି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପ୍ରଥମେ ପ୍ରସ୍ତାବ ଦେଇଥିଲା। ତେବେ ଗତ ମାର୍ଚରେ ସମୀକ୍ଷାବେଳେ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନଙ୍କୁ ଏଥିପାଇଁ ତୀବ୍ର ସମାଲୋଚନା କରାଯାଇଥିଲା। ଏହାପରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଉକ୍ତ ବ୍ୟୟବରାଦକୁ ପ୍ରାୟ ୨୫ ବିଲିଅନ ଡଲାରକୁ କମାଇ ଦେଇଥିଲେ। କିନ୍ତୁ ଅର୍ଥମନ୍ତ୍ରାଳୟ ଏଥିରୁ ଆଉ ୫ ବିଲିଅନ ଡଲାର କାଟି ଦେଇ ଏହାକୁ ୨୦ ବିଲିଅନ ଡଲାରରେ ରଖିଛନ୍ତି। ସରକାର ଅନ୍ୟ ଅଗ୍ରାଧିକାର କ୍ଷେତ୍ରରେ ଅର୍ଥ ଖର୍ଚ କରିବା ସହିତ ବିତ୍ତୀୟ ନିଅଣ୍ଟକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ବ୍ୟୟବରାଦ ହ୍ରାସର ଅନ୍ୟତମ କାରଣ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର