ଭୁବନେଶ୍ୱର : ଟାଟା ଷ୍ଟିଲ୍ ସ୍ପେଶାଲ ଇକୋନୋମିକ୍ ଜୋନ୍ ଲିମିଟେଡ୍ (ଟିଏସ୍ଏସ୍ଇଜେଡ୍ଏଲ୍) ଏବଂ ଏଚ୍ଏଚ୍ପି ଫାଇଭ୍ ପ୍ରାଇଭେଟ୍ ଲିମିଟେଡ୍ (ହାଇଜେନ୍କୋ) ମଧ୍ୟରେ ଓଡ଼ିଶାର ଟିଏସ୍ଏସ୍ଇଜେଡ୍ର ଗୋପାଳପୁର ଶିଳ୍ପ ପାର୍କ (ଜିଆଇପି)ରେ ଗ୍ରିନ୍ ହାଇଡ୍ରୋଜେନ୍ ଏବଂ ଗ୍ରିନ୍ ଆମୋନିଆ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଏକ ବୁଝାମଣାପତ୍ର ସ୍ୱାକ୍ଷର ହୋଇଯାଇଛି ।
ଏହି ଚୁକ୍ତି ଅନୁଯାୟୀ ହାଇଜେନ୍କୋ ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ଅବସ୍ଥିତ ଗୋପାଳପୁର ଶିଳ୍ପ ପାର୍କ (ଜିଆଇପି)ରେ ଏହାର ଗ୍ରିନ୍ ହାଇଡ୍ରୋଜେନ, ଗ୍ରିନ୍ ଆମୋନିଆ ଏବଂ ଡେରିଭେଟିଭ୍ ୟୁନିଟ୍ ସ୍ଥାପନ କରିବ । ସର୍ବନିମ୍ନ ଗ୍ରୀନ ହାଇଡ୍ରୋଜେନ ଉତ୍ପାଦନରେ ଅଗ୍ରଣୀ ଥିବା ହାଇଜେନ୍କୋ କମ୍ପାନି ପର୍ଯାୟକ୍ରମେ ବାର୍ଷିକ ଏକ ମିଲିୟନ୍ ଟନ୍ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖିଛି । କମ୍ପାନୀ ଡିସେମ୍ବର ୨୦୨୬ ସୁଦ୍ଧା ପ୍ରକଳ୍ପର ପ୍ରାରମ୍ଭିକ ପର୍ଯ୍ୟାୟ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି ।
ଟାଟା ଷ୍ଟିଲ୍ ସ୍ପେଶାଲ ଇକୋନୋମିକ୍ ଜୋନ୍ ଲିମିଟେଡ୍ (ଟିଏସ୍ଏସ୍ଇଜେଡ୍ଏଲ୍) ପରିଚାଳନା ନିର୍ଦ୍ଦେଶକ ମଣିକାନ୍ତ ନାୟକ କହିଛନ୍ତି ଯେ, “ହାଇଜେନକୋ ସହ ବୁଝାମଣାପତ୍ର ସ୍ୱାକ୍ଷର କରି ଆମେ ବହୁତ ଖୁସି । ଏହାକୁ ମିଶାଇ ଶିଳ୍ପ ପାର୍କରେ ଗ୍ରିନ୍ ହାଇଡ୍ରୋଜେନ୍ ଓ ଗ୍ରିନ୍ ଆମୋନିଆ ଉତ୍ପାଦନର ସମୁଦାୟ କ୍ଷମତା ଏବେ ବାର୍ଷିକ ପ୍ରାୟ ୨.୬ ମିଲିୟନ ଟନ ରେ ପହଂଚିଛି । ଏହା ଆମ ଶିଳ୍ପ ପାର୍କକୁ ଭାରତରେ ଏକ ଗ୍ରିନ୍ ହାଇଡ୍ରୋଜେନ ଏବଂ ଆମୋନିଆ ହବ୍ ଭାବରେ ସୁଦୃଢ଼ କରିଛି । ଆମର ପ୍ରୟାସ ହେଉଛି ଏକ ଅନୁକୂଳ ପରିବେଶ ସୃଷ୍ଟି କରିବା ଯେଉଁଠାରେ ନିବେଶକମାନେ ସେମାନଙ୍କ ବ୍ୟବସାୟ କରିବା ପାଇଁ ଆବଶ୍ୟକ ଭିତିଭୂମି ପାଇପାରିବେ । ଗ୍ରିନ୍ ହାଇଡ୍ରୋଜେନ ଏବଂ ଆମୋନିଆ ଶିଳ୍ପ ପାଇଁ ଗୁରୁତ୍ୱପୂର୍ଣ୍ଣ ଶକ୍ତି ଏବଂ ଜଳ ଭିତିଭୂମିର ଅଭିବୃଦ୍ଧି ସବୁଜ ଇନ୍ଧନ କ୍ଷେତ୍ରକୁ ଆହୁରି ସହଜ କରିବ ।’’