ନୂଆବର୍ଷରୁ ବଢିପାରେ ହିରୋ ବାଇକର ମୂଲ୍ୟ

ମୁମ୍ବାଇ: ନୂଆବର୍ଷରେ କାର୍ ଏବଂ ବାଇକ୍ ମୂଲ୍ୟ ବଢିପାରେ | ଆଉ ଏଥିପାଇଁ ଗ୍ରାହକମାନଙ୍କୁ କିଛି ଅଧିକ ଖର୍ଚ୍ଚ କରିବାକୁ ପଡିପାରେ | ପୂର୍ବରୁ ମାରୁତି ମୂଲ୍ୟ ବୃଦ୍ଧି ବାବଦରେ ସଙ୍କେତ ଦେବା ପରେ ଏବେ ହିରୋ ମୋଟୋକର୍ପ ପକ୍ଷରୁ ଏନେଇ ବମ୍ବେ ଷ୍ଟକ ଏକ୍ସଚେଂଜକୁ ଅବଗତ କରାଯାଇଛି | ହିରୋ ମୋଟୋକର୍ପ ଏହାର ମୋଟରସାଇକେଲର ମୂଲ୍ୟ ୧ ଜାନୁୟାରୀରୁ ୧୫୦୦ ଟଙ୍କା ବୃଦ୍ଧି କରିବାକୁ ଘୋଷଣା କରିଛି। କଞ୍ଚାମାଲ ମୂଲ୍ୟ ବୃଦ୍ଧି ହେତୁ ମୂଲ୍ୟ ବୃଦ୍ଧି କରିବାକୁ ବାଧ୍ୟ ହୋଇଥିବା କମ୍ପାନୀ କହିଛି।

ଏହାପୂର୍ବରୁ ମାରୁତି, ମହିନ୍ଦ୍ରା ଭଳି କମ୍ପାନୀ ସେମାନଙ୍କ କାର ଏବଂ ଅନ୍ୟାନ୍ୟ ଯାନର ମୂଲ୍ୟ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି। ଦେଶର ୪ଟି ବଡ ଅଟୋ କମ୍ପାନୀ ସେମାନଙ୍କ କାର, ଏସୟୁଭି ମୂଲ୍ୟ ବୃଦ୍ଧି କରିବାକୁ ଯାଉଛନ୍ତି। ଏଥିମଧ୍ୟରେ ମାରୁତି, ମହିନ୍ଦ୍ରା, କିୟା, ହୁଣ୍ଡାଇ ଅଛନ୍ତି | ଏହି କମ୍ପାନୀଗୁଡିକ ଜାନୁଆରୀ ୨୦୨୧ ରୁ ସେମାନଙ୍କ କାର ମୂଲ୍ୟ ବଢାଇପାରନ୍ତି | ହିରୋ ମୋଟୋକର୍ପ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜକୁ କହିଛି, କଞ୍ଚା ମାଲର ଦର ବଢ଼ୁଥିବାରୁ ଏହାର ଆଂଶିକ ଭରଣା କରିବା ପାଇଁ ଜାନୁଆରୀ ୧, ୨୦୨୧ ରୁ ଉତ୍ପାଦର ମୂଲ୍ୟ ବୃଦ୍ଧି କରିବୁ । କମ୍ପାନୀ କହିଛି ଯେ ଏହି ବୃଦ୍ଧି ବିଭିନ୍ନ ମଡେଲ ଅନୁଯାୟୀ ଭିନ୍ନ ହେବ |

ହିରୋ ପକ୍ଷରୁ କୁହାଯାଇଛି ଯେ ଇସ୍ପାତ, ଆଲୁମିନିୟମ, ପ୍ଲାଷ୍ଟିକ ପରି କଞ୍ଚାମାଲର ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି। ସୂଚନା ଥାଉ କି ଜୁଲାଇ-ସେପ୍ଟେମ୍ବର ତ୍ରୈମାସିକରେ ହିରୋ ମୋଟୋକର୍ପର ନିଟ୍ ଲାଭ ୮.୯୯ ପ୍ରତିଶତ ବୃଦ୍ଧି ପାଇଛି। ଏହି ଅବଧିରେ କମ୍ପାନୀର ଆୟ ୨୩.୭ ପ୍ରତିଶତ ବୃଦ୍ଧି ହୋଇ ୯,୩୬୭ କୋଟିରେ ପହଞ୍ଚିଛି। ସେପ୍ଟେମ୍ବର ତ୍ରୈମାସିକରେ କମ୍ପାନୀ ମୋଟ ୧୮.୨୨ ଲକ୍ଷ ଯାନ ବିକ୍ରି କରିଛି |

ସମ୍ବନ୍ଧିତ ଖବର