ଏଣିକି ଭାରତରେ ହେବ କାର୍‌ କ୍ରାସ୍‌ ଟେଷ୍ଟ୍‌

‘ଭାରତ ଏନ୍‌ସିଏପି’କୁ ଗଡ଼କରୀଙ୍କ ମଞ୍ଜୁରି

ନୂଆଦିଲ୍ଲୀ : ଗାଡ଼ିର ସବୁଠୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଯାତ୍ରୀଙ୍କ ସୁରକ୍ଷା। ତେଣୁ ଗାଡ଼ି ନିର୍ମାଣ ହେବା ପରେ ସେଗୁଡ଼ିକ କେତେ ସୁରକ୍ଷିତ ତାହା ଜାଣିବା ପାଇଁ କ୍ରାସ୍‌ ଟେଷ୍ଟ କରାଯାଇଥାଏ। ଗାଡ଼ିର ସୁରକ୍ଷା ସ୍ଥିତିକୁ ଦେଖି ସେଗୁଡ଼ିକର ଷ୍ଟାର୍‌ ରେଟିଂ କରାଯାଇଥାଏ। ବର୍ତ୍ତମାନ ସୁଦ୍ଧା ଭାରତର ଅଟୋମୋବାଇଲ କମ୍ପାନି ଗୁଡ଼ିକ କ୍ରାସ୍‌ ଟେଷ୍ଟ ପାଇଁ ଅନ୍ତର୍ଜାତୀୟ ବା ଗ୍ଲୋବାଲ କ୍ରାସ୍‌ ଟେଷ୍ଟ୍ ଉପରେ ନିର୍ଭର କରି ଆସୁଛନ୍ତି। କିନ୍ତୁ ଆଗାମୀ ଦିନରେ ଆଉ ଗ୍ଲୋବାଲ କ୍ରାସ୍‌ ଟେଷ୍ଟକୁ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଭାରତ ନିଜର କ୍ରାସ୍‌ ଟେଷ୍ଟ କରିବ। କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ ଭାରତ ଏନ୍‌ସିଏପି ସେଫ୍‌ଟି ରେଟିଂକୁ ମଞ୍ଜୁରି ପ୍ରଦାନ କରିଛନ୍ତି। ଏ ନେଇ ଚିଠା ବିଜ୍ଞପ୍ତି ଜାରି ହୋଇଛି। ସାମାଜିକ ଗଣମାଧ୍ୟମ ଟ୍ବିଟରରେ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଭାରତ ଏନସିଏପି (ନ୍ୟୁ କାର୍ ଆସେସମେଣ୍ଟ୍ ପ୍ରୋଗ୍ରାମ) ଆରମ୍ଭ ପାଇଁ ଚିଠା ନିୟମ ବିଜ୍ଞପ୍ତିକୁ ମୁଁ ମଞ୍ଜୁରି ଦେଇଛି। ଏହା ମାଧ୍ୟମରେ ଭାରତରେ ନିର୍ମିତ କାର୍‌ଗୁଡ଼ିକ କ୍ରାସ ଟେଷ୍ଟ୍‌ରେ ଯେଭଳି ପ୍ରଦର୍ଶନ କରିବେ ସେମାନଙ୍କୁ ସେହି ଅନୁସାରେ ରେଟିଂ ପ୍ରଦାନ କରାଯିବ।

ଭାରତ ଏନ୍‌ସିଏପି ଏକ ଗ୍ରାହକ କୈନ୍ଦ୍ରିକ ପ୍ଲାଟଫର୍ମ ଭାବେ କାର୍ଯ୍ୟ କରିବ। ଗ୍ରାହକମାନେ ଷ୍ଟାର ରେଟିଂ ଆଧାରରେ ନିରାପଦ କାର୍‌ ଚୟନ କରିବାର ସୁଯୋଗ ପାଇବେ। ଏହାଦ୍ବାରା ଭାରତରେ ନିରାପଦ ଗାଡ଼ି ନିର୍ମାଣ ପାଇଁ ଅରିଜିନାଲ ଇକ୍ବିପମେଣ୍ଟ୍ ମ୍ୟାନୁଫାକଚରରମାନଙ୍କ ମଧ୍ୟରେ ଏକ ସୁସ୍ଥ ପ୍ରତିଯୋଗିତା ହେବ। ଭାରତୀୟ କାର୍‌ଗୁଡ଼ିକର ଷ୍ଟାର ରେଟିଂ ଦୁଇଟି ଦିଗରୁ ଗୁରୁତ୍ବପୂର୍ଣ୍ଣ ବୋଲି ଗଡ଼କରୀ କହିଛନ୍ତି। ଗୋଟିଏ ହେଲା ଯାତ୍ରୀଙ୍କ ସୁରକ୍ଷା ଏବଂ ଅନ୍ୟଟି ହେଲା ଭାରତୀୟ କାରଗୁଡ଼ିକୁ ଅଧିକ ମାତ୍ରାରେ ରପ୍ତାନିକ୍ଷମ କରାଯାଇ ପାରିବ ବୋଲି ଗଡ଼କରୀ କହିଛନ୍ତି। ଭାରତରେ କାରଗୁଡ଼ିକର ଟେଷ୍ଟିଂ ନିୟମ ମଧ୍ୟ ଗ୍ଲୋବାଲ କ୍ରାସ ଟେଷ୍ଟର ନିୟମ ଅନୁସାରେ ଧାର୍ଯ୍ୟ ହେବ। ଭାରତରେ ବର୍ତ୍ତମାନ ଥିବା ନିୟମ ମଧ୍ୟ ଏଥିରେ ପ୍ରତିଫଳିତ ହେବ। ଭାରତ ଏନସିଏପି ଦ୍ବାରା ଦେଶର ଅଟୋମୋବାଇଲ ଶିଳ୍ପ ଆତ୍ମନିର୍ଭରଶୀଳ ହେବ। ଏଥିସହିତ ଭାରତ ବିଶ୍ବର ଏକ ନମ୍ବର ଅଟୋମୋବାଇଲ ଉତ୍ପାଦନ କେନ୍ଦ୍ରରେ ପରିଣତ ହେବ ବୋଲି ଗଡ଼କରୀ କହିଛନ୍ତି। ତେବେ କାର୍‌ର କାର୍‌ ଟେଷ୍ଟିଂ ଅନୁଯାୟୀ ମିଳୁଥିବା ରେଟିଂ ଅନୁସାରେ କାର୍‌ର ମୂଲ୍ୟ ମଧ୍ୟ ବଢ଼ିଯିବାର ସମ୍ଭାବନା ରହିଛି। ଏହାବ୍ୟତୀତ ଯଦି ସବୁ କାରର କ୍ରାସ ଟେଷ୍ଟକୁ ବାଧ୍ୟତାମୂଳକ କରାଯାଏ ତାହେଲେ ବର୍ତ୍ତମାନ ରୂପରେ ବିକ୍ରି ହେଉଥିବା କାରରୁ ଅଧିକାଂଶ କାର ଉକ୍ତ ମାନଦଣ୍ଡକୁ ପୂରଣ କରି ନପାରେ।

ସମ୍ବନ୍ଧିତ ଖବର