ପର୍ଯ୍ୟଟନ ଶିଳ୍ପ ପାଇଁ ପ୍ୟାକେଜ୍‌ ଦାବି କଲେ ହାରୋ ଅଧ୍ୟକ୍ଷ

ଭୁବନେଶ୍ବର: ଅର୍ଥମନ୍ତ୍ରୀ ଲଗାତାର ୪ ଦିନ ଧରି କରୋନା ପ୍ରଭାବିତ ଅର୍ଥନୀତିର ବିଭିନ୍ନ କ୍ଷେତ୍ର ଲାଗି ପ୍ୟାକେଜ୍‌ ‌ଘୋଷଣା କରିଲେ। କିନ୍ତୁ ଏଥିରେ ଆତିଥେୟତା ଓ ପର୍ଯ୍ୟଟନ ଶିଳ୍ପ ଲାଗି କୌଣସି ପ୍ରକାର ରିହାତି ବା ପ୍ୟାକେଜ ଦିଆଯାଇନାହିଁ। ପର୍ଯ୍ୟଟନ ଶିଳ୍ପ ଗୁରୁତର ଭାବେ ପ୍ରଭାବିତ ହୋଇଛି ଏବଂ ଲକ୍‌ଡାଉନ୍‌ ଉଠିବାର ୬ ମାସ ପର୍ଯ୍ୟନ୍ତ ମଧ୍ୟ ଏହି ପ୍ରଭାବ ରହିବ। ସଂକ୍ରାମକ ରୋଗ ଭୟରେ ଲୋକମାନେ ଯାତ୍ରା କରିବେ ନାହିଁ। ଫଳରେ ହୋଟେଲ ରୁମ୍ ଗୁଡ଼ିକ ଖାଲି ରହିବ। ହୋଟେଲ ଏକ ପୁଞ୍ଜିଭିତ୍ତିକ ଶିଳ୍ପ ଓ ପର୍ଯ୍ୟଟନ ଶିଳ୍ପରେ ଏହାର ଯୋଗଦାନ ଅଧିକ ରହିଥାଏ। ରୁମ୍ ଖାଲି ରହିଲେ ହୋଟେଲ ଗୁଡ଼ିକ ବିପୁଳ କ୍ଷତି ସହିବେ। ଋଣକିସ୍ତି ଶୁଝିବା, କର୍ମଚାରୀଙ୍କୁ ଦରମା ଦେବା ଓ ଅନ୍ୟାନ୍ୟ ଦେୟ ପ୍ରଦାନ ଅସମ୍ଭବ ହୋଇପଡ଼ିବ।

ତେଣୁ ହୋଟେଲ ଶିଳ୍ପକୁ ‌‌କାର୍ଯ୍ୟକାରୀ ପୁଞ୍ଜି, ମୂଳଧନ, ସୁଧ ପୈଠ, ଋଣ ଓ ଓଭରଡ୍ରାଫ୍ଟ ଉପରେ ଅତିକମ୍‌ରେ ଗୋଟିଏ ବର୍ଷର ମୋରାଟୋରିୟମ ପ୍ରଦାନ କରିବା ସହିତ ସ୍ବଳ୍ପ ସୁଧ ହାରରେ ୪ ବର୍ଷ ପର୍ଯ୍ୟନ୍ତ ଋଣ ଯୋଗାଇ ଦିଆଗଲେ ଏହି ଶିଳ୍ପ ତିଷ୍ଠିପାରିବ। ଏଥିସହିତ ହୋଟେଲଗୁଡ଼ିକୁ ଜିଏସ୍‌ଟି/ଏସ୍‌ଜିଏସ୍‌ଟି ଆଦାୟ କରିବା ସୁବିଧା ପ୍ରଦାନ କରିବା ସହିତ ସେହି ଅର୍ଥକୁ ଆସନ୍ତା ୬ ମାସ ପାଇଁ କାର୍ଯ୍ୟକାରୀ ପୁଞ୍ଜି ହିସାବରେ ଉପଯୋଗ କରିବା ଲାଗି ଅନୁମତି ଦିଆଯିବା ଆବଶ୍ୟକ। ପର୍ଯ୍ୟଟନ ଶିଳ୍ପରେ ୫ କୋଟିରୁ ଅଧିକ ଲୋକ ନିଯୁକ୍ତ ଅଛନ୍ତି। ନିଯୁକ୍ତିକୁ ଦୁଇଗୁଣ କରିବା କ୍ଷମତା ଏହି ଶିଳ୍ପର ରହିଛି। ଏଥିସହିତ ପର୍ଯ୍ୟଟନ ଶିଳ୍ପ ଭାରତୀୟ ଅର୍ଥନୀତିକୁ ଆଗକୁ ନେବାରେ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଥିବାରୁ ଏହି ଶିଳ୍ପ ପାଇଁ ରିହାତି ପ୍ୟାକେଜ ଘୋଷଣା କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହାରୋ ଓ ଆଇଏଟିଓ ପୂର୍ବାଞ୍ଚଳ ଅଧ୍ୟକ୍ଷ, ଫିକି ନ୍ୟାସନାଲ ପର୍ଯ୍ୟଟନ ପରିଷଦର ସହ-ଅଧ୍ୟକ୍ଷ, ଓଡ଼ିଶା ସରକାରଙ୍କ ରାଜ୍ୟ ପର୍ଯ୍ୟଟନ ପ୍ରୋତ୍ସାହନ ପରିଷଦ ଓ ପର୍ଯ୍ୟଟନ ଉପଦେଷ୍ଟା କମିଟିର ସଦସ୍ୟ ତଥା ଭାରତୀୟ ହୋଟେଲ ସଂଘର ଅବୈତନିକ ସମ୍ପାଦକ ଜେ. କେ. ମହାନ୍ତି ଚିଠି ଲେଖିଛନ୍ତି। ଏହି ଚିଠିର ନକଲ ସେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଦେଇଛନ୍ତି।

ସମ୍ବନ୍ଧିତ ଖବର