ବିଭିନ୍ନ ସଂସ୍ଥାର ବାତ୍ୟା ରିଲିଫ୍ ସହାୟତା

ଓଏନ୍‌ଜିସି: ସରକାରୀ କଂପାନି ଓଏନ୍‌ଜିସି ତରଫରୁ ବାତ୍ୟା ଫନି ଦ୍ବାରା ପ୍ରଭାବିତ ହୋଇଥିବା ଅଞ୍ଚଳରେ ମେଡିକାଲ୍ ସେବା, ଟାରପୁଲିନ୍ ସିଟ୍ ଏବଂ ଦଉଡ଼ି ଆଦି ବଣ୍ଟନ କରାଯାଇଛି। ରିଲିଫ୍ କାର୍ଯ୍ୟରେ ନିୟୋଜିତ ହୋଇଥିବା ଉତ୍କଳ ବିପନ୍ନ ସହାୟତା ସମିତିକୁ କଂପାନି ସହଯୋଗ ପ୍ରଦାନ କରୁଛି। ଏହା ବ୍ୟତୀତ ପ୍ରତିଦିନ ଲୋକମାନଙ୍କ ପାଇଁ ରନ୍ଧାଖାଦ୍ୟ ବ୍ୟବସ୍ଥା କରାଯାଉଛି। ପୁରୀରେ କଂପାନି ତରଫରୁ ମେଡିକାଲ୍ ଶିବିର ସ୍ଥାପନ କରାଯାଇଛି। କଂପାନିର ଅଧିକାରୀ ଶ୍ରୀବତ୍ସ କୁମାର ଦାସ ଓ ଏ କେ ଦ୍ବିବେଦୀ ରିଲିଫ୍‌ କାର୍ଯ୍ୟରେ ସହଯୋଗ ପ୍ରଦାନ କରୁଛନ୍ତି। ୟୁନାଇଟେଡ୍ ବ୍ୟାଙ୍କ: ବାତ୍ୟା ପ୍ରଭାବିତ ଅଞ୍ଚଳରେ ୟୁନାଇଟେଡ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ତରଫରୁ ବ୍ୟାଙ୍କିଙ୍ଗ ସେବାକୁ ସ୍ବାଭାବିକ କରାଯାଇଛି। ପୁରୀ, କଟକ, ଜଗତସିଂହପୁର, ଖୋର୍ଦ୍ଧା, କେନ୍ଦ୍ରାପଡ଼ା ଓ ଗଞ୍ଜାମରେ ଥିବା ବ୍ୟାଙ୍କର ସବୁ ଶାଖା କାମ କରୁଛି। ଗ୍ରାହକମାନଙ୍କୁ ଅଫଲାଇନ୍‌ ମୋଡ୍‌ରେ ନଗଦ ଟଙ୍କା ଉଠାଇବା ସୁବିଧା ଦିଆଯାଉଛି। ୪୨ଟି ଏଟିଏମ୍ ମଧ୍ୟରୁ ୨୪ଟି ଚାଲୁ ରହିଛି। ପୁରୀ ସହରରେ ଭ୍ରାମ୍ୟମାଣ ଏଟିଏମ୍ ବ୍ୟବସ୍ଥା କରାଯାଇଛି। ଚାରିଟି ଜିଲ୍ଲାରେ ୮୦ ଜଣ ବିସି ଏଜେଣ୍ଟ୍‌ କାମ କରୁଛନ୍ତି। ବ୍ୟାଙ୍କ ପକ୍ଷରୁ ପୁରୀର ବିରଭଦ୍ରପୁର ଠାରେ ଖାଦ୍ୟ ପ୍ୟା‌କେଟ୍ ବିତରଣ କରାଯାଇଛି।

ହୋଟେଲ ପୁଷ୍ପକ: ହୋଟେଲ ପୁଷ୍ପକର ପରିଚାଳନା କର୍ତୃପକ୍ଷଙ୍କ ତରଫରୁ ଏହାର ପରିଚାଳନା ନିର୍ଦେଶକ ଜିତେଶ ଗରାବଡ଼ୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦୁଇ ଲକ୍ଷ ଟଙ୍କା ଦାନ କରିଛନ୍ତି। ଏସିସି: ଓଡ଼ିଶାର ବାତ୍ୟା ପ୍ରଭାବିତ ଅଞ୍ଚଳରେ ସିମେଣ୍ଟ କମ୍ପାନି ଏସିସି ପକ୍ଷରୁ ରିଲିଫ୍ ଓ ଥଇଥାନ କାର୍ଯ୍ୟ କରାଯାଇଛି। ପ୍ରାୟ ୧୦୦ ଜଣିଆ ଟିମ୍ ପୁରୀ ଜିଲ୍ଲାର ବଳପୁର ଏବଂ ବ୍ରହ୍ମଗିରିର ସର୍ବାଧିକ କ୍ଷତିଗ୍ରସ୍ତ ଗ୍ରାମଗୁଡ଼ିକରେ ନିୟୋଜିତ ହୋଇଥିଲେ। କମ୍ପାନିର ବରଗଡ଼ ଓ ଚାଇଁବାସା ପ୍ଲାଣ୍ଟର ଇଲେକ୍ଟ୍ରିସିଆନ, କାର୍‌ପେଣ୍ଟର, ଫିଟର, ୱେଲଡରମାନେ କ୍ଷତିଗ୍ରସ୍ତ ଘରଗୁଡ଼ିକୁ ମରାମତି କରିଥିଲେ। ଏସିସି ଲିମିଟେଡର ଏମଡି ତଥା ସିଇଓ ନୀରଜ ଅଖୌରୀ କହିଛନ୍ତି, ଏସିସି ଟିମ୍ ବାତ୍ୟା ଭଳି ବିପର୍ଯ୍ୟୟ ସମୟରେ ତୃଣମୂଳ ସ୍ତରରେ କାମ କରୁଛି। କ୍ଷତିଗ୍ରସ୍ତ ଘରଗୁଡ଼ିକର ମରାମତି ନିମନ୍ତେ କଂପାନି ପକ୍ଷରୁ ଏକ ଟ୍ରକ୍ ସିମେଣ୍ଟ୍‌ ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର