ଜୁଲାଇ ୧ରୁ ମହଙ୍ଗା ହେବ ହିରୋ ବାଇକ ଓ ସ୍କୁଟର

ନୂଆଦିଲ୍ଲୀ : ଆସନ୍ତା ଜୁଲାଇ ୧ରୁ ନିଜର ବାଇକ ଓ ସ୍କୁଟର ଦର ୩ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିବ ହିରୋ ମୋଟକର୍ପ ।  ଏ ନେଇ କମ୍ପାନି ପକ୍ଷରୁ ଆଜି ଘୋଷଣା କରାଯାଇଛି । ବିଭିନ୍ନ କଞ୍ଚାମାଲର ଦରବୃଦ୍ଧି ଓ ଅନ୍ୟ ଆନୁଷଙ୍ଗିକ ଖର୍ଚ୍ଚ ବଢିବା ଯୋଗୁଁ କମ୍ପାନି ଦରବୃଦ୍ଧି ଲାଗି ନିଷ୍ପତ୍ତି ନେଇଛି ।

ଏହି ଦରବୃଦ୍ଧି ସମ୍ପର୍କରେ କମ୍ପାନି ପକ୍ଷରୁ ଷ୍ଟକବଜାରକୁ ସୂଚୀତ କରାଯାଇଛି । ୩ ହଜାର ଟଙ୍କା ପର୍ଯ୍ୟନ୍ତ ଏହି ଦରବୃଦ୍ଧି କରାଯିବ, କିନ୍ତୁ ମଡେଲ ଭିତ୍ତିରେ ଦରବୃଦ୍ଧିର ପରିମାଣ ଭିନ୍ନ ଭିନ୍ନ ହେବ ।

କମ୍ପାନି ପକ୍ଷରୁ କୁହାଯାଇଛି ଯେ ଦରଦାମ ବୃଦ୍ଧି ଏବଂ କଞ୍ଚାମାଲ ମହଙ୍ଗା ହେବା ଯୋଗୁଁ ଗାଡି ଦର ବଢାଇବା ଛଡା ଅନ୍ୟ ଉପାୟ ନଥିଲା ।

ହିରୋ ମୋଟୋକର୍ପ ଦରବୃଦ୍ଧି କରିବା ପରେ ଅନ୍ୟ କମ୍ପାନିମାନେ ବି ଦରବୃଦ୍ଧି କରିବାର ସମ୍ଭାବନା ରହିଛି ।

ଚଳିତ ମାସରେ ଦେଶରେ ବିଭିନ୍ନ କମ୍ପାନିର ମୋଟର ସାଇକେଲ, ସ୍କୁଟର ଓ କାର ମୂଲ୍ୟ ବୃଦ୍ଧି ପାଇଥିଲା । ସରକାରଙ୍କ ପକ୍ଷରୁ ଗାଡ଼ିବୀମା ପ୍ରମିୟମ ବୃଦ୍ଧି କରିବା ପରେ ଏହି ଦରବୃଦ୍ଧି ହୋଇଥିଲା । ଅନ୍ୟପକ୍ଷରେ ରିଜର୍ଭ ବ୍ୟାଙ୍କ ଦ୍ବାରା ରେପୋ ହାର ବୃଦ୍ଧି କରାଯିବା ପରେ ବିଭିନ୍ନ ବ୍ୟାଙ୍କ ନିଜର ଋଣ ସୁଧହାର ବୃଦ୍ଧି କରିଛନ୍ତି । ଏହା ଫଳରେ ଯାନବାହାନ ଋଣ ନେଇ ଗାଡ଼ି କିଣୁଥିବା ଗ୍ରାହକମାନଙ୍କ ଉପରେ ଅଧିକ ସୁଧ ପଡିବ ।

 

ସମ୍ବନ୍ଧିତ ଖବର