ନୂଆଦିଲ୍ଲୀ: ପ୍ରବଳ କାମ ଚାପ ଏବେ ଜାତୀୟ ପ୍ରସଙ୍ଗ ଭାବେ ଉଭା ‌ହୋଇଛି। କିଛି ଦିନ ପୂର୍ବେ ୟର୍ନଷ୍ଟ ଆଣ୍ଡ ୟଙ୍ଗର ଜଣେ ୨୬ ବର୍ଷୀୟା ଚାର୍ଟାର୍ଡ ଆକାଉଣ୍ଟାଣ୍ଟଙ୍କ ମୃତ୍ୟୁ ପରେ ଦେଶର ବିଭିନ୍ନ ସ୍ଥାନରେ ଘଟୁଥିବା ସେଭଳି ଘଟଣା ସବୁ ସାମ୍ନାକୁ ଆସୁଛି। ନିକଟରେ ଚେନ୍ନାଇରେ ଜଣେ ସଫ୍ଟୱେର ଇଞ୍ଜିନିୟର ଓ ଲକ୍ଷ୍ନୌରେ ଏଚ୍‌ଡିଏଫ୍‌ସି ବ୍ୟାଙ୍କର ଜଣେ କର୍ମଚାରୀଙ୍କ ପ୍ରବଳ କାପ ଚାପରୁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା। ଏବେ ନାଗପୁରରୁ ସେଭଳି ଏକ ଅଭିଯୋଗ ଆସିଛି। ଏଚ୍‌ସିଏଲ୍‌ ଟେକ୍‌ରେ କାର୍ଯ୍ୟ କରୁଥିବା ଜଣେ ୪୦ ବର୍ଷୀୟ କର୍ମଚାରୀଙ୍କ ଅଫିସ ଶୌଚାଳୟରେ ହୃଦ୍‌ଘାତରୁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ନୀତୀନ ଏଡ୍‌ୱିନ୍ ମାଇକେଲ୍ ନାମକ ଏହି ବ୍ୟକ୍ତି ଜଣକ କମ୍ପାନି‌ରେ ବରିଷ୍ଠ ଆନାଲିଷ୍ଟ ଭାବେ କାମ କରିୁଲେ। ‌ଶୌଚାଳୟରେ ତାଙ୍କୁ ସହକର୍ମୀମାନେ ଅଚେତ ଅବସ୍ଥା‌ରେ ଦେଖିବା ପରେ ତାଙ୍କୁ ତୁରନ୍ତ ନାଗପୁରରେ ଥିବା ଏମ୍‌ସକୁ ନିଆଯାଇଥିଲା।

Advertisment

ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାକୁ ନେଇ ଏଚ୍‌ସିଏଲ୍‌ ଟେକ୍‌ ପକ୍ଷରୁ ଦୁଃଖ ପ୍ରକାଶ କରାଯାଇଛି। ଅନ୍ତର୍ଜାତିକ ଶ୍ରମ ସଂଗଠନ (ଆଇଏଲ୍‌ଓ) ତଥ୍ୟ ଅନୁସାରେ କର୍ମଚାରୀମାନେ ଅତ୍ୟଧିକ କାମ କରୁଥିବା ଦେଶ ମଧ୍ୟରେ ଭାରତ ଦ୍ବିତୀୟ ସ୍ଥାନରେ ରହିଛି। ଏଠାରେ ୫୧ ପ୍ରତିଶତ କର୍ମଚାରୀ ସପ୍ତାହକୁ ୪୯ ଘଣ୍ଟାରୁ ଅଧିକ ସମୟ କାମ କରୁଛନ୍ତି। ଦିନକୁ ଅତିବେଶିରେ ୮ ଘଣ୍ଟା ହିସାବରେ ସପ୍ତାହକୁ ୪୮ ଘଣ୍ଟା କାମ କରିବାକୁ ଆଇଏଲ୍‌ଓ ସୁପାରିସ କରିଥିଲେ ମଧ୍ୟ ତାହା ଠିକ୍ ଭାବେ କାର୍ଯ୍ୟକାରୀ ହେଉନାହିଁ। 

ପ୍ରବଳ ଚାପରେ କାମ କରିବା ଦ୍ବାରା ଲୋକମାନେ କ୍ଲାନ୍ତ ହୋଇପଡ଼ିବା ସହ ମନରେ ଅତ୍ୟଧିକ ଭାବନା ଜାଗ୍ରତ ହେବା, ଶରୀର ବିନ୍ଧା ହେବା, ଗ୍ୟାଷ୍ଟ୍ରିକ ଭଳି ସମସ୍ୟା ଦେଖାଦେଉଛି। ମାକିନ୍‌ସେ ହେଲ୍‌ଥ ଇନଷ୍ଟିଚ୍ୟୁଟ୍‌ ପକ୍ଷରୁ କରାଯାଇଥିବା ଏକ ସର୍ବେକ୍ଷଣ ଅନୁସା‌ରେ ଭାରତରେ ୫୯ ପ୍ରତିଶତ କର୍ମଚାରୀଙ୍କଠାରେ ବର୍ଣ୍ଣ ଆଉଟ୍‌ ଲକ୍ଷଣ ଦେଖାଦେଇଛି। ବର୍ଣ୍ଣ ଆଉଟ୍‌ ହେଉଛି ସେହି ଅବସ୍ଥା ଯେତେବେଳେ କର୍ମଚାରୀମ‌ାନେ ଭାବନାତ୍ମକ, ଶାରିରୀକ ଓ ମାନସିକ ଥକାପଣ ଅନୁଭବ କରନ୍ତି। ଏହି ତାଲିକାରେ ଭାରତ ଶୀର୍ଷ ସ୍ଥାନରେ ରହିଛି। ଆଶ୍ଚର୍ଯ୍ୟର ବିଷୟ ହେଉଛି ଚୀନ୍‌ରେ ବର୍ଣ୍ଣ ଆଉଟ୍‌ ହାର ଭାରତ ତୁଳନାରେ ଯଥେଷ୍ଟ କମ୍ ରହିଛି।

ଭାରତରେ କଠିନ ପରିଶ୍ରମ ଓ କାମ ଚାପକୁ ଏକ ଗୌରବ ଭାବେ ବିଚାର କରାଯାଉଛି। ସେଥିପାଇଁ ଚାପ ଦେଇ ଗତି କରୁଥିବା ଲୋକମାନେ ମୁହଁ ଖୋଲିବାକୁ ସାହସ ଜୁଟାଇପାରୁନଥିବା ବିଶେଷଜ୍ଞମାନେ କହିଛନ୍ତି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଓ ଆଇଏଲ୍‌ଓର ଏକ ସର୍ବେକ୍ଷଣ ଅନୁସାରେ ସପ୍ତାହକୁ ୫୫ ଘଣ୍ଟା କିମ୍ବା ତା’ଠାରୁ ଅଧିକ ସମୟ କାମ କଲେ ଷ୍ଟ୍ରୋକ୍‌ ହେବାର ଆଶଙ୍କା ୩୫ ପ୍ରତିଶତ, ହୃଦରୋଗରୁ ମୃତ୍ୟୁ ଆଶଙ୍କା ୧୭% ପ୍ରତିଶତ ବଢ଼ିଯାଏ। ଭାରତରେ ପ୍ରବଳ ଚାପରେ ସଫ୍ଟୱେର ଇଞ୍ଜିନିୟର, କନିଷ୍ଠ ଆଇନଜୀବୀ, ଡାକ୍ତର, ସାମ୍ବାଦିକ, ମାର୍କେଟିଂ ଓ ସେଲ୍‌, ଫାଇନାନ୍ସ ଓ ବ୍ୟାଙ୍କିଙ୍ଗ ଏବଂ ଔଷଧ କମ୍ପାନିର କର୍ମଚାରୀମାନେ କାମ କରୁଛନ୍ତି।